କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘ ପକ୍ଷରୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଜୁ ପଟ୍ଟନାୟକ ଇଣ୍ଡୋର ହଲଠାରେ କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ଜିଲ୍ଲା ସଭାପତି ପ୍ରଦୀପ କୁମାର ଦାସଙ୍କ ନେତୃତ୍ୱରେ ଓଡିଶା ମିଲେଟ ମିଶନର ଜିଲ୍ଲା ପ୍ରକଳ୍ପ ସଂଯୋଜକ ପୂଜା ବର୍ମା ଏବଂ ଜିତୁ ନାୟକଙ୍କ ସଂଯୋଜନାରେ ଓଡିଶା ମିଲେଟ ମିଶନ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ମିଲେଟ ବର୍ଷ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ବୟସର ବାଳିକାମାନଙ୍କ ମଧ୍ୟରେ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗରେ କାର୍ଯ୍ୟରତ ଥିବା ଯୁଗ୍ମ ସମ୍ପାଦକ ଶୁଭ୍ରାଂଶୁ ମିଶ୍ର ଯୋଗ ଦେଇଥିବାବେଳେ ଅନ୍ୟାନ୍ୟ ଅତିଥିଗଣଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ ନାୟକ, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ ଉପସ୍ଥିତ ରହିଥିଲେ। ଏହି ଅବସରରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀମାନଙ୍କ ଦ୍ୱାରା ନିହତ ହୋଇଥିବା ପାଞ୍ଚଜଣ ଯବାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ଗ୍ରୀଷ୍ମ ବ୍ୟାଡ଼ମିଣ୍ଟନ ଶିବିର ଅତିଥିମାନଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା। ଶିବିର ପାଇଁ ଅନୁଭବୀ ଥିବା ନରେଶ ସୁନାନୀଙ୍କୁ ପ୍ରଶିକ୍ଷଣ ପାଇଁ ସଂଘ ପକ୍ଷରୁ ଦାୟିତ୍ୱ ଦିଆଯାଇଅଛି। ଉପସ୍ଥିତ ଥିବା ଖେଳାଳି ବୃନ୍ଦ ଏବଂ ଅଭିଭାବକଙ୍କ ମଧ୍ୟରେ ମିଲେଟ ବାବଦରେ କୁଇଜ ପ୍ରତିଯୋଗିତା କରାଯାଇଥିଲା। ଏହାପରେ ପୁରସ୍କାର ବିତରଣ ଉତ୍ସବରେ କୁଇଜ ଓ ବ୍ୟାଡ଼ମିଣ୍ଟନରେ ବିଜୟୀ ହୋଇଥିବା ବାଳକ ବାଳିକାମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ସମ୍ପାଦକ ସନ୍ଦୀପ ମିଶ୍ର ଓ କୋଷାଧ୍ୟକ୍ଷ ସରୋଜ ମହାରଣା ପରିଚାଳନା କରିଥିଲେ। ସଂଘରେ ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ଦାସ, ଉପସଭାପତି ସମୀର ସାହୁ, ଉପସଭାପତି ଅରୁଣ ରଥ, ମନୋଜ ପଣ୍ଡା, ରାହୁଲ ଗିଲ, ସାଇ ସିଂ ସାମନ୍ତ, ହେମନ୍ତ ମିଶ୍ର, ରଂଜିତ ସାହୁ, ପରେଶ ପ୍ରଧାନ, ଜିତେନ୍ଦ୍ର ମିଶ୍ର ଏବଂ ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ। ପରିଶେଷରେ ସଭାପତି ପ୍ରଦୀପ ଦାସ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.