ଅସୁରକ୍ଷିତ ଗଜରାଜ : ହାତୀ ଅଭୟାରଣ୍ୟ ଦାବି

କଳାହାଣ୍ଡି,୧୦/୫ : କଳାହାଣ୍ଡି ଜିଲ୍ଲା ମ.ରାମପୁର ରେଞ୍ଜ ଓ ନର୍ଲା ରେଜ୍ଞ ଅଧୀନରେ ପ୍ରାୟ ତିରିଶରୁ ଊର୍ଧ୍ବ ହାତୀ ରହୁଥିବା ସୂଚନା ମିଳୁଥିବାବେଳେ ଗତ କିଛି ମାସ ଭିତରେ ଦୁଇଟି ହାତୀ ଅସୁସ୍ଥ ହେଇ ମୃତ୍ୟୁ ବରଣ କରିବା ଏବଂ ଗତ କିଛି ଦିନ (ତା୬/୫/୧୯ରିଖ) ତଳେ ଉର୍ଲାଦାନୀ ସଂରକ୍ଷିତ ଜଙ୍ଗଲ, ଉତେଇ ଉପକଣ୍ଠ ଚେରେଡ଼ୁଙ୍ଗୁରୀ (ଉତେଇ ନଦୀ କୁଳରୁ ପ୍ରାୟ ତିନିକିଲୋମିଟର) ରେ ଏକ ଦାନ୍ତ ବିହୀନ ମୃତ ହାତୀର ଶବ ଉଦ୍ଧାର ହେବା ପରେ ଅଞ୍ଚଳର ପ୍ରାଣୀ ପ୍ରେମୀଙ୍କ ମନରେ ଗଭୀର ଅସନ୍ତୋଷ ପ୍ରକାଶ ପାଇବା ସହ ଏହି ଅଂଚଳରେ ହାତୀ ଅଭୟାରଣ୍ୟ ଦାବୀ କରିଛନ୍ତି ।

କେବଳ ହାତୀ ନୁହେଁ ଏହି ଅଂଚଳରେ ଗୋଟିଏ ବର୍ଷ ଭିତରେ ପ୍ରାୟ ପାଞ୍ଚରୁ ଉର୍ଧ ହରିଣ ସହର ମୁହାଁ ହେବା ସହ କେବେ କୁକୁର ଦଳର ଶିକାର ହେଇ ତ କେବେ ଜନ୍ତୁ ଶୀକାରୀଙ୍କ ମାଡ଼ରେ ଆହତ ହେବା ସହ ପରବର୍ତ୍ତୀ ସମୟରେ ମୃତ୍ୟୁ ବରଣ କରିଛନ୍ତି । ଏହି ଅଂଚଳରେ ଜନ୍ତୁଙ୍କ ଜୀବନ ଅସୁରକ୍ଷିତ ସୂଚନା ମିଳୁଥିବା ବେଳେ ବନ୍ୟଜନ୍ତୁଙ୍କ ଉପସ୍ଥିତିକୁ ବି ଜାହିର କରୁଛି । ବର୍ଷର ପ୍ରାୟ ସବୁ ସମୟରେ ଉତେଇ ଉପକଣ୍ଟ, ଉର୍ଲାଦାନୀ ସଂରକ୍ଷିତ ଜଙ୍ଗଲ, ଶ୍ରୀପାଲି ସଂରକ୍ଷିତ ଜଙ୍ଗଲ, କମର୍ଦ୍ଦା ସଂରକ୍ଷିତ ଜଙ୍ଗଲ ଅଂଚଳରେ ହାତୀମାନଙ୍କ ଉପସ୍ଥିତି ଦେଖିବାକୁ ମିଳିଥାଏ ।

