କାର୍ଗିଲ ଯୁଦ୍ଧର ଖଳନାୟକ 

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ଏକଛତ୍ରବାଦୀ ଶାସକ ପରଭେଜ ମୁଶାରଫ ୭୯ ବର୍ଷ ବୟସରେ ବିଦେଶ ମାଟିରେ ମୃତ୍ୟୁବରଣ କରିଛନ୍ତି। ଦୁବାଇର ଏକ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ପରଭେଜଙ୍କୁ ଅମାଇଲାଇଡୋସିସ ରୋଗ ହୋଇଥିଲା। ଫଳରେ ତାଙ୍କ ସମସ୍ତ ଅଂଗ କାମ କରିବା ବନ୍ଦ କରିଦେଇଥିଲା। ମୁଶାରଫ ଅକ୍ଟୋବର ୧୯୯୮ରୁ ୨୦୦୧ ପର୍ଯ୍ୟନ୍ତ ଦଶମ ସେନାଧ୍ୟକ୍ଷ ଏବଂ ୧୯୯୮ରୁ ୨୦୦୭ ପର୍ଯ୍ୟନ୍ତ ସପ୍ତମ ଟପ ଜେନେରାଲ ଭାବରେ କାର୍ଯ୍ୟ କରିଥିଲେ। ୧୯୯୯ ରେ ଏକ ସଫଳ ସାମରିକ ବିଦ୍ରୋହ ପରେ ସେନାଧ୍ୟକ୍ଷ ପରଭେଜ ମୁଶରଫ କ୍ଷମତା ଦଖଲ କରି ପାକିସ୍ତାନର ଦଶମ ରାଷ୍ଟ୍ରପତି ହୋଇଥିଲେ।

କାର୍ଗିଲ ଯୁଦ୍ଧର ଖଳନାୟକ ତଥା ମାଷ୍ଟର ମାଇଣ୍ଡ ପରଭେଜ ମୁଶରଫ ଭାରତର ଏକ ଜଣାଶୁଣା ନାମ, ଏହାର କାରଣ ହେଉଛି ଯେ ଆଗ୍ରାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପେୟୀଙ୍କ ସରକାରଙ୍କ ସହିତ ଦ୍ୱିପାକ୍ଷିକକଥାବାର୍ତ୍ତା ପରେ ସେ ତୁରନ୍ତ ଭାରତର ପଛରେ ଛୁରା ଭୁଶିବା ଭଳି କାର୍ଯ୍ୟ କରିଥିଲେ। ଏହି ପାକ ନେତା ଭାରତରେ ଜନ୍ମ ହୋଇଥିଲେ ମଧ୍ୟ ଭାରତ ପ୍ରତି ଥିଲା ଅହେତୁକ ଘୃଣା, ଅସୂୟା ଭାବ। ଯାହା ପାକିସ୍ତାନୀ ଜନତାଙ୍କ ମଧ୍ୟରେ ତାଙ୍କ ପ୍ରତି ସୃଷ୍ଟି କରିଥିଲା ଅହେତୁକ ଲୋକପ୍ରିୟତା। ପରଭେଜ ମାତ୍ର ୨୧ ବର୍ଷରେ ପାକିସ୍ତାନ ଆର୍ମିରେ ଯୋଗଦେଇଥିଲେ ଜଣେ କନିଷ୍ଠ ଅଧିକାରୀ ଭାବେ। ଭାରତ ବିରୋଧୀ ବିଭିନ୍ନ ଯୁଦ୍ଧରେ ବୀରତ୍ବ ଦେଖାଇ ପାକ୍‌ ସରକାରର ମନ ଜିଣିଥିଲେ ସେ। ବାରମ୍ବାର ପଦୋନ୍ନତି ପାଇ ୧୯୯୮ରେ ସେ ହୋଇଗଲେ ପାକ ସେନାମୁଖ୍ୟ। ତାଙ୍କ ନେତୃତ୍ବରେ ହିଁ ହୋଇଥିଲା କାର୍ଗିଲ ଯୁଦ୍ଧ। ହେଲେ କାର୍ଗିଲରେ ମଧ୍ୟ ପାକ ସେନାକୁ ମିଳିଥିଲା ପରାଜୟ। ତେବେ ଏହି ପରାଜୟ ପାଇଁ ସେ ନବାଜ ସରିଫଙ୍କୁ ଦାୟୀ କରିଥିଲେ। ମୁସରଫ ତାଙ୍କ ଜୀବନୀ ଇନ ଦ ଲାଇନ ଅଫ ଫାୟାର-ଏ ମେମୋରୀରେ ଉଲ୍ଲେଖ କରିଥିଲେ କି, ସେ କାର୍ଗିଲ ଉପରେ କବଜା କରିବାକୁ ଶପଥ ନେଇଥିଲେ, କିନ୍ତୁ ନବାଜ ସରିଫଙ୍କ ପାଇଁ ତାହା ହୋଇପାରିଲା ନାହିଁ।

