ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ବାଲେଶ୍ୱର ସ୍ଥିତ ଓଡିଶା ଲଳିତକଳା ଏକାଡେମୀର ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ “ଦୃଷ୍ଟିବିସ୍ତାର ୭ x ୧” ନାମକ ୭ଜଣ ଚିତ୍ରଶିଳ୍ପୀ ମାନଙ୍କ ଦ୍ୱାରା ମିଳିତ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି I ଏହି ପ୍ରଦର୍ଶନୀକୁ ବାଲେଶ୍ୱର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ, ବାଲେଶ୍ୱର ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧକ୍ଷ ନିକୁଞ୍ଜ ବିହାରୀ ଦାସ ଏବଂ ଜିଲ୍ଲା ସଂସ୍କୃତି ଅଧିକାରୀ ମନସ୍ବିନୀ ରାଉତ ଉଦଘାଟନ କରିଛନ୍ତି I
ଏହି ପ୍ରଦର୍ଶନୀର ପ୍ରତିଭାଗୀ ଚିତ୍ରଶିଳ୍ପୀମାନେ ହେଲେ ଆକାଶ ଶ୍ରୀଚନ୍ଦନ ରାମ, ଅର୍ଚନା ଜେନା, ଆର୍ଯ୍ୟପ୍ରଜ୍ଞା ବାସବଦତ୍ତା, ମାନସ ଦାସ, ମନୋଜ ଷଣ୍ଢ, ପ୍ରଦୀପ୍ତ କିଶୋର ଦାସ ଓ ରଘୁନାଥ ଜେନା । ସମସ୍ତ ୭ଜଣ ଚିତ୍ରଶିଳ୍ପୀ ଉତ୍ତର ଓଡିଶାର କେନ୍ଦ୍ର ବାଲେଶ୍ୱର ସହିତ ପ୍ରତକ୍ଷ୍ୟ ବା ପରୋକ୍ଷରେ ଜଡିତ I ଏମାନଙ୍କ ମଧ୍ୟରୁ ଅଧିକାଂଶ ଶିଳ୍ପୀ ଓଡିଶା ବାହାରେ ପ୍ରତିଷ୍ଠିତ I ବାଲେଶ୍ୱରର ସମସାମୟିକ କଳା ଓ ସଂସ୍କୃତିକୁ ନୂତନ ଦିଗଦର୍ଶନ ଦେବା ଓ ଶିଳ୍ପୀ ମାନେ ନିଜ ନିଜର ସୃଜନାତ୍ମକ କଳାକୁ ବାଲେଶ୍ୱର ବାସୀଙ୍କ ନିକଟରେ ପ୍ରଦର୍ଶିତ କରିବା ଏହି ପ୍ରଦର୍ଶନୀର ଲକ୍ଷ୍ୟ I ଏହି ପ୍ରଦର୍ଶନୀ ଟି ଏକ ମିଳିତ ପ୍ରଦର୍ଶନୀ ହେଲେ ମଧ୍ୟ ସମସ୍ତଙ୍କର ସ୍ୱତନ୍ତ୍ରତା ବେଶ ବାରିହେଇ ପଡୁଛି I
ଏହି ପ୍ରଦର୍ଶନୀକୁ ଆର୍ଟ ଗେଲେରୀର ପରିଚାଳନା ଦାୟିତ୍ୱରେ ଥିବା ଚିତ୍ରଶିଳ୍ପୀ ମରୁତ କୁମାର ରାଉତ ପୁର୍ଣ୍ଣ ସହଯୋଗ କରିଥିଲେ I ଉଦଘାଟନି ଉତ୍ସବରେ ବହୁ ବିଜ୍ଞ ବ୍ୟକ୍ତି, କଳାକାର, କଳା ପ୍ରଶଂସକ, ସୃଜନଶୀଳରେ ରୁଚି ରଖୁଥିବା ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ I ସେମାଙ୍କ ମଧ୍ୟରେ ଡ଼ଃ ଶିରୀଶ ଚନ୍ଦ୍ର ଜେନା, ଦୈତାରୀ ବେହେରା, ଆଲ୍ଫାସରିତା ଦାସ, ଦେବାଶିଷ ପତି, ଲିପ୍ସିତା ଖଟୁଆ, ବ୍ରଜ ସରଙ୍ଗୀ, ଅଲେଖ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ I ପ୍ରଦର୍ଶନୀ ଜୁନ ୨ ତାରିଖରୁ ଆରମ୍ଭ ହୋଇ ଜୁନ ୮ ତାରିଖ ପର୍ଯନ୍ତ, ସକାଳ ୧୧ଟା ରୁ ସନ୍ଧ୍ୟା ୭ ଘଣ୍ଟା ପର୍ଯନ୍ତ ଖୋଲା ରହିବ I