ତେବେ ଏହି ଅଂଚଳରେ ସମୁଦାୟ ଉର୍ଲାଦାନୀ ସଂରକ୍ଷିତ ଜଙ୍ଗଲ ୧୦୬୦୬.୦୮ ହେକ୍ଟର, ପରଗେଲ ସଂରକ୍ଷିତ ଜଙ୍ଗଲ ୧୭୨୨.୬୪ ହେକ୍ଟର, ଶ୍ରୀପାଲି ସଂରକ୍ଷିତ ଜଙ୍ଗଲ ୪୬.୬୭ହେକ୍ଟର, କେରବାଣ୍ଡି ସଂରକ୍ଷିତ ଜଙ୍ଗଲ ୧୧୨୫.୯୩ହେକ୍ଟର,କମର୍ଦ୍ଦା ସଂରକ୍ଷିତ ଜଙ୍ଗଲ ୪୫୪.୨୭ହେକ୍ଟର, ଡ଼େଙ୍ଗସୁର ସଂରକ୍ଷିତ ଜଙ୍ଗଲ ୨୬୧.୨୮ ହେକ୍ଟର ପରିମାଣରେ ଜଙ୍ଗଲ ରହିଥିବାବେଳେ ଏହି ସବୁ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଉର୍ଲାଦାନୀ, ପରଗେଲ, ଶ୍ରୀପାଲି, ଡ଼େଙ୍ଗସୁର ସଂରକ୍ଷିତ ଜଙ୍ଗଲ ହେଉଛି ହାତୀଙ୍କ ଶତ ପ୍ରତିଶତ ଉପସ୍ଥିତିର ସୂଚନା ରହିଥାଏ ଏବଂ କେରବାଣ୍ଡି ଓ କମର୍ଦ୍ଦା ଅଂଚଳରେ ପଚାଶ ପ୍ରତିଶତ ହାତୀଙ୍କ ଉପସ୍ଥିତି ରହିଥାଏ । ତେବେ ଗତ ୨୦୧୧ବନ୍ୟଜନ୍ତୁ ଗଣନା ଅନୁସାରେ ଏଇ ଅଂଚଳରେ ହାତୀଙ୍କ ସଂଖ୍ୟା ୪୮ରୁ ଉର୍ଧ ରହିଥିବା ଜଣାଯାଇଛି ।

ଗତ ବନ୍ୟଜନ୍ତୁ ଗଣନା ପରେ ମଧ୍ୟ ହାତୀଛୁଆ ଜନ୍ମ ହେଇ ଏହି ସଂଖ୍ୟା ବୃଦ୍ଧି ଘଟିଛି ଏବଂ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ କହିବା ମୁତାବକ ଏହି ସଂଖ୍ୟା ଆହୁରି ବଢିବ ବୋଲି କୁହାଯାଏ । ହରିଣ ସଂଖ୍ୟା ମଧ୍ୟ ଏକ ହଜାରରୁ ଉର୍ଧ ରହିଥିବା ସହିତ ଶହ ଶହ ସଂଖ୍ୟାରେ ବାରହା, ଭାଲୁ, କୁଟୁରା, ମୟୂର ରହିଛନ୍ତି । ଚିତା ବାଘ ୪ରୁ ୫ ଟି ରହିଥିବା ବେଳେ ସମ୍ବର ସଂଖ୍ୟା ଦିନେ ଏହି ଜଙ୍ଗଲରେ ଆଶାନୁରୂପ ରହିଥିଲେ କିନ୍ତୁ ଶିକାରୀଙ୍କ ଶିକାର ହେବା ପରେ ଏହି ସମ୍ବର ଏବେ ଦେଖିବାକୁ ସାତ ସପନ ହେଇଯାଇଛି । ଏହି ଜଙ୍ଗଲ ଅଂଚଳରେ ହାତୀଙ୍କ ପାଇଁ ବାଉଁଶ ବୁଦା, ଜଳାଶୟ, ଉତେଇ ନଦୀ, ରାହୁଳ, ବୁଢା ନଦୀ ସମେତ ଅନେକ ଛୋଟ ବଡ଼ ନାଳ(୩୦ରୁ ୪୦ ଗୋଟି) ରହିଛି, ଯୋଉଠି ବର୍ଷର ସବୁସମୟରେ ପାଣି ରହିଛି । ଏବଂ ଲୁଣି ମାଟି ଆଦି ଅନୁକୂଳ ବାତାବରଣ ରହୁଥିବାରୁ ହାତୀମାନେ ବର୍ଷର ସବୁ ସମୟ ଆରାମରେ ରହି ପାରନ୍ତି । ହାତୀଙ୍କ ପାଇଁ ଖାଇବା, ରହିବାର ସମସ୍ତ ସୁବିିଧା ଉପଲବ୍ଧ ରହିଥିବାବେଳେ କିନ୍ତୁ ସେମାନଙ୍କ ଜୀବନ ଏ ଅଂଚଳରେ ଆଦୌ ସୁରକ୍ଷିତ ରହୁନାହିଁ ।

