ଅକାମି ହୋଇପଡିଛି ଧର୍ମଗଡ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ, ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବି

ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଉପଖଣ୍ଡରେ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ କର୍ମଚାରୀଙ୍କ ଅଭାବ  ଦେଖିବାକୁ ମିଳିଛି। ଏହା କର୍ମଚାରୀ ବିହନ କାର୍ଯ୍ୟାଳୟ କହିଲେ ଅଚ୍ୟୁକ୍ତି ହେବ ନାହିଁ । ବର୍ଷେ ନୁହେଁ କି ଦୁଇ ବର୍ଷ ନୁହଁ ପୁରା ୧୨ ବର୍ଷ ହେଲାଣି ଏଭଳି ସ୍ଥିତିରେ ରହିଛି କାର୍ଯ୍ୟାଳୟ । ଯାହାକୁ ନେଇ ଧର୍ମଗଡ ଅଞ୍ଚଳବାସୀଙ୍କ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଶ୍ରମ ବିଭାଗ ଏକ ଗୁରୁତ୍ୱ ବିଭାଗ ଅଟେ । ବିଶେଷ କରି କଳାହାଣ୍ଡି ଜିଲ୍ଲାରେ ଶ୍ରମିକ ଚାଲାଣ, ଦାଦନ ଭଳି ସମସ୍ୟା ଲାଗି ରହିଛି । ଧର୍ମଗଡ ଉପଖଣ୍ଡ ଦାଦନ ଶ୍ରମିକ ଅଞ୍ଚଳ ଭାବେ ବେଶ ଜଣାଶୁଣା । ପ୍ରତ୍ୟେକ ଦିନ ଅଞ୍ଚଳରେ ଦାଦନ ଶ୍ରମିକଙ୍କୁ ନେଇ କିଛି ନା କିଛି ଖବର ଲାଗି ରହିଛି । କେବେ ଦଲାଲଙ୍କ କବଜାରେ ଶ୍ରମିକ ନିର୍ଯ୍ୟାତିତ, ପୁଣି ଠିକାଦାରଙ୍କ ନିର୍ଯ୍ୟାତନାର ଶିକାର, ପୁଣି କାହାର ମୃତ୍ୟୁ ଖବର ତ କାହାର ମୃତ ଦେହ ଭିଟାମାଟିକୁ ଆସି ପାରୁନ ଥିବା ରୀତିମତ ଖବର ମିଳୁଛି । ଏହି ମାସେ ଭିତରେ ଧର୍ମଗଡ ଉପଖଣ୍ଡ ଅଞ୍ଚଳରେ ୧୨ରୁଉର୍ଦ୍ଧ୍ୱ ଦାଦନ ଶ୍ରମିକଙ୍କ ମୃତ୍ୟୁ ହୋଇ ସାରିଥିବା ଖବର ଅଞ୍ଚଳରେ ଚହଳ ପକାଇଛି । ହେଲେ ନା ବୁଝିବାକୁ ପ୍ରଶାସନ ନା ହିସାବ ରଖିବାକୁ ଅଛି କାର୍ଯ୍ୟାଳୟ । ଅଞ୍ଚଳରେ ଦାଦନ ସମସ୍ୟା ସମ୍ବେଦନଶୀଳ ଘଟଣା ହୋଇଥିଲେ ହିଁ ଧର୍ମଗଡ ଶ୍ରମ ଅଧିକାରୀ କାର୍ଯ୍ୟାଳୟ ନରହିବା ଏକ ଅମାନସିକତା ଓ ଅଣଦେଖା କରାଯାଉଥିବା ଅସ୍ଵୀକାର କରିହେବ ନାହିଁ । ସରକାର ଓ ପ୍ରଶାସନର ଆନ୍ତରିକତା ଅଭାବ କାରଣରୁ ଧର୍ମଗଡ ଉପଖଣ୍ଡ ଶ୍ରମ ବିଭାଗ କାର୍ଯ୍ୟାଳୟ ଖାଲି ପଡିଥିବା ସ୍ପଷ୍ଟ ପାଦିତ କରୁଛି । କଳାହାଣ୍ଡି ଜିଲ୍ଲାର କୋକସରା, କଲମପୁର, ଜୟପାଟଣା, ଗୋଲାମୁଣ୍ଡା, ଜୁନାଗଡ଼ ଓ ଧର୍ମଗଡ ବ୍ଲକକୁ ନେଇ ଧର୍ମଗଡ ଉପଖଣ୍ଡ ଗଠିତ । ତେବେ କାର୍ଯ୍ୟାଳୟ ଖୋଲା ଯିବାର କିଛି ବର୍ଷ ଠିକ୍ ଠାକ୍ ଚାଲିବା ପରେ ଆଜକୁ ୧୨ ବର୍ଷ ହେବା ଏହି କାର୍ଯ୍ୟାଳୟରେ ନା ଅଛନ୍ତି ଶ୍ରମ ଅଧିକାରୀ ନା ଅଛନ୍ତି କିରାଣୀ । ବର୍ଷ ବର୍ଷ ଧରି ଅଫିସରେ ତାଲା ଝୁଲୁଥିବା ନେଇ ଜନସାଧାରଣଙ୍କ ଭିତରେ ଉଦବେଗ ପ୍ରକାଶ ପାଇଛି । ଅନେକ ସମୟରେ ଶ୍ରମିକ ମାନେ ଏହି କାର୍ଯ୍ୟାଳୟକୁ ପଞ୍ଜିକରଣ ପାଇଁ ଆସି କାର୍ଯ୍ୟାଳୟରେ ତାଲା ପଡ଼ିଥିବା ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଖର୍ଚ୍ଚାନ୍ତ ହୋଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ଭବାନୀପାଟଣାକୁ ଯାଇ ପଞ୍ଜିକରଣ କରୁଥିବା ଅଭିଯୋଗ ହେଉଛି । ଅନ୍ୟପଟେ ଅଫିସ ବନ୍ଦ ରହୁଥିବା ଯୋଗୁ ଏବେ ଅସାମାଜିକ ବ୍ୟକ୍ତି ମାନଙ୍କ ଆଡ୍ଡା ସ୍ଥଳୀ ପାଲଟିଛି । ସନ୍ଧ୍ୟା ହେଲେ ଏଠାରେ ମଦ୍ୟପଙ୍କ ଆସର ଜମୁଥିବା ନଜରକୁ ଆସିଛି । ସରକାର ଧର୍ମଗଡ ଉପଖଣ୍ଡ ଅଞ୍ଚଳର ଶ୍ରମିକ ମାନଙ୍କ ପ୍ରତି ଦୃଷ୍ଟି ଦେଇ ଧର୍ମଗଡରେ ଥିବା ସହକାରୀ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.