ଏହି ପ୍ରଦର୍ଶନୀର କଳାକୃତି ଦେଖିଲେ ମନେହୁଏ ଏହା ସମ୍ପୂର୍ଣ ଓ ସ୍ୱତନ୍ତ୍ର ଅଟେ I ସମସ୍ତ ଶିଳ୍ପୀ ମାନଙ୍କର କ୍ୟାନଭାସ ଉପରେ ପରିପ୍ରକାଶ କରିବାର ଶୈଳୀ ସ୍ୱତନ୍ତ୍ର ଓ ଉଚକୋଟିର ଅଟେ I ସମସ୍ତେ ସମସାମୟିକ ସମାଜରେ ଆମ ଚାରିପାଖରେ ନୀତିଦିନ ଘଟୁଥିବା ଘଟଣାକୁ ବେଶ ସୁନ୍ଦର ଭାବରେ ଚିତ୍ରିତ କରିବାରେ ସମର୍ଥ ହୋଇପାରିଛନ୍ତି I
ଆକାଶ ଶ୍ରୀଚନ୍ଦନ ପ୍ରକୃତିର ରୁପକୁ ଅତି ନିଖୁଣତାର ସହିତ ରଙ୍ଗକୁ ସ୍ୱତନ୍ତ୍ର ଶୈଳୀରେ ପ୍ରୟୋଗ କରିଥିବା ବେଳେ ଅନ୍ୟତମ ନାରୀଚିତ୍ର ଶିଳ୍ପୀ ଅର୍ଚ୍ଚନା ଜେନା ନାରୀ ଭିତରେ କଳା ଓ ସଂସ୍କୃତିକୁ ପତିଫଳିତ କରିଛନ୍ତି I ଆର୍ଯ୍ୟପ୍ରଜ୍ଞା ବାସବଦତ୍ତା ସାମ୍ପ୍ରତିକ ସମାଜ ରେ ନାରୀର ମନସ୍ତତ୍ଵ କୁ ୱାସ ଟ୍ୱେଚନିକ ରେ ଜଳରଙ୍ଗକୁ ପ୍ରୟୋଗ କରି ଛବିକୁ ଚିତ୍ରିତ କରିଛନ୍ତି I ମାନସ ଦାସ ଜଣେ ସ୍ୱତନ୍ତ୍ର ଶିଳ୍ପୀ ହୋଇଥିଲେ ମଧ୍ୟ ତାଙ୍କର କ୍ୟାନଭାସ ଉପରେ ସମାଜ ର ବିଭିନ୍ନ ଘଟଣାକୁ ପତିଫଳିତକରିବାରେ ବେଶ ସଫଳ ହୋଇପାରିଛନ୍ତି I ମନୋଜ କୁମାର ଷଣ୍ଢ ବର୍ତମାନ ସମୟରେ ପ୍ରତିଟି ମଣିଷ ଓ ଜୀବଜନ୍ତୁ କିଭଳି ମୋବାଇଲ ଟାୱାର ର ବିପଦଜନକ ରେ ଦ୍ୱାରା କବଳିତ ଅତି ସୁନ୍ଦର ଭାବେ ପ୍ରଦର୍ଶିତ କରିଛନ୍ତି I ପ୍ରଦୀପ୍ତ କିଶୋରେ ଦାସ ନିଜର ସ୍ୱତନ୍ତ ଶୈଳୀରେ ସମାଜର ସମସ୍ୟାକୁ ଦର୍ଶାଇବା ସହିତ ଗାନ୍ଧିଜୀଙ୍କ ଅହିଂଶା ନୀତି, ପ୍ରାଣୀଜଗତ ପାଇଁ ବାୟୁର ଭୁମିକାକୁ ଅତିବାସ୍ତବବାଦ କନସେପ୍ଟରେ ଚିତ୍ରିତ କରିଛନ୍ତି I ରଘୁନାଥ ଜେନା ନିଜ ଚିତ୍ରରେ ଶିଶୁ ମନସ୍ତତ୍ଵ ଉପରେ ସୁନ୍ଦର ରଙ୍ଗ ଓ ରେଖା ର ପରିପ୍ରକାଶ କରିବାରେ ସମର୍ଥ ହୋଇଛନ୍ତି I ଏହି ସ୍ୱତନ୍ତ୍ର ଚିତ୍ରକଳା ପ୍ରଦର୍ଶନୀକୁ ବାଲେଶ୍ୱରବାସୀ, କଳା ଛାତ୍ର ଛାତ୍ରୀ ଓ ସୃଜନଶୀଳ ବ୍ୟକ୍ତି ମାନେ ପରିଦର୍ଶନ କରିବା ପାଇଁ ପ୍ରତିଭାଗୀ କଳାକାର ମାନଙ୍କ ତରଫରୁ ଅନୁରୋଧ କରାଯାଇଛି ।