ମାଟି ଓ ମଣିଷର ସମ୍ପର୍କ ବଡ଼ ଅଦ୍ଭୁତ। ଯେଉଁ ମାଟିରେ ଜନ୍ମ ନେଇଥାଏ ମଣିଷ, ସେହି ମାଟିରେ ହିଁ ସେ ବୁଣିଥାଏ ନିଜ କର୍ମର ବୀଜ, ଆଉ ସେହି ବୀଜ ପରିଣତ ହୁଏ ପରମ୍ପରାରେ, ଇତିହାସରେ। ରେଖପୁରର ମାଟିରେ ଏମିତି ଏକ ଇତିହାସ ରଚିତ ହୋଇଛି ଭୋଇ ପରିବାରର ପିଢ଼ି ପରେ ପିଢ଼ିର ତ୍ୟାଗ, ସାହସ ଓ ନ୍ୟାୟପ୍ରିୟତାରେ। ଭଗବାନ ସିଂଙ୍କଠାରୁ ଆରମ୍ଭ ହୋଇ ଧନସାଏ ଭୋଇ, ଜଗତ୍ ଭୋଇ, ଯୁଗୀ ଭୋଇ, ଶୋଭାକର ଭୋଇ ପର୍ଯ୍ୟନ୍ତ ଏକ ସୁଦୀର୍ଘ ଯାତ୍ରା, ଯେଉଁଥିରେ ସୁଖ-ଦୁଃଖ, ଉତ୍ଥାନ-ପତନ, ବିପତ୍ତି ଓ ବିଜୟ ସବୁ ଦେଖିବାକୁ ମିଳେ। ଏହି ଦୀର୍ଘ ପରମ୍ପରାର ଏକ ଉଜ୍ଜ୍ୱଳ ପ୍ରତିଛବି ହୋଇ ଉଭା ହୋଇଥିଲେ ଟଙ୍କଧର ଭୋଇ; ଯାହାଙ୍କ ଜୀବନ ନ୍ୟାୟ, ସେବା ଓ ସମାଜ ପାଇଁ ଉତ୍ସର୍ଗୀକୃତ ଥିଲା।
ସମ୍ବଲପୁରର ଭଗବାନ ସିଂ ଥିଲେ ଜଣେ ଧନୀ ଓ ମାନୀ ବ୍ୟକ୍ତି। କ୍ଷତ୍ରୀୟ ହିସାବରେ ସେ ସିଂ ଆଖ୍ୟା ପାଇଥିଲେ। ତାଙ୍କ ପୂଜା ପଦ୍ଧତି ଓ ପରମ୍ପରାରୁ ସେମାନେ ଗୌଡ଼ଦେଶ ବା ବଙ୍ଗଦେଶରୁ ଆସିଥିବା ସ୍ପଷ୍ଟ ହୁଏ। ପାଞ୍ଚ ପତ୍ନୀ ଓ ପିଲାଛୁଆଙ୍କ ସହ ଭଗବାନ ସିଂ ଜମିଦାର ଭଳି ସୁଖରେ କାଳାତିପାତ କରୁ୍ଥିଲେ। ତାଙ୍କ ପ୍ରଥମ ପତ୍ନୀଙ୍କର ପୁତ୍ରମାନେ ହେଲେ ଦୁଲ ସିଂ, ମଇଦୁ ସିଂ ଓ ପ୍ରସାଦି ସିଂ। ପ୍ରସାଦି ସିଂ କାଳକ୍ରମେ ବଉଦକୁ ଆସି ସେଠାରୁ କଳାହାଣ୍ଡିକୁ ଆସିଲେ ଏବଂ ୧୪ ଖଣ୍ଡ ଗ୍ରାମ ପରିଚାଳନା କରି ଅନେକ ସମ୍ପତ୍ତି ଅର୍ଜନ କରିଥିଲେ। ତାଙ୍କ ପୁତ୍ରମାନେ ହେଲେ ଧନସାଏ ସିଂ, ରଣସାଏ ସିଂ, ସଦା ସିଂ ଓ ଗୋବିନ୍ଦ ସିଂ। ବହୁତ ଧନବାନ୍ ଓ କାର୍ଯ୍ୟଦକ୍ଷ ଥିବାରୁ ମହାରାଜ ଉଦିତ୍ ପ୍ରତାପ ଦେଓ ଧନସାଏ ସିଂଙ୍କୁ ଯାଦବ ସମାଜର ମୁଖ୍ୟ ବ୍ୟକ୍ତି କରାଇ ଭୋଇ ପଦବୀ ଦେଲେ ।
