ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଓଡ଼ିଆ ବାର୍ତ୍ତାର ଷଷ୍ଠ ସ୍ଵନକ୍ଷତ୍ର ସମାରୋହ ଅବସରରେ ସମ୍ବର୍ଦ୍ଧିତ ହୋଇଛନ୍ତି କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ। ଜଣେ ଉଦୀୟମାନ ରାଜନେତା ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ଧର୍ମଗଡ଼ ନିର୍ବାଚନ ମଣ୍ଡଳୀର ଏକ ଚର୍ଚ୍ଚିତ ଚେହେରା। ସେ ଓ ତାଙ୍କ ଧର୍ମପତ୍ନୀ କୋକସରା ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ସଦା ଚେଷ୍ଟିତ। ରାଜୀବ ଅଗ୍ରୱାଲ ନିରନ୍ତର ସାଧାରଣ ଜନତାଙ୍କ ସେବା କରି ଚାଲିଥିବାରୁ, ତାଙ୍କର ଏହି ସେବା ମନୋବୃତ୍ତିକୁ ସମ୍ମାନ ଜଣାଇ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡ ସ୍ଥିତ ଅଗ୍ରସେନ ଭବନ ଠାରେ ଓଡ଼ିଆ ବାର୍ତ୍ତାର ଷଷ୍ଠ ସ୍ଵନକ୍ଷତ୍ର ଉତ୍ସବ ସଂପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି, ମୁଖ୍ୟ ବକ୍ତା ଭାବେ କଳାହାଣ୍ଡି ସାମ୍ବାଦିକ ୟୁନିଅନ (ଓୟୁଜେ) ସଭାପତି କମ୍ବୁପାଣି ମିଶ୍ର, ସମ୍ମାନିତ ଅତିଥି ଭାବେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ, ଓଡ଼ିଆ ବାର୍ତ୍ତାର ପରିଚାଳନା ନିର୍ଦ୍ଦେଶକ ସୁନୀଲ କୁମାର ଅଗ୍ରୱାଲ, ପ୍ରସାର ପରିଚାଳକ ରଜତ ବଂଶଲ ପ୍ରମୁଖ ମଞ୍ଚାସୀନ ରହି କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ।