କୁଇ ଭାଷାକୁ ଅଷ୍ଟମ ପରିଚ୍ଛେଦର ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କଲେ ନର୍ଲାର ଆଦିବାସୀ ସମାଜ ସଦସ୍ୟ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଜନଜାତି ସମ୍ପ୍ରଦାୟର ବରିଷ୍ଠ ସଦସ୍ୟ କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀଙ୍କ ନେତୃତ୍ୱରେ ବରିଷ୍ଠ ମାର୍ଗଦର୍ଶକ, ଅଲେଖ ମହିମା ଧର୍ମାବଲମ୍ବୀ ବୈଦ୍ୟରାକ ପବିତ୍ର ଶବର, କଳାହାଣ୍ଡି ଜିଲ୍ଲା ଆଦିକନ୍ଧ ସଭାପତି ସୁରେଶ ଭୋଇ ପ୍ରମୁଖ ନବୀନ ନିବାସରେ ପହଞ୍ଚି ଏକ ଭବ୍ୟ କାର୍ଯ୍ୟକ୍ରମରେ ଯୋଗଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର କନ୍ଧ ସମାଜରେ ପ୍ରଚଳିତ ପ୍ରାଚୀନ ଆଦିମ ଭାଷା କୁଇ ଭାଷାକୁ ଅଷ୍ଟମ ପରିଚ୍ଛେଦର ମାନ୍ୟତା ପ୍ରଦାନ ପାଇଁ ଅନୁମୋଦନ ନିମନ୍ତେ କେନ୍ଦ୍ର ସରକାରଙ୍କ ନିକଟକୁ ଜୁଲାଇ ୧୦ ତାରିଖରେ ପତ୍ର ପ୍ରେରଣ କରିଥିବାରୁ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ରାଜ୍ୟ କୁଇ ସମାଜର କର୍ମକର୍ତ୍ତା ମାନେ । ଏନେଇ ନବୀନ ନିବାସରେ ରାଜ୍ୟର ୧୦ରୁ ଉର୍ଦ୍ଧ୍ୱ ଜିଲ୍ଲାରୁ ୨୫୦ ରୁ ଉର୍ଦ୍ଧ୍ୱ କୁଇ ଭାଷା କବି, ଲେଖକ, ଗବେଷକ, ସମାଜସେବୀ, ବୁଦ୍ଧିଜୀବୀ କୁଇ ଭାଷାପ୍ରେମୀଙ୍କ ସହିତ କୁଇ ଭାଷା ଭାଷୀ ଶତାଧିକ ମହିଳା ମାନଙ୍କ ସମାବେଶ ହୋଇଥିଲା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ । ଏହି ସମାବେଶରେ ଶିକ୍ଷାବିତ୍ ତଥା ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତ ଭଳି ବିଜ୍ଞ ବ୍ୟକ୍ତିମାନେ ଉପସ୍ଥିତ ରହି ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । କୁଇ ଭାଷା ଭାଷୀ ଜନଜାତିର ସଦସ୍ୟମାନେ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ ପରେ କୁଇ ଭାଷା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଡ଼.ନୀରଦ ଚନ୍ଦ୍ର କହଁର ଏହି କାର୍ଯ୍ୟକ୍ରମରେ ପୌରହିତ୍ୟ କରିବା ସହ ଆଲୋଚନା ଚକ୍ର ପରିଚାଳନା କରିଥିଲେ । ଅପରାହ୍ନ ୪ ଘଣ୍ଟା ସମୟରେ ମୁଖ୍ୟମନ୍ତ୍ରୀଙ୍କୁ କୁଇ ଭାଷା ଭାଷୀ କନ୍ଧ ସମ୍ପ୍ରଦାୟର ସଦସ୍ୟମାନେ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଓଡିଶା ତଥା ଓଡିଶା ବାହାରେ ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ କୁଇଭାଷା କହୁଥିବା ଜଣାଯାଏ । କୁଇ ଭାଷାର ବହୁଳ ପ୍ରଚାର ଓ ପ୍ରଚଳନ ପାଇଁ “ସରଳ କୁଇ ଭାଷା ଶିକ୍ଷା” ପୁସ୍ତିକା ପ୍ରକାଶ ହୋଇ ସାରିଥିବା ବେଳେ ଆଉ ଅଳ୍ପଦିନ ମଧ୍ୟରେ “କୁଇ ଲିପି” ପୁସ୍ତକ ପ୍ରକାଶ କରାଯିବାର କାର୍ଯ୍ୟକ୍ରମ ରହିଥିବା ମତବ୍ୟକ୍ତ କରିଛନ୍ତି ରାଜ୍ୟ ଆଦିବାସୀ ସଦସ୍ୟ କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀ । ଓଡିଶାର ଆଦିମ ସଂସ୍କୃତି ସହିତ ଅଙ୍ଗାଙ୍ଗୀ ଭାବରେ ଜଡିତ କୁଇ ଭାଷାକୁ ଅଷ୍ଟମ ପରିଚ୍ଛେଦର ମାନ୍ୟତା ପ୍ରଦାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରୟାସ କରି ଏଥିପ୍ରତି ସ୍ୱତନ୍ତ୍ର ଆଗ୍ରହ ପ୍ରକାଶ ଓ ଦୃଷ୍ଟି ଦେଇ କେନ୍ଦ୍ର ସରକାରଙ୍କୁ ପତ୍ର ପ୍ରେରଣ କରିଥିବାରୁ ଆମ ସମାଜ ଆଜି ଧନ୍ୟ ହୋଇଛି । ଏଥିପାଇଁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ନିମନ୍ତେ ଆମ୍ଭେମାନେ ଦୂର ଦୂରାନ୍ତରୁ ଆସି ନବିନ ନିବାସରେ ପହଞ୍ଚି ମୁଖ୍ୟ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବା ସହିତ ତାଙ୍କୁ ଧନ୍ୟବାଦ ଅର୍ପଣ କରି ନିଜକୁ ଗର୍ବିତ ମନେ କରୁଛୁ ବୋଲି ଭାବ ବିହ୍ୱଳ ହୋଇ ମତବ୍ୟକ୍ତ କରିଛନ୍ତି କଳାହାଣ୍ଡିର ପ୍ରସିଦ୍ଧ ବୈଦ୍ୟରାଜ ପବିତ୍ର ଶବର ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.