ଉତ୍ତମ ବର୍ଷା କାମନା କରି ଧରଣୀ ପୀଠରେ ଉପାସନା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଗତ କିଛି ଦିନ ତଳେ ସାରା ଓଡ଼ଶା  ଓ କଳାହାଣ୍ଡି ବିଭିନ୍ନ ସ୍ଥାନରେ ଯଥେଷ୍ଟ ପରିମାଣରେ ବର୍ଷା ହୋଇଥିବା ବେଳେ କୋକସରା ବ୍ଲକର ବଡପୋଡାଗୁଡା ଅଞ୍ଚଳ ଏଥିରୁ ବାଦ ପଡିଛି। ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ପଛେଇ ଯାଇଛି ଚାଷ କାର୍ଯ୍ୟ, ତେଣୁ ବର୍ଷାର ଆଗମନ ପାଇଁ କୋକସରା ବ୍ଲକ ବଡ଼ପୋଡାଗୁଡା ଅଞ୍ଚଳର ଚାଷୀମାନେ  ତଲାଗାଁ ମାଟି ଦେବତା ଠାରେ ବର୍ଷା ଆଗମନ ପାଇଁ ଧରଣୀ ପୀଠରେ ଉପାସନା କରିଛନ୍ତି। କୋକସରା ବ୍ଲକର ବଡ଼ପୋଡ଼ାଗୁଡା ପଞ୍ଚାୟତ ମରୁଡ଼ି ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା। ଏହି ଅଞ୍ଚଳରେ ଜଳ ସେଚନର କୌଣସି ସୁବିଧା ନାହିଁ। ବର୍ଷା ଜଳ ଉପରେ ନିର୍ଭର କରନ୍ତି ଚାଷୀକୁଳ , ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଏହି ଅଞ୍ଚଳରେ ୨୦ ପ୍ରତିଶତ ଚାଷ କାମ ଆଗେଇ ପାରିନାହିଁ। ଏଭଳି ସ୍ଥିତିରେ ଚାଷୀ ମୋଟର ପାଇପ୍ ଭରସାରେ ରହିଥିବାବେଳେ ଅନେକ ଚାଷୀ କୌଣସି ଉପାୟ ନପାଇ ବର୍ଷା ଜଳକୁ ଚାହିଁ ରହିଥିଲେ। ଗତ ଚାରି ଦିନ ଧରି ଲଘୁଚାପ ଜନିତ ବର୍ଷା ହୋଇଥିବାବେଳେ ଅଧା ଓଡ଼ିଶା ଭିଜିଲାଣି, କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏହି ମୌସୁମୀ ବର୍ଷା ଭଲ ହୋଇଥିବାବେଳେ କେତେକ ଅଞ୍ଚଳରେ ଘରେ ଘରେ ପାଣି ପସି ଉବୁଟୁବୁ ହେଉଥିବା ଚିତ୍ର ସାମ୍ନାକୁ ଆସିଥିଲା। ହେଲେ ଏହି ଲଘୁଚାପ ଜନିତ ବର୍ଷା କୋକସରା ବ୍ଲକରେ ବ୍ୟତିକ୍ରମ ଦେଖାଦେଇଛି। ଏହି ବର୍ଷାକୁ ବଡ଼ପୋଡ଼ାଗୁଡ଼ା ଅଞ୍ଚଳର ଚାଷୀ ଭରସା କରିଥିବାବେଳେ ଟିପ୍ ଟାପ୍ ବର୍ଷା ହୋଇ ଉଭାନ ହୋଇଯାଇଛି। ଏପଟେ ବର୍ଷା ପାଇଁ ଚାଷୀର ଚିନ୍ତା ବଢ଼ିଥିବାବେଳେ ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳର ଲୋକେ ଦେବାଦେବୀ ମାନଙ୍କ ଉପରେ ପ୍ରଗାଢ଼ ବିଶ୍ବାସ କରନ୍ତି। ତେଣୁ ବଡ଼ପୋଡ଼ାଗୁଡ଼ା ଅଞ୍ଚଳର ୧୨ ଖଣ୍ଡ ଗ୍ରାମର ଚାଷୀମାନେ ଏକତ୍ରିତ ହୋଇ ଶୁକ୍ରବାର ତଲାଗାଁ ମାଟି ଦେବତା ପାଖରେ ପାଟ ଫିକା (ଆସନ ପକାଇବା) ଧରଣୀ ଉପାସନା କରିଛନ୍ତି। ଏଥିପାଇଁ ଗ୍ରାମର ସମସ୍ତ ଦେବଦେବୀ ମାନଙ୍କୁ ନିମନ୍ତ୍ରଣ ଦିଆ ଯାଇଥିଲା, ସମସ୍ତ ଦେବଦେବୀ ଏକତ୍ରିତ ହେବାପରେ ସକାଳୁ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହା ପରେ ଅପରାହ୍ନରେ ଦେବ କାର୍ଯ୍ୟ ଆରମ୍ଭ ହେଇଥିଲା। ଆରଧ୍ୟ ଦେବତା ବାଆଦୀ ଠାକୁରଙ୍କ ସହିତ ଧରଣୀଦବୀ, କଳାକଅଁର, ଭଣ୍ଡାରଘରଣୀ, ମାଉଳୀ ଓ ଗ୍ରାମର ସମସ୍ତ ଦେବାଦେବୀଙ୍କୁ ପୂଜା କରିବାପରେ ଧରଣୀ ପୀଠରେ ଦେବୀଙ୍କ ଶିରା ଦେହରେ କାଳିଶୀ ଚଢିଥିଲା। ଏହା ପରେ ଉପସ୍ଥିତ ପୁଝାରୀ ଓ ଚାଷୀମାନେ ବର୍ଷା କାହିଁକି ଆସି ଉଭାନ ହୋଇଯାଇଛି, ବର୍ଷା ଅଭିମାନ କରିଛି କି ବୋଲି ପଚାରି ଥିଲେ। ଏହି ଧରଣୀ ପୂଜା ଆଜି ଠାରୁ ତିନି ଦିନ ଜାରି ରହିବା ନେଇ ସୂଚନା ରହିଛି। ପୁଝାରୀ ବଳଭଦ୍ର ପୁଝାରୀ, ଦେବ ପୁଝାରୀ, ଗୋବର୍ଦ୍ଧନ ପୁଝାରୀ, ଅଭି ପୁଝାରୀ, ଶିରା ସପୁର ସିଂ ନାଗ, ଚନ୍ଦ୍ର ଭାଟି ପ୍ରମୁଖ ପୂଜା କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଧର୍ମାନନ୍ଦ ନାଏକ, ଜଗଦୀଶ ନାଏକ, ରୁତୁରାଜ ରାଉତ, ନାଏବ ସରପଞ୍ଚ ବିଡୁ ନାଏକ, ଶଙ୍କର ବାଗ, କୃତ୍ତି ମାଝୀ ସମେତ ବଡପୋଡାଗୁଡା ଅଞ୍ଚଳର ଅନେକ ଚାଷୀ ଏଥିରେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.