ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସିଂହ ରାଶିରେ ସୂର୍ଯ୍ୟ ବଳବାନ ଥିବା ଭାଦ୍ରବ ଶୁକ୍ଳ ପକ୍ଷ ଦଶମୀ ତିଥିରେ ନୂଆ ଖାଇବେ କଳାହାଣ୍ଡି ଗଡ଼ଜାତ ଅଞ୍ଚଳବାସୀ। ଏନେଇ କଳାହାଣ୍ଡି ରାଜ ପରିବାର ପକ୍ଷରୁ ଲଗ୍ନ ଧାର୍ଯ୍ୟ କରାଯାଇଛି। ଦଶମୀ ଇଂ ତା ୨୪/ ୦୯/ ୨୦୨୪ ରିଖ ରବିବାର ଦିବା ୬.୩୦ ମି.ରୁ ୮.୫୦ ମିନିଟ ମଧ୍ୟରେ ମା’ ମାଣିକେଶ୍ବରୀଙ୍କ ପୀଠରେ ନବାନ୍ନ ଭୋଗ ଲାଗିବ। ସେହିପରି ମାଣିକେଶ୍ବରୀ ଓ ମଦନପୁର ରାମପୁର ଡୋକରି ଦେବୀଙ୍କ ଠାରେ ନୂଆ ଲାଗି ହେବାପରେ ମ.ରାମପୁରବାସୀ ରବିବାର ଦିବା ୧.୧୧ ମିନିଟ୍ ରୁ ଦିବା ୨.୦୦ ଘଣ୍ଟା ମଧ୍ୟରେ ନୂଆ ଖାଇବେ। ଏହି ଦିନ ଭବାନୀପାଟଣା ସହର ଓ ଦାଦପୁର ସମେତ କଳାହାଣ୍ଡି ଗଡ଼ଜାତର ପୁରାତନ ଜମିଦାରୀ ଅଞ୍ଚଳ ଲାଞ୍ଜିଗଡ଼ ସହର ଓ ବିଶ୍ବନାଥପୁର, ମହୁଲ ପାଟଣା, କର୍ଲାପାଟ, ଜୟପାଟଣା, ମଦନପୁର ରାମପୁର ଏବଂ ଥୁଆମୂଲ ରାମପୁର ସହରବାସୀ ନୂଆଖାଇ ପାଳନ କରିବେ। ଏହା ପୂର୍ବରୁ ମହିମା ଧର୍ମାବଲମ୍ବୀମାନେ ଶ୍ରାବଣ ପୂର୍ଣ୍ଣିମାରେ ଓ ଜିଲ୍ଲାର ପଥର୍ଲା, ବାହାଦୂରପଦର ଓ ପାଲକାପଡ଼ା ଗ୍ରାମବାସୀ ଭାଦ୍ର ଶୁକ୍ଳ ପ୍ରତିପଦା ତିଥିରେ ନୂଆ ଖାଇଛନ୍ତି। ଏହା ବ୍ୟତିରେକ ଜିଲ୍ଲାର ୧୩ଗୋଟି ବ୍ଲକର ଗ୍ରାମାଞ୍ଚଳରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଛି ଗଣପର୍ବ ନୂଆଖାଇ। ତେବେ କଳାହାଣ୍ଡି ଗଡ଼ଜାତର ଭବାନୀପାଟଣା ଠାରେ ମାଣିକେଶ୍ଵରୀ, ମ.ରାମପୁର ଠାରେ ଡୋକରି, ଥୁଆମୂଲ ରାମପୁର ଠାରେ ମାଣିକେଶ୍ଵରୀଙ୍କ ଆଦ୍ୟ ପୀଠରେ ଦଶମୀ ତିଥିରେ ନୂଆ ଅର୍ପଣ ପରେ ସଂପୃକ୍ତ ଅଞ୍ଚଳବାସୀ ନୂଆ ଖାଇବେ।