ଟୋଲବ୍ରାହ୍ମଣୀରେ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ଓ ଷୋହଳ ପ୍ରହର ବ୍ରହ୍ମ ନାମ ସମାପନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଟୋଲବ୍ରାହ୍ମଣୀ ସ୍ଥିତ ସିଦ୍ଧ ରତ୍ନ କୁଟିର ମହିମା ଆଶ୍ରମରେ ମାର୍ଚ୍ଚ ୪ ଶନିବାର ଠାରୁ ଚାଲିଥିବା ୬୫ତମ ମହିମା ମେଳା ମହୋତ୍ସବ ଉଦ୍ଯାପିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଟୋଲବ୍ରାହ୍ମଣୀ ସ୍ଥିତ ସିଦ୍ଧ ରତ୍ନ କୁଟିର ମହିମା ଆଶ୍ରମ ଠାରେ ବୈଦ୍ୟରାଜ ପବିତ୍ର ଶବର ଓ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ହୋଇଥିବା ଏହି ବିଶ୍ବ ଶାନ୍ତି ବ୍ରହ୍ମ ଯଜ୍ଞ ମହିମା ବାଲ୍ୟଲୀଳା ଓ ଷୋହଳ ପ୍ରହର ବ୍ରାହ୍ମ ନାମ ସଂକୀର୍ତ୍ତନରେ ପଶ୍ଚିମାଞ୍ଚଳର ଅନେକ ମହିମା ଧର୍ମାବଲମ୍ବୀ ସାଧୁସନ୍ଥ ଓ ଭକ୍ତବୃନ୍ଦ ଯୋଗ ଦେଇଥିଲେ। ଶନିବାର ଦିନ ଆଶ୍ରମର ନବ ନିର୍ମିତ ମୁଖଶାଳାରେ ବ୍ରହ୍ମ ଅବଧୂତ ରତ୍ନମଣି ବାବା ଓ ସନ୍ଥକବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହେବାସହ ଭବ୍ୟ କଳସ ଯାତ୍ରା ଆୟୋଜିତ ହୋଇଥିଲା। ଦ୍ବିତୀୟ ଦିବସ ମାର୍ଚ୍ଚ ୫ ରବିବାର ଦିନ ବ୍ରହ୍ମ ଧୂନୀ ସ୍ଥାପନ ଓ ନାମ ବ୍ରହ୍ମ ଆରମ୍ଭ ହୋଇଥିଲା। ଷୋହଳ ପ୍ରହର ମହିମା ନାମ ସଂକୀର୍ତ୍ତନ୍ୟରେ ବଲାଙ୍ଗୀର ଜିଲ୍ଲା ପୂନ୍ୟାପାଲି, ମହଗାଁ, କଳାହାଣ୍ଡି ଜିଲ୍ଲା ମୁଷାନାଲ ଓ ଗୁଣ୍ଡରୀ ଗ୍ରାମର ଝିଅ କୀର୍ତ୍ତନ ଦଳ ସମେତ ବାହାଦୁର ପଦର, ଯାଜଲଦେଇପୁର, କଲମ, ପୋଢକମ ଏବଂ ମହେନ୍ଦ୍ରପୁର ଆଦି ସ୍ଥାନର ସଂକୀର୍ତ୍ତନ ଦଳସବୁ ଯୋଗ ଦେଇଥିଲେ। ରବିବାର ଓ ସୋମବାର ଦୁଇ ଦିନ ଧରି ଅଖଣ୍ଡ ନାମ ସଂକୀର୍ତ୍ତନ ଚାଲିଥିଲା। ଆଜି ମାର୍ଚ୍ଚ ୭ ପ୍ରାତଃ ସମୟରେ ପଣାପାଣି ଅର୍ପଣ ଓ ବାଲ୍ୟ ଭୋଜନ ସହ ପୂର୍ଣ୍ଣାହୁତି ହୋଇଥିଲା। ପଶ୍ଚିମାଞ୍ଚଳ ମହିମା ସମାଜର ଅଧ୍ୟକ୍ଷ ବ୍ରହ୍ମ ଅବଧୁତ ଭଗବାନ ବାବାଙ୍କ ପୌରହିତ୍ୟରେ ଆୟୋଜିତ ଉକ୍ତ ଯଜ୍ଞ କାର୍ଯ୍ୟକ୍ରମରେ ଲତା ଆଶ୍ରମ ପରିଚାଳନା ସମିତି ଯୋରନ୍ଦାର ସଂପାଦକ ବ୍ରହ୍ମ ଅବଧୁତ କିଶୋର ଚନ୍ଦ୍ର ବାବା, ବ୍ରହ୍ମ ଅବଧୂତ ମଦନ ଚନ୍ଦ୍ର ବାବା, ବ୍ରହ୍ମ ଅବଧୂତ ସୁରେଶ ବାବା, ପରବାଙ୍ଗି ମହିମା ଆଶ୍ରମର ମଠାଧିସ ସାଧୁ ପ୍ରଭାକର ଦାସ, ସଦାନନ୍ଦ ବାବା ପ୍ରମୂଖଙ୍କ ସହ ଅନେକ ସାଧୁସନ୍ଥ ଦାୟୀତ୍ୱ ଗ୍ରହଣ କରିଥିଲେ। ଟୋଲବ୍ରାହ୍ମଣୀର ଚନ୍ଦ୍ରଶେଖର ଶବର, ନରେନ୍ଦ୍ର କୁମାର ଶବର, ଲିଙ୍ଗରାଜ ଶବର, ଚିଆଁପଦରର ବିଶିଷ୍ଟ ଯୁବ ନେତା ସୁରେଶ ଚନ୍ଦ୍ର ଭୋଇ ଓ ଅଞ୍ଚଳର ଅନେକ ଲୋକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.