ଲୁଟେରାଙ୍କ ଟାର୍ଗେଟରେ ଏବେ ଟମାଟୋ, ମହିଳାଙ୍କୁ ପିଟି ଲୁଟି ନେଲେ ୪କିଲୋ ଟମାଟୋ

ଓଡ଼ିଆ ବାର୍ତ୍ତା/ ପ୍ରୟାଗରାଜ: ବଜାରରେ ପରିବା ଦରରେ ନିଆଁ ଲାଗିବା ପରେ ଏବେ ଲୁଟେରାଙ୍କ ଟାର୍ଗେଟକୁ ଆସିଛି ଟମାଟୋ। ଉତ୍ତରପ୍ରଦେଶର ପ୍ରୟାଗରାଜରେ ଟମାଟୋ ଲୁଟର ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ ପ୍ରୟାଗରାଜର ଝାନସି ଥାନା କୁସମିପୁର ଗାଁରେ ଗତ ଦୁଇ ଦିନ ତଳେ ଜଣେ ମହିଳା ଦୋକାନୀ ସନ୍ତୋଷ ଦେବୀଙ୍କ ଦୋକାନକୁ ତାଙ୍କ ଗାଁର ଜଣେ ଯୁବକ ଟମାଟୋ କିଣିବାକୁ ଆସିଥିଲେ। ଟମାଟୋ କିଲୋ ୧୨୦ ଟଙ୍କା ଥିବା ବେଳେ ଯୁବକ ଜଣକ କିଲୋ ପ୍ରତି ୧୦ ଟଙ୍କା ନେବାକୁ ସନ୍ତୋଷ ଦେବୀଙ୍କୁ ବାଧ୍ୟ କରିଥିଲେ। କିନ୍ତୁ ଦୋକାନୀ ୧୦ ଟଙ୍କାରେ ଟମାଟୋ ଦେବାକୁ ମନା କରିଦେଇଥିଲେ। ଏଥିରେ ଉତ୍ତକ୍ଷିପ୍ତ ହୋଇ ଯୁବକ ଜଣକ ସନ୍ତୋଷ ଦେବୀଙ୍କୁ ଗାଳିଗୁଲଜ କରି ସେଠାରୁ ଚାଲିଯାଇଥିଲେ। କିଛି ସମୟ ପରେ ଯୁବକ ଜଣକ ପୁଣି ଫେରିକୁ ଆସିଥିଲେ । କିନ୍ତୁ ସେତେବେଳେ ସେ ତାଙ୍କ ସାଙ୍ଗରେ ଅନ୍ୟ କିଛି ବ୍ୟକ୍ତିଙ୍କୁ ନେଇକି ଆସିଥିଲେ । ଅଭିଯୁକ୍ତ ଯୁବକଙ୍କ ସହ ଅନ୍ୟ ଦୁର୍ବୁତ୍ତ ମାନେ ମିଶି ସନ୍ତୋଷ ଦେବୀଙ୍କୁ ମାଡ଼ ମାରିବା ସହିତ ୪ କିଲୋ ଟମାଟୋ ଲୁଟି ନେଇଥିଲେ । ତେବେ ଘଟଣାର ପରଦିନ ଯୁବକ ଜଣକ ପୁଣି ଫେରି ମହିଳାଙ୍କୁ ଥାନାରେ ଅଭିଯୋଗ ନକରିବାକୁ ଧମକ ଦେଇଥିଲେ। କିନ୍ତୁ ମହିଳା ଜଣଙ୍କ ଧମକକୁ ନ ଡ଼ରି ପୋଲିସ ପାଖରେ ଅଭିଯୋଗ କରିଥିଲେ । ପରେ ଅଭିଯୋଗ ଆଧାରରେ ପୋଲିସ ଯୁବକଙ୍କୁ ଅଟକ ରଖିଛି। ତେବେ ଏପର୍ଯ୍ୟନ୍ତ ଏହି ମାମଲାରେ କୌଣସି ଏତଲା ଦାଏର ହୋଇନାହିଁ। ଟମାଟୋ ଲୁଟର ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.