ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଇସ୍ରାଏଲରେ ହମାସ ଆତଙ୍କବାଦୀ ଆକ୍ରମଣ ମଧ୍ୟରେ ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା ଇସ୍ରାଏଲରେ ଫସି ରହିଛନ୍ତି। ସେ ହାଇଫା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବାକୁ ଆସିଥିଲେ, ଯେଉଁଠି ତାଙ୍କ ଫିଲ୍ମ ‘ଅକେଲୀ’କୁ ଚୟନ କରାଯାଇଥିଲା। ଶନିବାର ଅପରାହ୍ନରେ ଭରୁଚାଙ୍କୁ ଶେଷ ଥର ପାଇଁ ଏକ ବେସମେଣ୍ଟରେ ସୁରକ୍ଷିତ ଭାବେ ଦେଖିବାକୁ ମିଳିଥିଲା, କିନ୍ତୁ ସେବେଠାରୁ ତାଙ୍କ ଟିମ୍ ତାଙ୍କ ସହ ଯୋଗାଯୋଗ କରିବାରେ ଅସମର୍ଥ ହୋଇଛନ୍ତି। ତାଙ୍କୁ ସୁରକ୍ଷିତ ଭାବେ ଭାରତ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି। ଏବେ ଶେଷ ଖବର ସୁଦ୍ଧା ଅଭିନେତ୍ରୀ ଜଣଙ୍କ ଏବେ ବିମାନ ବନ୍ଦରରେ ପହିଁଚି ଯାଇଛନ୍ତି। ଭାରତ ଫେରିବାକୁ ସମସ୍ତ ବନ୍ଦୋବସ୍ତ କରାଯାଉଥିବା ଜଣାପଡ଼ିଛି। ଇସ୍ରାଏଲରେ ରହୁଥିବା ଅନ୍ୟ ଭାରତୀୟମାନେ ମଧ୍ୟ ଏହି ଉତ୍ତେଜନାପୂର୍ଣ୍ଣ ସଙ୍ଘର୍ଷ ଯୋଗୁଁ ଆତଙ୍କିତ ଓ ଭୟଭୀତ ହୋଇପଡ଼ିଛନ୍ତି। ଇସ୍ରାଏଲରେ ପାଠ ପଢ଼ୁଥିବା ଭାରତୀୟ ଛାତ୍ର ଗୋକୁଲ ମାନଭାଲନ୍ କହିଛନ୍ତି ଯେ ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଛି ଏବଂ ସେ ଏବଂ ଅନ୍ୟ ଭାରତୀୟମାନେ ଭାରତୀୟ ଦୂତାବାସ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି। ହମାସ ଆତଙ୍କବାଦୀମାନେ ଗାଜା ଷ୍ଟ୍ରିପ୍ରୁ ଇସ୍ରାଏଲ୍ ଉପରେ ୫ ହଜାରରୁ ଅଧିକ ରକେଟ୍ ମାଡ଼ କରିବା ସହ ସୀମା ନିକଟରେ ଥିବା ଅନେକ ଇସ୍ରାଏଲ୍ ସୈନିକଙ୍କୁ ମଧ୍ୟ ବନ୍ଦୀ କରିନେଇଛନ୍ତି। ଏହାର ଜବାବରେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ ଜୋରଦାର ଅପରେସନ ଆରମ୍ଭ କରି ଗାଜା ଷ୍ଟ୍ରିପରେ ଥିବା ଅନେକ ଠିକଣା ଉପରେ ଆକ୍ରମଣ କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ, ଦେଶ ଏବେ ଯୁଦ୍ଧର ସ୍ଥିତିରେ ରହିଛି ଏବଂ ଏହାର କଡ଼ା ଜବାବ ଦିଆଯିବ। ତେବେ ଭାରତ, ଆମେରିକା ସମେତ ଅନେକ ଦେଶ ଏବେ ଇସ୍ରାଏଲ ସମର୍ଥନରେ ବାହାରିଛି।





