ପଲମ ଠାରେ ଆରବିଆଇ ସହାୟତାରେ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତୀୟ ରିଜର୍ଭ ବ୍ୟାଙ୍କ୍ ର ସହାୟତା ତଥା ସାଧନ ନୂଆଦିଲ୍ଲୀ ଓ ସମ୍ପର୍କ ଫିନ୍ ସର୍ଭିସେସ୍ ଭୁବନେଶ୍ୱରର ମିଳିତ ସହଯୋଗରେ ନର୍ଲା ବ୍ଲକ  ପଲମ ଗ୍ରାମ ପଞ୍ଚାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପଲମ ଠାରେ ଏକ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଲମ ସରପଞ୍ଚ ହେମ କିଶୋର ନାଗ, ପିଇଓ ମଧୁସୂଦନ ନାଏକ, ସମ୍ମାନିତ ଅତିଥି ଭାବେ ୟୁଜିବି ଶାଖା ପରିଚାଳକ ଅମିତ କୁମାର କୁଲୁ, ମିଶନଶକ୍ତି ବ୍ଲକ ସଂଯୋଜକ ଅକ୍ଷୟ ପ୍ରସାଦ ପଟ୍ଟନାୟକ, ପଲମ ଫାଣ୍ଡି ଅଧିକାରୀ ଓ ମହାଶକ୍ତି ଫାଉଣ୍ଡେସନ ର ପ୍ରତିଷ୍ଠାତା ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ମୁଖ୍ୟ ଅତିଥି ପଲମ ସରପଞ୍ଚ ହେମକିଶୋର ନାଗ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ। ଏହି କର୍ମଶାଳାରେ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବିଭିନ୍ନ ବ୍ୟାଙ୍କ୍ ଓ ଆର୍ଥିକ ଅନୁଷ୍ଠାନରୁ ପାଇଥିବା ଋଣର ଉଚିତ୍ ବିନିଯୋଗ, ବ୍ୟବସାୟ ପାଇଁ ଆବଶ୍ୟକତା ଅନୁଯାୟୀ ଋଣ ଦରଖାସ୍ତ, ରୋଜଗାର ଭିତ୍ତିକ ବ୍ୟବସାୟର ଆୟରୁ ଋଣ କିସ୍ତି ଫେରସ୍ତ ତଥା ଅତ୍ୟଧିକ ଋଣ ଭାରଗ୍ରସ୍ତ ନହେବା ଇତ୍ୟାଦି ବିଷୟରେ ବିଶଦ ଭାବେ ଆଲୋଚନା କରାଯାଇଥିଲା। କର୍ମଶାଳାରେ ଡିଜିଟାଲ ମାଧ୍ୟମରେ ଟଙ୍କା ଆଦାନ ପ୍ରଦାନ କରୁଥିଲେ ଆବଶ୍ୟକ ସତର୍କତାର ବିଭିନ୍ନ ଦିଗ ବିଷୟରେ ସମ୍ବଳ ବ୍ୟକ୍ତି ମାନେ ଅଂଶ ଗ୍ରହଣ କାରୀ ମାନଙ୍କୁ ବୁଝାଇଥିଲେ । ବିଭିନ୍ନ ଅଜଣା ନମ୍ବରରୁ ଆସୁଥିବା ଫୋନ୍ ରେ ନିଜର କୌଣସି ଗୋପନୀୟ ତଥ୍ୟ ଯଥା ବ୍ୟାଙ୍କ୍ ଖାତା ନମ୍ବର, ଓ. ଟି. ପି, ଏ.ଟି.ଏମ କାର୍ଡ ନମ୍ବର, ପାସ୍ କୋର୍ଡ, ଆଧାର କାର୍ଡ, ପାନ୍ କାର୍ଡ ଇତ୍ୟାଦି ନମ୍ବର ବିଷୟରେ କୌଣସି ତଥ୍ୟ ନ ଦେବା ବିଷୟରେ ସତର୍କ କରାଯାଇଥିଲା । ପରିବାରର ବାର୍ଷିକ ଆୟ ଓ ବ୍ୟୟ ଅଟକଳ ଯୋଜନା କରି ଆୟ ଅନୁଯାୟୀ ବ୍ୟୟ କଲେ ହିଁ ପରିବାର ର ଆର୍ଥିକ ସ୍ଥିତି ସୁଦୃଢ ହୋଇ ପାରିବ। ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ଖର୍ଚ୍ଚକୁ ଆକଳନ କରି ବର୍ଷ ଆରମ୍ଭରୁ ସେହି ବ୍ୟୟ ପାଇଁ ବ୍ୟାଙ୍କ୍ ରେ ସଞ୍ଚୟ ରଖିବା ଉପରେ ତାଲିମ୍ ଦାତା ଗୁରୁତ୍ବ ଆରୋପ କରିଥିଲେ । କାର୍ଯ୍ୟକ୍ରମରେ ପ୍ରକାଶ ଚନ୍ଦ୍ର ସାହୁ, ଅମିତ କୁମାର କୁଲୁ ଓ ସୁଶ୍ରୀ ମମିତ। ପୁଝାରୀ ଯୋଗ ଦେଇ ତାଲିମ୍ ପ୍ରଦାନ କରିଥିଲେ । ମମିତା ପୁଝାରୀ, ପୂର୍ଣ୍ଣମୀ ଵଗର୍ତ୍ତି,  ଲିଲୀ ବାଗ, ଏମବିକେ, ପଲମ ଜିପିଏଲଏଫ ସଭାପତି, ସମ୍ପାଦିକା ଓ ପଞ୍ଚାୟତ ସମିତିର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କର୍ମଶାଳାରେ ବିଭିନ୍ନ ଗ୍ରାମର ଗୋଷ୍ଟୀ ସହାୟିକା, ଏମବିକେ, ସ୍ବୟଂ ସହାୟକ ଗୋଷ୍ଠୀ, ମିଳିତ ଉତ୍ତର ଦାୟୀ ଗୋଷ୍ଠୀ, ଚାଷୀ ଗୋଷ୍ଠୀରୁ ୬୫ ଜଣରୁ ଉର୍ଦ୍ଧ ସଦସ୍ୟା / ସଦସ୍ୟ ଅଂଶ ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.