ଟ୍ରେନ୍ ଦୁର୍ଘଟଣାରେ ମୃତାହତ ପରିବାରର ପିଲାଙ୍କ ଶିକ୍ଷା ଦାୟିତ୍ୱ ବହନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ଏଆଇଏସ୍‌ଏଫ୍‌ ର ଦାବି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (ନିଲେଶ କୁମାର ନାଗ): ବାହାନଗାଠାରେ ଘଟିଥିବା ଭୟାବହ ରେଳ ଦୁର୍ଘଟଣାରେ ପୀଡ଼ିତ ଯାତ୍ରୀଙ୍କ ପରିବାରର ଛାତ୍ରଛାତ୍ରୀଙ୍କ ଶିକ୍ଷାର ସମ୍ପୂର୍ଣ୍ଣ ଦାୟିତ୍ୱ କେନ୍ଦ୍ର ଶିକ୍ଷା ବିଭାଗ ବହନ କରିବା ପାଇଁ ଅଖିଳ ଭାରତ ଛାତ୍ରସଂଘ ପକ୍ଷରୁ ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ନିକଟରେ ଦାବି କରାଯାଇଛି । ଅତ୍ୟାଧୁନିକ ଜ୍ଞାନ କୌଶଳ, ଡିଜିଟାଲ୍ ଇଣ୍ଡିଆ ଓ ବୁଲେଟ୍ ଟ୍ରେନ୍ ପ୍ରଚାର ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବହାନଗାଠାରେ ଘଟିଥିବା ଦୁର୍ଘଟଣାଟି ରେଳ ମନ୍ତ୍ରଣାଳୟର ବାସ୍ତବ କାର୍ଯ୍ୟର ମୁଖା ଖୋଲିଦେଇଛି । ରେଳ ବିଭାଗର ଆଖିବୁଜା ଘରୋଇକରଣ, ସ୍ଥାୟୀ ପଦବୀ ଉଚ୍ଛେଦ କରି ସ୍ୱଳ୍ପ ବେତନରେ ଆଉଟ୍ ସୋର୍ସିଂ କର୍ମଚାରୀଙ୍କ କାନ୍ଧରେ ଅତ୍ୟଧିକ କାର୍ଯ୍ୟଭାର, ଲକ୍ଷାଧିକ ପଦବୀ ଖାଲି ପଡ଼ିବା ଓ ରେଳ ଲାଇନ୍‌ର ଆବଶ୍ୟକୀୟ ମରାମତି ନ କରି ଅତ୍ୟଧିକ ଖଣିଜ ପଦାର୍ଥ ପରିବହନ କରାଯିବା ଫଳରେ କ୍ରମାଗତ ଭାବେ ରେଳ ଦୁର୍ଘଟଣା ବଢ଼ି ଚାଲିଛି । ବାହାନଗା ରେଳ ଦୁର୍ଘଟଣା ସମ୍ପୂର୍ଣ୍ଣ ମନୁଷ୍ୟକୃତ । ତେଣୁ ଏହାର ନୈତିକ ଦାୟିତ୍ୱ ବହନ କରି ରେଳମନ୍ତ୍ରୀ ଅବିଳମ୍ବେ ଇସ୍ତଫା ପ୍ରଦାନ କରିବା ଉଚିତ ବୋଲି ଏ.ଆଇ.ଏସ୍‌.ଏଫ୍‌. ପକ୍ଷରୁ କୁହାଯାଇଛି । ରେଳ ଦୁର୍ଘଟଣା ନିୟନ୍ତ୍ରଣ ପାଇଁ ‘ରେଳ କବଚ’ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ସମସ୍ତ ରେଳ ଇଞ୍ଜିନ୍‌ରେ ସଂଯୋଗ, ମାଲ ପରିବହନ ଓ ଯାତ୍ରୀ ପରିବହନ ପାଇଁ ପୃଥକ ରେଳ ଲାଇନ୍ ଏବଂ ଯାତ୍ରୀବାହୀ ଟ୍ରେନ୍‌ଗୁଡ଼ିକରେ ଆବଶ୍ୟକତାକୁ ଲକ୍ଷ୍ୟକରି ଜେନେରାଲ କୋଚ୍ ସଂଖ୍ୟା ବୃଦ୍ଧି କରିବାକୁ ଏ.ଆଇ.ଏସ୍‌.ଏଫ୍‌. ରାଜ୍ୟ ପରିଷଦ ପକ୍ଷରୁ ଦାବି କରାଯାଇଛି । ଆଗାମୀ ସଂସଦୀୟ ଅଧିବେଶନ ସୁଦ୍ଧା ଉପରୋକ୍ତ ବ୍ୟବସ୍ଥା ସୁନିଶ୍ଚିତ ନ କଲେ ବ୍ୟାପକ ଛାତ୍ର ଆନ୍ଦୋଳନ ପାଇଁ ସରକାର ଦାୟୀ ରହିବେ ବୋଲି ଛାତ୍ର ସଂଘର ରାଜ୍ୟ ସଭାପତି ସଙ୍ଘମିତ୍ରା ଜେନା ଚେତାବନୀ ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.