ବିଭିନ୍ନ ମାମଲାରେ ସଫଳତା ନେଇ ରାୟଗଡା ଏସ.ପି.ଙ୍କ ପ୍ରେସ୍ ମିଟ୍‌

• କଲରାପତରିଆ ବାଘ ଛାଲ ସହ ୧୩୬କେଜି ଗଂଜେଇ ଜବତ୍‌, ୩ ଗିରଫ

• ୧୯ଟି ମୋବାଇଲ୍ ଜବତ ସହ ଚୋରକୁ ଧରିଲା ରାୟଗଡା ଥାନା ପୋଲିସ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାର ପଦ୍ମପୁର ଓ ରାୟଗଡା ଥାନା ପୋଲିସର ବିଭିନ୍ନ ମାମଲାରେ ସଫଳତା ନେଇ ଆଜି ସ୍ଥାନୀୟ ଜିଲ୍ଳା ପୋଲିସ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ପଦ୍ମପୁର ଥାନାର ଦୁଇଟି ମାମଲାରେ ୧୩୬କେଜି ଗଂଜେଇ ଜବତ ସହ ଗୋଟିଏ କଲରାପତରିଆ ବାଘ ଛାଲ ଏବଂ ୨ଟି ମୋବାଇଲ ଫୋନ୍ ଜବତ ହୋଇଥିବା ବେଳେ ଘଟଣାରେ ୩ଜଣ ଅଭିଯୁକ୍ତକୁ ପୋଲିସ ଗିରପ କରିବାରେ ସଫଳ ହୋଇଥିବା ବେଳେ ଚୋରି ହୋଇଥିବା ୧୯ଟି ମୋବାଇଲ ସହ ଚୋରକୁ ଧରିବାରେ ସଫଳ ହୋଇଛି ରାୟଗଡା ଥାନା ପୋଲିସ । ଆଜି ସମସ୍ତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଏସ.ପି.ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି ।

ଗଣମାଧ୍ୟମକୁ ଦିଆଯାଇଥିବା ପ୍ରେସ୍ ବିବୃତି ତଥା ଜିଲ୍ଳା ଏସ.ପି.ଶ୍ରୀ ଶର୍ମାଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ଗତକାଲି ମାର୍ଚ୍ଚ ୩୦ତାରିଖରେ ୩୨୬ନମ୍ବର ଜାତୀୟ ରାଜପଥ ପାଖ ପଦ୍ମପୁର ଥାନା ଅନ୍ତର୍ଗତ ନାରାୟଣପୁର ଜଙ୍ଗଲ ଅଂଳଚରେ ବାଘଛାଲ ଏବଂ ଗଂଜେଇ ଚୋରା ଚାଲାଣ ହେଉଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇ ପଦ୍ମପୁର ଥାନା ଅଧିକାରୀ ରାଜେଶ ବଲିଆରସିଂଙ୍କ ନେତୃତ୍ୱରେ ପୋଲିସ ଟିମ୍ ଘଟଣାସ୍ଥଳରେ ଚଢାଉ କରିଥିଲା । ଚଢାଉ ସମୟରେ ସଉଲା ମାଝି ଏବଂ ନୁହାସନ ମାଝି ନାମକ ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ ଧରିବାରେ ସଫଳ ହୋଇଥିବା ବେଳେ ସେମାନଙ୍କ ଠାରୁ ୨ଟି ବସ୍ତାରୁ ୬୪କେଜି ୩୦୦ଗ୍ରାମର ଗଂଜେଇ ସହ ଗୁଳି କରି ହତ୍ୟା କରାଯାଇଥିବା ୧ କଲରାପତରିଆ ବାଘର ଛାଲ ଏବଂ ୨ଟି ମୋବାଇଲ ଫୋନ ଜବତ କରାଯାଇଥିଲା । ଅଭିଯୁକ୍ତମାନେ ଏହି ସାମଗ୍ରୀଗୁଡିକ ଚୋରା ଚାଲାଣ ପାଇଁ ଗାଡି ଅପେକ୍ଷାରେ ରହିଥିବା ନେଇ ଏସ.ପି.ଶ୍ରୀ ଶର୍ମା ପ୍ରକାଶ କରିଛନ୍ତି । ତେବେ ଜିଲ୍ଳା ସୀମାନ୍ତ ଗଜପତି ଜିଲ୍ଳାରେ ଉଭୟ ଅଭିଯୁକ୍ତଙ୍କ ଘର ବୋଲି ଜଣାପଡିଛି । ସେହିପରି ଆଜି ସକାଳେ ପଦ୍ମପୁର ଥାନା ଅନ୍ତର୍ଗତ ବାହୁପଦର ଗ୍ରାମାଂଚଳର ନାଗେଶ୍ୱର ମାଝି ନାମକ ଅଭିଯୁକ୍ତ ୨ଟି ବସ୍ତାରେ ୭୨କେଜି ଗଂଜେଇ ଚୋରା ଚାଲାଣ ପାଇଁ ଗାଡିକୁ ଅପେକ୍ଷା କରିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ପଦ୍ମପୁର ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଛନ୍ତି ।

ସେହିପରି ଗତ ମାର୍ଚ୍ଚ ୨୯ତାରିଖରେ ରାୟଗଡା ସହରର କପିଳାସ ଛକରେ ରହୁଥିବା ମାରକୁନ୍ଦୁ ପଟ୍ଟନାୟକ ସାଇଙ୍କ ମୋବାଇଲ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରୁ କେହି ଦୁର୍ବୁତ ଚୋରି କରି ନେଇଥିବା ନେଇ ରାୟଗଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ରାୟଗଡା ଥାନା ପୋଲିସ ତଦନ୍ତ ବେଳେ ଚିକିତ୍ସାଳୟରେ ଲାଗିଥିବା ସିସିିଟିଭି ଫୁଟେଜ ଯାଂଚ କରିବା ସହ ବିଶେଷ ସୂତ୍ରରୁ ଖବର ପାଇ ଗୁରୁନାଥ ହାଲବା ନାମକ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଥିବା ବେଳେ ରାୟଗଡା ସହରର ରୟତ କଲୋନୀ ତୃତୀୟ ଲାଇନରେ ରହୁଥିବା ଘରୁ ୧୯ଟି ସ୍ମାର୍ଟ ଫୋନ୍ ଜବତ କରାଯାଇଛି ।

ଅଭିଯୁକ୍ତ ହାଲବା କୋରାପୁଟ ଜିଲ୍ଳା ବନ୍ଧୁଗାଁ ଥାନା ଅନ୍ତର୍ଗତ ସୋଡାବାଡି ଗ୍ରାମର ବୋଲି ଜଣାପଡିଥିବା ବେଳେ ସେ ରାୟଗଡାରେ ରହି ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ତଥା ଏହାର ଆଖପାଖ ଅଂଚଳରେ ସ୍ମାର୍ଟ ଫୋନ୍‌ଗୁଡିକ ଚୋରି କରି ବିକ୍ରି କରୁଥିବା ପୋଲିସ ଜାଣିବାକୁ ପାଇଥିବା ନେଇ ଏସ.ପି.ଶ୍ରୀ ଶର୍ମା ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ପଦ୍ମପୁର ଥାନା ଅଧିକାରୀ ରାଜେଶ ବଳିଆରସିଂ ଓ ରାୟଗଡା ଥାନା ଅଧିକାରୀ କେ.ବି.କେ.କହଁର ପ୍ରମୁଖ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.