ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱରର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନମନସ୍କତା, ଗବେଷଣାମୁଖୀ ଚିନ୍ତାଧାରା ଓ ଆଧୁନିକ ବିଜ୍ଞାନ-ପ୍ରଯୁକ୍ତିର ପ୍ରସାର ପାଇଁ ବାଲେଶ୍ୱରରେ ଏକ ଅତ୍ୟାଧୁନିକ ସାଇନ୍ସ ପାର୍କ ନିର୍ମାଣ କରିବା ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ବାଲେଶ୍ୱର ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ। ବିଧାୟକଙ୍କ ଏହି ଦାବି ପ୍ରତି ରାଜ୍ୟ ସରକାରଙ୍କ ପକ୍ଷରୁ ସକାରାତ୍ମକ ପଦକ୍ଷେପ ନିଆଯାଇଥିବା ବେଳେ ପ୍ରସ୍ତାବିତ ସାଇନ୍ସ ପାର୍କ ପାଇଁ ପ୍ରାୟ ୧୫ କୋଟି ଟଙ୍କାର ବ୍ୟୟ ବ୍ୟବସ୍ଥା ରହିଥିବା ଜଣାପଡ଼ିଛି। ବିଧାନସଭାରେ ବିଧାୟକ ଶ୍ରୀ ଦତ୍ତ ପ୍ରଶ୍ନ କରିଥିଲେ ଯେ, ବାଲେଶ୍ୱର ଜିଲ୍ଲାରେ ଏକ ସାଇନ୍ସ ପାର୍କ ନିର୍ମାଣ ପାଇଁ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ରହିଛି କି ନାହିଁ, ଏବଂ ପ୍ରସ୍ତାବ ଥିଲେ ଏହାର କାର୍ଯ୍ୟାନ୍ୱୟନ ପାଇଁ କ’ଣ ପଦକ୍ଷେପ ନିଆଯାଇଛି ଓ କେବେ ସୁଦ୍ଧା ଏହାର କାର୍ଯ୍ୟ ଆରମ୍ଭ ହେବ। ଏହାର ଉତ୍ତରରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କ ପକ୍ଷରୁ କୁହାଯାଇଛି ଯେ, ବାଲେଶ୍ୱର ଜିଲ୍ଲାରେ ସାଇନ୍ସ ପାର୍କ ପ୍ରତିଷ୍ଠା କରିବା ନିମନ୍ତେ ଆବଶ୍ୟକ ସର୍ବେକ୍ଷଣ ଓ ଜମି ଚିହ୍ନଟ ପ୍ରକ୍ରିୟା ସମ୍ପର୍କରେ ଜିଲ୍ଲା ପ୍ରଶାସନକୁ କୁହାଯାଇଛି। ଏନେଇ ଜିଲ୍ଲା ପ୍ରଶାସନଙ୍କୁ ପୂର୍ବରୁ ପତ୍ର ଏବଂ ପରବର୍ତ୍ତୀ ସମୟରେ ଅନୁସ୍ମାରକ ମଧ୍ୟ ପ୍ରଦାନ କରାଯାଇଛି। ପ୍ରସ୍ତାବିତ ପ୍ରକଳ୍ପ ପାଇଁ ପ୍ରାୟ ୧୫ କୋଟି ଟଙ୍କାର ବ୍ୟୟ ଅଟକଳ ରହିଥିବା ମନ୍ତ୍ରୀଙ୍କ ଉତ୍ତରରୁ ସ୍ପଷ୍ଟ ହୋଇଛି।
ଏ ସମ୍ପର୍କରେ ବିଧାୟକ ଶ୍ରୀ ମାନସ କୁମାର ଦତ୍ତ କହିଛନ୍ତି, ବାଲେଶ୍ୱରରେ ଏକ ଅତ୍ୟାଧୁନିକ ସାଇନ୍ସ ପାର୍କ ନିର୍ମାଣ ବାଲେଶ୍ୱର ବାସୀଙ୍କ ଦୀର୍ଘଦିନର ଏକ ପ୍ରମୁଖ ଦାବି। ଏହି ସାଇନ୍ସ ପାର୍କ ବାଲେଶ୍ୱରର ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିର ନୂତନ ଜ୍ଞାନ ସହ ଯୋଡ଼ିବା ସହିତ ସେମାନଙ୍କ ମଧ୍ୟରେ ଗବେଷଣା ଓ ନବସୃଜନର ମନୋଭାବକୁ ଆହୁରି ଦୃଢ଼ କରିବ। ଏହା ବାଲେଶ୍ୱରର ଶିକ୍ଷା ଓ ବିଜ୍ଞାନ ଭିତ୍ତିଭୂମିକୁ ଏକ ନୂଆ ଦିଗ ପ୍ରଦାନ କରିବ ବୋଲି ବିଧାୟକ ମତପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ବିଜ୍ଞାନ ଓ ପ୍ରଯୁକ୍ତି ଆଜିର ଯୁବପିଢ଼ିର ଭବିଷ୍ୟତ ଗଠନର ଏକ ପ୍ରମୁଖ ଆଧାର। ଅତ୍ୟାଧୁନିକ ବିଜ୍ଞାନ ଭିତ୍ତିଭୂମି ଓ ପ୍ରୟୋଗାତ୍ମକ ଶିକ୍ଷାର ସୁଯୋଗ ମିଳିଲେ ବାଲେଶ୍ୱରର ଛାତ୍ରଛାତ୍ରୀ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନ କରିପାରିବେ। ଓଡ଼ିଶା ସରକାର ମଧ୍ୟ ବିଜ୍ଞାନ ଓ ପ୍ରଯୁକ୍ତିକୁ ଯୁବପିଢ଼ିର ଜ୍ଞାନ ଓ ନବସୃଜନ ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦେଉଛନ୍ତି। ବାଲେଶ୍ୱରର ବିକାଶ ଯାତ୍ରାରେ ଶିକ୍ଷା, ସ୍ୱାସ୍ଥ୍ୟ, ଯୋଗାଯୋଗ, ନଗର ଭିତ୍ତିଭୂମି ସହିତ ବିଜ୍ଞାନ ଓ ପ୍ରଯୁକ୍ତି ଭିତ୍ତିଭୂମିର ବିକାଶ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ହେବ ବୋଲି ବିଧାୟକ ଶ୍ରୀ ଦତ୍ତ ପ୍ରକାଶ କରିଛନ୍ତି। ଏହି ଅବସରରେ ବାଲେଶ୍ୱରରେ ସାଇନ୍ସ ପାର୍କ ନିର୍ମାଣ ଦିଗରେ ପଦକ୍ଷେପ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ବିଧାୟକ ଶ୍ରୀ ମାନସ କୁମାର ଦତ୍ତ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି।





