ପୂର୍ବତନ ରାଜ୍ୟସଭା ସାଂସଦ ଭାସ୍କର ରାଓଙ୍କ କୋଲନରା ଓ କଲ୍ୟାଣସିଂହପୁର ବ୍ଳକ ଗସ୍ତ

ମନ୍ଦିର ପ୍ରତିଷ୍ଠା, ଠାକୁରାଣୀ ଘଂଟ ପର୍ବ ଓ କ୍ରିକେଟ୍ ଟୁର୍ଣ୍ଣାମେଂଟରେ ଯୋଗ ଦେଲେ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାର କୋଲନରା ଓ କଲ୍ୟାଣସିଂହପୁର ବ୍ଳକରେ ଆଜି ଅନୁଷ୍ଠିତ ହୋଇଥିବା ମନ୍ଦିର ପ୍ରତିଷ୍ଠା, ଠାକୁରାଣୀ ଘଂଟ ପର୍ବ ଓ କ୍ରିକେଟ୍ ଟୁର୍ଣ୍ଣାମେଂଟ ଭଳି କାର୍ଯ୍ୟକ୍ରମରେ ଜନପ୍ରିୟ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ଯୋଗ ଦେଇ ଅଂଚଳବାସୀଙ୍କୁ ଉତ୍ସାହିତ କରିଥିବା ବେଳେ ତାଙ୍କୁ ଅଂଚଳବାସୀ ପାରମ୍ପରିକ ବାଜା, ନୃତ୍ୟ, ସଂଗୀତର ତାଳେ ତାଳେ ପାଛୋଟି ନେଇଥିଲେ । ଆଜି ପୂର୍ବାହ୍ନରେ କୋଲନରା ବ୍ଳକର ଭୁଜବଳ ଗ୍ରାମରେ ଅନୁଷ୍ଠିତ ହୋଇଥିବା ଠାକୁରାଣୀ ପର୍ବ, ମୁନିସିଂ ଗ୍ରାମ ଠାରେ ଅନୁଷ୍ଠିତ ଶ୍ରୀ ଶ୍ରୀ ମା ବୁରୁଦଲାମ୍ମା ୟୁଥ୍ କ୍ରିକେଟ୍ ଟୁର୍ଣ୍ଣାମେଂଟର ଫାଇନାଲ ମ୍ୟାଚରେ ଯୋଗ ଦେଇଥିଲେ । କ୍ରିକେଟ୍ ଟୁର୍ଣ୍ଣାମେଂଟରେ ବିଜୟୀ ଦଳକୁ ୧୫ହଜାର ଟଙ୍କା ପୁରସ୍କାର ରାଶି ସହ ଟ୍ରଫି ଏବଂ ରନର୍ସ ଅପ୍ ଦଳକୁ ୧୦ହଜାର ଟଙ୍କା ସହ ଟ୍ରଫି ପୁରସ୍କାର ବିତରଣ କରି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ ।

ପରେ ସେଠାରୁ ଶ୍ରୀ ରାଓ ଖେଦାପଡା ଗ୍ରାମରେ ଅନୁଷ୍ଠିତ ଠାକୁରାଣୀ ପର୍ବରେ ଯୋଗ ଦେଇ ଗ୍ରାମବାସୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ମଧ୍ୟାହ୍ନରେ କଲ୍ୟାଣସିଂହପୁର ବ୍ଳକର ଜଗନ୍ନାଥପୁର ଠାରେ ଶ୍ରୀ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇ ଗ୍ରାମବାସୀମାନଙ୍କ ସହ ଆଲୋଚନା କରିଥିଲେ । ଅପରାହ୍ନରେ ଶ୍ରୀ ରାଓ ନାରାୟଣପୁର ଠାରେ ଥିବା ଶିବ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଶିକରପାଇରେ ଅନୁଷ୍ଠିତ ଠାକୁରାଣୀ ପର୍ବରେ ଯୋଗ ଦେଇ ପୂଜାର୍ଚ୍ଚନା ପୂର୍ବକ ମାଁଙ୍କ ଆର୍ଶିବାଦ ଲାଭ କରିଥିଲେ । ଶିକରପାଇ ଠାରେ ଥିବା ଠାକୁରାଣୀ ମନ୍ଦିରର ଉନ୍ନତୀ ପାଇଁ ସହାୟତା କରିବେ ବୋଲି ଗ୍ରାମବାସୀଙ୍କୁ ପ୍ରତିିଶୃତି ଦେଇଥିଲେ । ସେଠାରୁ ସେ କୋଲନରା ବ୍ଳକର ରେବତୀଗୁଡା ଗ୍ରାମରେ ଅନୁଷ୍ଠିତ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେଇ ରାୟଗଡା ଫେରି ଆସିଥିଲେ । ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓଙ୍କ ଏହି ଦୁଇ ବ୍ଳକ ଗସ୍ତ ସମୟରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ବିଜେଡିର ବରିଷ୍ଠ ନେତା ଚନ୍ଦ୍ରକାନ୍ତ ସାମଲ, ବି.ତିରୁପତିଙ୍କ ସମେତ ଅନ୍ୟ କର୍ମୀମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.