ଚୈତନ୍ୟ ଚରିତାମୃତରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା 

ଚୈତନ୍ୟ ଚରିତାମୃତ ଗ୍ରନ୍ଥର ରଚୟିତା କବିରାଜ କୃଷ୍ଣ ଦାସ ଉକ୍ତ ଗ୍ରନ୍ଥରେ ଶ୍ରୀକ୍ଷେତ୍ରରେ ପାଳିତ ରଥଯାତ୍ରାର ଯେଉଁ ବିବରଣ ପ୍ରଦାନ କରିଛନ୍ତି, ତାହା ଦୀର୍ଘ ପାଞ୍ଚ ଶହ ବର୍ଷ ପୂର୍ବର ଅଟେ । ସେ ଚୈତନ୍ୟଙ୍କ ଶିଷ୍ୟ ରଘୁନାଥ ଦାସ ଗୋସ୍ୱାମୀଙ୍କ ଶିଷ୍ୟ ଥିଲେ । ଚୈତନ୍ୟ ଚରିତାମୃତ ଗ୍ରନ୍ଥରୁ ଜଣାଯାଏ, ଶ୍ରୀଚୈତନ୍ୟ ତାଙ୍କ ପାର୍ଷଦମାନଙ୍କ ସହିତ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ମାର୍ଜନା କରୁଥିଲେ । ସେମାନେ ଛୋଟ ବଡ଼ ମନ୍ଦିର ମାର୍ଜନା ଓ ଶୋଧନ ତଥା ଶେଷରେ ଜଗମୋହନ ପରିଷ୍କାର କରୁଥିଲେ ।

ଗୁଣ୍ଡିଚା ମନ୍ଦିରରେ ଗେଲ କରିତେ ମାର୍ଜନା ।
ପ୍ରଥମେ ମାର୍ଜନୀ ଲୱା କରିଲ ଶୋଧନ ।

ଛୋଟ ବଡ଼ ମନ୍ଦିର କୈଲ ମାର୍ଜନା ଶୋଧନ।
ପାଛେ ତୈଛେ ଶୋଧିଲ ଶ୍ରୀଜଗମୋହନ ।

ପୁନଶ୍ଚ ଉକ୍ତ ଗ୍ରନ୍ଥରେ ହୋଇଥିବା ବର୍ଣ୍ଣନା ଅନୁଯାୟୀ, ସେ ସମୟରେ ରଥର ସାଜସଜ୍ଜା ଉତ୍ତମମାନର ଥିଲା । ଏହା ଦର୍ଶନ କରି ସମସ୍ତେ ବିସ୍ମୟ ପ୍ରକାଶ କରୁଥିଲେ । ରଥ ସଦ୍ୟ ସୁବର୍ଣ୍ଣ ଛାଉଣୀ ହେବା ଭଳି ପ୍ରତୀୟମାନ ହେଉଥିଲା ଓ ଏହା ସୁମେରୁ ପର୍ବତ ସଦୃଶ ଅତି ଉଚ୍ଚ ଥିଲା । ରଥଗୁଡିକ ଉଜ୍ଜ୍ୱଳ ଦର୍ପଣ ଓ ଶହ ଶହ ଚାମରଦ୍ୱାରା ସଜ୍ଜିତ ହେଉଥିଲା । ରଥ ଉପରେ ସୁନ୍ଦର ଚାନ୍ଦୁଆ ଟଣା ହେଉଥିଲା ଏବଂ ଅଗ୍ର ଭାଗରେ ଅତି ସୁନ୍ଦର ପତକା ଶୋଭା ପାଉଥିଲା । ରଥଗୁଡିକ ମଧ୍ୟ ପାଟବସ୍ତ୍ର ଏବଂ ନାନା ପ୍ରକାର ଚିତ୍ରଦ୍ୱାରା ସୁଜ୍ଜିତ ହେଉଥିଲା । ଘଣ୍ଟା, ଘଣ୍ଟି, କିଙ୍କିଣୀ ପ୍ରଭୃତି ବିବିଧ ବାଦ୍ୟ ମଧ୍ୟ ବାଜୁଥିଲା । ସେତେବେଳେ ଠାକୁରମାନଙ୍କ ପହଣ୍ଡି ଦଇତାମାନଙ୍କଦ୍ୱାରା ହେଉଥିଲା ।

