ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦାବୀ ପୂରଣ ନ ହେଲେ ଏସିଆନ ଗେମ୍ସ ବୟକଟ କରିବୁ ବୋଲି ଭାରତୀୟ କୁସ୍ତି ସଂଘର ପୂର୍ବତନ ସଭାପତି ବ୍ରିଜଭୂଷଣ ଶରଣ ସିଂଙ୍କ ବିପକ୍ଷରେ ଆନ୍ଦୋଳନକୁ ଓହ୍ଲାଇଥିବା ରେସଲରମାନେ କହିଛନ୍ତି । ଅଲିମ୍ପିକ୍ସ ପଦକ ବିଜେତା ସାକ୍ଷୀ ମଲିକ କହିଛନ୍ତି ଆମ ଦାବୀ ଓ ସମସ୍ୟାର ସମାଧାନ ହେବା ପରେ ଏସିଆନ ଗେମ୍ସରେ ଭାଗ ନେବୁ । ଦାବୀ ପୂରଣ ନ ହେଲେ ଏଥିରୁ ବୟକଟ କରିବୁ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି । ସୋନପତରେ ଖାପ ନେତାଙ୍କ ମହାପଂଚାୟତରେ ରେସଲରମାନେ ଯୋଗ ଦେଇଥିଲେ । ସାକ୍ଷୀ, ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟ ଏକତ୍ର ହୋଇ ରହିବେ । ଆମକୁ କେହି ଅଲଗା କରିପାରିବେ ନାହିଁ ବୋଲି ସାକ୍ଷୀ କହିଛନ୍ତି । ସୂଚନାଯୋଗ୍ୟ, କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର ବ୍ରିଜ ଭୂଷଣଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ୧୫ ଜୁନ ସୁଦ୍ଧା ଶେଷ ହେବ । ୩୦ ସୁଦ୍ଧା ନୂତନ ସଭାପତି ମିଳିବେ ବୋଲି ସେ କହିଛନ୍ତି । କ୍ରୀଡାମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ରେସଲରମାନେ ଆନ୍ଦୋଳନକୁ ବନ୍ଦ ରଖିଛନ୍ତି । ଆନ୍ଦୋଳନରୁ ଓହରିଯିବା ପାଇଁ ଆମ ଉପରେ ଚାପ ପକାଯାଉଛି ବୋଲି ରେସଲରମାନେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ନାବାଳିକା ରେସଲର ଦୁଷ୍କର୍ମ ମାମଲାରେ ଅଭିଯୋଗକାରୀଙ୍କ ୟୁ ଟର୍ଣ୍ଣ ପରେ ବ୍ରିଜଭୂଷଣ କିଛି ମାତ୍ରାରେ ଆଶ୍ୱସ୍ତ ହୋଇଛନ୍ତି ।