କଳାହାଣ୍ଡିରେ କର୍ଲାପାଟ ଅଭୟାରଣ୍ୟ ରହିଥିବାବେଳେ ମ.ରାମପୁର ଅଂଚଳ ପାଇଁ ଆଉ ଏକ ଅଭୟାରଣ୍ୟ ବନ୍ୟଜନ୍ତୁଙ୍କ ସୁରକ୍ଷା ତଥା ପ୍ରକୃତିର ସୁରକ୍ଷା ଦୃଷ୍ଟିରୁ ଆବଶ୍ୟକତା ରହିଛି । ହାତୀ ଅଭୟାରଣ୍ୟ ହେଲେ ବିଟ୍ ହାଉସ, ସିସି କ୍ୟାମେରା ସହ ଅଧିକ ସଂଖ୍ୟାରେ କର୍ମଚାରୀ ନିଯୁକ୍ତ ହେବେ । ଏ ନେଇ ମ.ରାମପୁର ରେଞ୍ଜ କେଶବ ମାଝୀ ଓ ନର୍ଲା ରେଂଜ ଅଧିକାରୀ ନୃତ୍ୟରାଜ ମାଝୀ ଙ୍କ ସହ ଯୋଗାଯୋଗ କରିବାରୁ, ସମସ୍ତ ଆନୁସଙ୍ଗିକ ପରିବେଶକୁ ଦେଖିଲେ ହାତୀ ଅଭୟାରଣ୍ୟ ହେବା ନିତାନ୍ତ ଆବଶ୍ୟକ । ଏଠାରେ ହାତୀ ଅଭୟାରଣ୍ୟ କରାନଗଲେ ଆଉ କିଛି ବର୍ଷ ପରେ ବନ୍ୟ ଜନ୍ତୁ ଲୋପ ପାଇଯିବ ଏନେଇ ଜଙ୍ଗଲ ବିଭାଗ ତତ୍ପର ହେବା ଉଚିତ ବୋଲି ମତ ଦେଇଛନ୍ତି । ଏହିଠାରେ ଅଭୟାରଣ୍ୟ ନଥିବାରୁ ଏଠାରୁ ଉଦ୍ଧାର କରାଯାଉଥିବା ହାତୀ ଶାବକମାନଙ୍କୁ ନନ୍ଦନକାନନକୁ ସ୍ଥାନାନ୍ତର କରିବାକୁ ପଡ଼େ, ତେଣୁ ଏହି ଅଂଚଳବାସୀ ହାତୀ ଅଭୟାରଣ୍ୟ ପାଇଁ ଦାବୀ କରିଛନ୍ତି । 

 

ବିପଦ ସଂକୁଳ ପଥ, କିନ୍ତୁ ହାର ମାନି ନାହାନ୍ତି ସାମ୍ବାଦିକ : ଧନ୍ୟବାଦର ପାତ୍ର ପ୍ରଶାନ୍ତ – ହେମନ୍ତ ଯୋଡି

ମଇ ୬ ଖବର ଆସିଲା ଚେରେଡୁଙ୍ଗରୀରେ ଏକ ହାତୀର ଦାନ୍ତ ବିହିନ ଶବ ପଡିରହିଛି । ଖବର ପାଇ ମ.ରାମପୁର ସମ୍ବାଦ ପ୍ରତିନିଧି ପ୍ରଶାନ୍ତ ସାମନ୍ତରା ଓ ପ୍ରମେୟ ତଥା ଓଡିଆବାର୍ତ୍ତା ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁ ଘଟଣା ସ୍ଥଳରେ ପହଞ୍ଚି ମୃତ ହାତୀର ଫଟୋ ଉଠାଇଲେ । ସେହି ସମୟରେ ପଛପଟୁ ହାତୀର ଚିତ୍କାର ଶୁଭୁଥାଏ । ଏହାକୁ ଖାତିର ନକରି ନିଜ ଜୀବନକୁ ବାଜି ଲଗାଇ ସାମ୍ବାଦିକତାର ପବିତ୍ର କର୍ତ୍ତବ୍ୟ ସମାପନ କଲେ ଏହି ଦୁଇ ସାମ୍ବାଦିକ । ଏହା ପରେ ମଧ୍ୟ ସେମାନେ ଉକ୍ତ ସ୍ଥାନକୁ ଯାଇଛନ୍ତି । ପାଦେ ପାଦେ ହାତୀ ଓ ବାରହା ଭୟ କିନ୍ତୁ କର୍ତ୍ତବ୍ୟ କର୍ମ ନିଟକରେ ସବୁ ହାର ମାନିଛି । ପ୍ରଶାନ୍ତ – ହେମନ୍ତ ଯୋଡିର ସାହାସିକତା ଯୋଗୁ ହାତୀର ଖବର ସାରା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହା ପୂର୍ବରୁ ଏହି ଦୁଇ ସାମ୍ବାଦିକ ଅନେକଥର ଜଙ୍ଗଳ ଭିତରୁ ହାତୀ ପଳର ଚିତ୍ର ଉତ୍ତୋଳନ କରିଛନ୍ତି । ଉପରେ ଥିବା ହାତୀପଳର ଫିଚର୍ ଇମେଜ ବି ଏମାନଙ୍କ କ୍ୟାମେରାରେ କଏଦ ହୋଇଥିଲା । ପ୍ରଶାନ୍ତ – ହେମନ୍ତଙ୍କ ସାହାସିକତା ପାଇଁ ମ.ରାମପୁର ସମେତ ଜିଲ୍ଲାର ବିଭିନ୍ନ ମହଳରୁ ପ୍ରଶଂସା କରାଯାଇଛି ।

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Join our whatsapp group👇

http://bit.ly/odiabartagroup2

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.