ଶ୍ରୀଜଗନ୍ନାଥଙ୍କ ବାହକ ଦଇତାମାନେ ମତ୍ତହସ୍ତୀ ତୁଲ୍ୟ ଶକ୍ତିଶାଳୀ ଥିଲେ । ପହଣ୍ଡି ସମୟରେ ପହଣ୍ଡି ସ୍ଥାନଠାରୁ ରଥ ପର୍ଯ୍ୟନ୍ତ ତୁଳା ନିର୍ମିତ ଉଚ୍ଚାଗଦି ବା ତୁଳୀ ବିଛାଇ ଦିଆଯାଉଥିଲା ଏବଂ ଦଇତାମାନେ ଶ୍ରୀଜଗନ୍ନାଥଙ୍କୁ ଗୋଟିଏ ଗଦିରୁ ଅନ୍ୟ ଏକ ଗଦିକୁ ବହନ କରି ନେଇଯାଉଥିଲେ, ଏହି ସମୟରେ କେତେକ ତୁଳା ଖଣ୍ଡ ଖଣ୍ଡ ହୋଇ ଛିଡି଼ ଯାଉଥିଲା ଏବଂ ତୁଳା ସବୁ ଆକାଶରେ ଉଡୁଥିଲା ଓ ଗଦି ଫାଟିବା ସମୟରେ ପ୍ରଚଣ୍ଡ ଶବ୍ଦ ସୃଷ୍ଟି ହେଉଥିଲା ।

ଉଚ୍ଚ ଦୃଢ଼ ତୁଲୀ ସବ ପାତି ସ୍ଥାନେ ସ୍ଥାନେ ।
ଏକ ତୁଲୀ ହୈତେ ତ୍ୱରାୟ ଆର ତୁଲୀତେ ଆନେ ।
ପ୍ରଭୁ ପଦାଘାତେ ତୁଲୀ ହୟ ଖଣ୍ଡ ଖଣ୍ଡ ।
ତୁଲୀ ସବ ଉଡି଼ ଯାୟ ଶବ୍ଦ ହୟ ପ୍ରଚଣ୍ଡ ।

ବର୍ତ୍ତମାନ ଗଜପତି ମହାରାଜ ରଥ ଉପରେ ଛେରାପହଁରା କଲା ପରି ସେତେବେଳେ ହେଉନଥିଲା । ରାଜା ରଥ ତଳେ ପଥରେ ଛେରା ପହଁରା କରୁଥିଲେ । ପ୍ରତାପରୁଦ୍ର ଦେବ ନିଜେ ସୁନା ଛାଉଣୀଦ୍ୱାରା ପଥ ପରିଷ୍କାର କରୁଥିଲେ, ରାଜା ପଥ ମଧ୍ୟରେ ସୁଗନ୍ଧି ଚନ୍ଦନ ଜଳ ସିଞ୍ଚନ କରୁଥିଲେ । ସେ ସମୟରେ ରଥଟଣାରେ ଗୌଡ଼ ନାମକ ସମ୍ପ୍ରଦାୟ ନିଯୁକ୍ତ ହେଉଥିଲେ । ତାଙ୍କ ସହିତ ହସ୍ତୀମାନଙ୍କୁ ମଧ୍ୟ ରଥଟଣା କାର୍ଯ୍ୟରେ ଲଗାଯାଉଥିଲା । ଶ୍ରୀଚୈତନ୍ୟ ସେତେବେଳେ ରଥ ଆଗରେ ଭାବ ବିହ୍ୱଳିତ ନୃତ୍ୟ ଓ ସଂକୀର୍ତ୍ତନ କରୁଥିଲେ । ଶ୍ରୀଚୈତନ୍ୟ ଏକ ସଙ୍ଗେ ସାତଟି ଦଳରେ ନୃତ୍ୟ କରୁଥିଲେ । ତତ୍କାଳୀନ ସମୟରେ ବଳଗଣ୍ଡିଠାରେ ରଥ ଦୀର୍ଘ ସମୟ ରହିବାର ପ୍ରଥା ଥିଲା । ସେହି ସ୍ଥାନରେ ଜଗନ୍ନାଥଙ୍କ ନିକଟରେ ବିପୁଳ ପରିମାଣର ଭୋଗ ଲାଗିବାର ନିୟମ ବା ଚଳଣି ମଧ୍ୟ ଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.