ମେ ରୁ ଜୁଲାଇ ୧୯୯୯ ମଧ୍ୟରେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ କାର୍ଗିଲ ଯୁଦ୍ଧ ହୋଇଥିଲା। ପାକିସ୍ତାନୀ ସୈନ୍ୟମାନେ ଗୁପ୍ତରେ କାର୍ଗିଲର ଉଚ୍ଚ ପାହାଡ ଉପରେ ଅନୁପ୍ରବେଶକାରୀ ଭାବେ ଲୁଚି ରହିଥିଲେ। ପରେ ଯୁଦ୍ଧ ସମୟରେ ଏହା ଜଣାପଡ଼ିଥିଲା ଯେ ଅନୁପ୍ରବେଶକାରୀମାନେ ପାକିସ୍ତାନୀ ସେନା କର୍ମଚାରୀ ଥିଲେ। ଏହା ପରେ ଭାରତୀୟ ସେନା ପାକିସ୍ତାନୀ ସେନାକୁ ନିଜ ଦେଶରୁ ବାହାର କରିଦେବା ପାଇଁ ଅପରେଶନ ବିଜୟ ଆରମ୍ଭ କରିଥିଲା। ପ୍ରାୟ ଦୁଇମାସ ଧରି ଚାଲିଥିବା ଯୁଦ୍ଧ ପରେ ପାକିସ୍ତାନ ପରାଜିତ ହୋଇଥିଲା।

କ୍ଷମତା ବଳରେ ଅନ୍ଧ ଜେନେରାଲ ମୁଶରଫ ବେଲୁଚିସ୍ତାନର ସ୍ବାଧୀନତା ଦାବି ଉପରେ ଉଠାଇଥିଲେ କଠୋର ପଦକ୍ଷେପ। ଏହି ବିରୋଧ ଦମନ ପାଇଁ ବେଲୁଚିସ୍ତାନରେ ତାଙ୍କ ନିର୍ଦ୍ଦେଶରେ ଶହ ଶହ ଲୋକଙ୍କୁ କରାଯାଇଥିଲା ହତ୍ୟା। ସେଥିପାଇଁ ଯେତେବେଳେ ପରଭେଜଙ୍କ ହାତରୁ କ୍ଷମତା ଚାଲିଗଲା, ବେଲୁଚିସ୍ତାନର ମହିଳାମାନେ ତାଙ୍କୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବାକୁ ଆମେରିକା ନିକଟରେ ଦାବି କରିଥିଲେ।

ମୁଶାରଫ ପାକିସ୍ତାର ଜଣେ ଦୃଢ଼ ଆତଙ୍କବାଦୀ ସମର୍ଥକ ଥିଲେ। ଲସ୍କର୍‌-ଇ-ତୋଇବା ଆତଙ୍କବାଦୀ ସଙ୍ଗଠନର ସେ ସବୁଠୁ ବଡ଼ ସମର୍ଥକ ଥିଲେ। ଜାତି ସଂଘ ତାଙ୍କୁ ଗ୍ଲୋବାଲ୍‌ ଟେରରିଷ୍ଟ୍‍ ଆଖ୍ୟା ଦେଇଥିଲା। ଆମେରିକା ମଧ୍ୟ ତାଙ୍କୁ ଜଣେ ଆତଙ୍କବାଦୀ ବୋଲି କହିଥିଲା। ୨୦୧୯ ମସିହାରେ ଦେଶଦ୍ରୋହ ମାମଲାରେ ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଥିଲେ। କୋର୍ଟ କହିଥିଲେ ଯେ, ଯଦି ଫାଶୀ ଦିଆଯିବା ପୂର୍ବରୁ ମୁଶାରଫ ମରିଯିବେ, ତାଙ୍କୁ ଇସ୍‌ଲାମାବାଦ୍‌ର ଏକ ପ୍ରସିଦ୍ଧ ଛକରେ ୩ ଦିନ ପାଇଁ ଝୁଲାଇ ରଖାଯିବ। ୨୦୦୭ ମସିହାରେ ଦେଶର ସମ୍ବିଧାନକୁ ଅଣଦେଖା କରି ଦେଶରେ ଜରୁରୀକାଳୀନ ଶାସନ ଲାଗୁ କରିଥିବା ମୁଶାରଫଙ୍କ ବିରୋଧରେ କୋର୍ଟ ଫାଶୀ ଦଣ୍ଡ ଶୁଣାଣଇଥିଲେ। ଅବସ୍ୟ ଏହି ଦଣ୍ଡାଦେଶ ପରେ ପ୍ରତ୍ୟାହୃତ ହୋଇଥିଲା।

ତାଙ୍କ ରାଷ୍ଟ୍ରପତିତ୍ବ କାଳରେ ୨୦୦୭ ନଭେମ୍ବର ୩ରେ ସେ ଦେଶରେ ଜରୁରୀ ପରିସ୍ଥିତି ଓ ମାର୍ଶଲ ଲ ଘୋଷଣା କରିଥିଲେ। ଯେଉଁଥି ପାଇଁ ପରବର୍ତ୍ତୀ ସମୟରେ ତାଙ୍କୁ ଦେଶଦ୍ରୋହୀ ଘୋଷଣା କରାଯାଇ ଫାଶୀ ଦେବାକୁ ଘୋଷଣା କରାଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଇ ସେ ଦୁବାଇ ଖସିଯିବାରେ ହୋଇଥିଲେ ସକ୍ଷମ। ପ୍ରାରମ୍ଭିକ ଜୀବନରେ ସମ୍ମାନ, କ୍ଷମତା ଓ ବୀରତ୍ବ ହାସଲ କରି ଯେତିକି ଐଶ୍ବର୍ଯ୍ୟପୂର୍ଣ୍ଣ ଜୀବନ ଅତିବାହିତ କରିଥିଲେ ମୁଶାରଫ, ସେମିତି ଶେଷ ଜୀବନ ଅନ୍ୟ ଆଶ୍ରୟରେ, ରୋଗବ୍ୟାଧି ମଧ୍ୟରେ ଦୁରୁହ ଜୀବନ ବିତାଇଥିଲେ ଓ ସେଠାରେ ହିଁ ଛାଡିଗଲେ ଦୁନିଆ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.