ତୁମେ କହୁଚ ଖରା ନିଧୂମ ହେଉଚି
କାଇଁ କେଉଁଠି ଖରା ହେଉଛି ଯେ?
ଖରା ହେଉଥିଲେ ସାଇକେଲ ଧରି
ନଡ଼ିଆ ମଲାଈ ଵାଲାଟା
ମୋ ଗାଁକୁ ଆସି ଡାକ ଛାଡ଼ନ୍ତାନି?
ଆଉ ମଲାଈ ବିକିସାରିବା ପରେ
ପେଡ଼ିରେ ଥିବା ବଳକା ବରଫ ଗୁଡା
ଦେଇ ଯାଇନଥାନ୍ତା ମୋତେ?
ଗରମରେ ପଚି ଲାଲ ପଡିଥିବା
ମୋ ମୁଁହକୁ ଥଣ୍ଡା କରିବ ଲାଗି !
ତୁମେ କହୁଚ ଖରା ନିଧୂମ ହେଉଚି
କାଇଁ କେଉଁଠି ଖରା ହେଉଛି ଯେ?
ଖରା ହେଉଥିଲେ
ମୋ ସାଙ୍ଗ ମୋତେ ଡାକନ୍ତାନି
ଚାଲ ନଈକୁ ଯିବା ଗାଧେଇଵା ପାଇଁ
ଆଉ ଢେର ସମୟ ଗାଧୋଉ ଗାଧୋଉ
ଚୁଟି ସବୁ ଝୋଟ ପରିକା ଲଗନ୍ତାନି?
ତୁମେ କହୁଚ ଖରା ନିଧୂମ ହେଉଚି
କାଇଁ କେଉଁ ଖରା ହେଉଚି ଯେ?
ଖରା ହେଉଥିଲେ ସୁନସାନ ଦ୍ୱିପ୍ରହରେ
ମୁଁ ଘରୁ ପାଦ ଚିପିଚିପି ପଡିଆରେ
କ୍ରିକେଟ ଖେଳୁନଥାନ୍ତି?
ଆଉ ଫେରି ନଥାନ୍ତି ସଞ୍ଜବେଳେ !
ତୁମେ କହୁଚ ଖରା ନିଧୂମ ହେଉଚି
କାଇଁ କେଉଁ ଖରା ହେଉଚି ଯେ?
ଖରା ହେଉଥିଲୁ
ସ୍କୁଲ, ଟିଉସନ ସବୁ ଛୁଟି ହୁଅନ୍ତାନି?
ମୁଁ ଯାଅନ୍ତିନି ମାମୁଙ୍କ ଗାଁକୁ
ଯେଉଁଠି ମୋତେ ସରଗର ଶାନ୍ତି ମିଳନ୍ତା !
ତୁମେ କହୁଚ ଖରା ନିଧୂମ ହେଉଚି
କାଇଁ କେଉଁ ଖରା ହେଉଚି ଯେ?
ଖରା ହେଇଥିଲେ
ମୁଁ ସୋଇନଥାନ୍ତି ଜେଜେଙ୍କ କୋଳରେ
ଖୋଲା ଆକାଶ ତଳେ?
ମୁଁ ଶୁଣୁ ନଥାନ୍ତି ଗପ ଆଉ ଗୀତ?
ମୁଁ ଚିହ୍ନି ନଥାନ୍ତି ସାତ ମଣ୍ଡଳ ତାରାଙ୍କୁ
ଜେଜେଙ୍କ ଅଙ୍ଗୁଳି ନିର୍ଦେଶରେ !
ତୁମେ କହୁଚ ଖରା ଆସିଚି
ଏଇ ପାଚିଲା ଆମ୍ବ
ଫାଟି ଯାଇଥିବା ପଣସର ବାସ୍ନା
ଆଉ କୃଷ୍ଣଚୁଡା ଫୁଲ ଦେଖି ତ?
ହୁଏତ ତୁମେ ଜାଣିନ,
ସେମାନେ ବହୁତ ଆଗରୁ ଆସିଯାଇଛନ୍ତି ମୁଁ କିନ୍ତୁ ଅଛି ଖରା ସହ ବହୁତ ପଛରେ !
ପ୍ରଭୁଦତ୍ତ ପ୍ରଧାନ
ଦୁର୍ଗାପ୍ରସାଦ,ନୟାଗଡ
For latest news & updates, click on bell button and subscribe to notifications.
Like us on Facebook👇
Subscribe us on Youtube👇
Join our whatsapp group👇