ଧନସାଏଙ୍କ ପୁତ୍ରମାନେ ହେଲେ ଜଗତ୍ ଭୋଇ, ଜଗନ୍ନାଥ ଭୋଇ, ଗଙ୍ଗାଧର ଭୋଇ ଓ ସୁଗଲ ଭୋଇ। ତାଙ୍କ ଜ୍ୟେଷ୍ଠ ପୁତ୍ର ଜଗତ୍ ଭୋଇ ମଧ୍ୟ ଧନବାନ୍ ଓ ବଳୀୟାନ୍ ଥିଲେ। ତାଙ୍କ ଉଦ୍ଯୋଗ କ୍ରମେ ୧୮୮୧ ମସିହାରେ ଅସୁରଗଡ଼ କନ୍ଧମେଳି ଆରମ୍ଭ ହୋଇଥିଲା। ତେର ଦିନ ଧରି ବର୍ଷା ହେବାରୁ ଅସୁରଗଡ଼ ସାଗର ଟଳମଳ ହେଲା। ଅସୁରଗଡ଼ ଗୌନ୍ତ୍ୟାଙ୍କ ଦିର୍ଦ୍ଦେଶ କ୍ରମେ ହଳିଆମାନେ ରାତିରେ ସାଗର ହୁଡ଼ାକୁ କାଟିଦେବାରୁ ରେଖପୁର ଗ୍ରାମର ବାହାଲ ନାଳ ହୋଇଗଲା। କନ୍ଧମାନଙ୍କଠାରେ ଗୌନ୍ତ୍ୟା ଜଗତ୍ ଭୋଇ ଆପତ୍ତି କରିବାରୁ ପ୍ରାୟ ତିନିହଜାର କନ୍ଧ ମେଳି ହୋଇ ଈଶ୍ୱର ଗୌନ୍ତ୍ୟାଙ୍କ ସମେତ କୁଲତାମାନଙ୍କୁ ମାରିଥିଲେ। ରାୟପୁରରୁ ସୈନ୍ୟସାମନ୍ତ ଆସୁଆସୁ ପ୍ରାୟ ୮ ଦିନ ଲାଗିଗଲା। ଜଗତ୍ ଭୋଇଙ୍କ ସମେତ ଗ୍ରାମର କିଛି ଲୋକଙ୍କୁ ରାୟପୁର ନିଆଗଲା। ପରେ ବାକି ସମସ୍ତେ ଫେରି ଆସିଥିବା ବେଳେ ଜଗତ୍ ଭୋଇ ଆଉ ଫେରିଲେ ନାହିଁ। ପରେ ତାଙ୍କୁ କଳାପାଣି ଦଣ୍ଡାଦେଶ ହୋଇଥିଲା। ସେହି ସମୟରେ ତାଙ୍କ ପୁତ୍ର ଯୁଗୀ ଭୋଇଙ୍କୁ ୧୨ ବର୍ଷ ଓ ଡିଙ୍ଗର ଭୋଇଙ୍କୁ ୬ ବର୍ଷ ହୋଇଥାଏ।
ଜଗତ୍ ଭୋଇଙ୍କ ଅନୁପସ୍ଥିତିରେ ରଣସାଏଙ୍କ ପୁତ୍ର ଭଗବାନ ଭୋଇ ଗ୍ରାମ ଚଲାଇଲେ। ସେ ଜଗତ ଭୋଇଙ୍କ ପତ୍ନୀଙ୍କୁ ହାତ କରି ଧନ ସଂପତ୍ତି ସବୁ ନେଲେ ଏବଂ ୭ ଖଣ୍ଡ ଗ୍ରାମ ଅକ୍ତିଆର କରିନେଲେ, ତେବେ ରେଖପୁର ଗ୍ରାମକୁ ନେଇ ପାରିଲେ ନାହିଁ। ପରେ ଯୁଗୀ ଭୋଇ ସାବାଳକ ହେବାପରେ ଭଗବାନଙ୍କୁ ଶାସ୍ତି ଦେବାସହ ତାଙ୍କ ମାଆଙ୍କୁ ମଧ୍ୟ ଘରୁ ବାହାର କରିଦେଇଥିଲେ। ଯୁଗୀ ଭୋଇ ପ୍ରାୟ ୨୫ ବର୍ଷ ସମାଜ ପରିଚାଳନା କରିଥିଲେ।
ଯୁଗୀ ଭୋଇଙ୍କ ପୁତ୍ର ଶୋଭାକର ଭୋଇ ପଞ୍ଚମ ଶ୍ରେଣୀ ପାସ୍ କରି ମାଷ୍ଟର ହୋଇଥିଲେ। କିନ୍ତୁ ଯୁଗୀ ଭୋଇ ମୋ ପାଖରେ ୩୫ ଜଣ କାମ କରୁଛନ୍ତି ଆଉ ମୁଁ ମୋର ଏକମାତ୍ର ପୁତ୍ରକୁ ଚାକିରି କରାଇବି ନାହିଁ ବୋଲି କହିଥିଲେ। ଶୋଭାକର ପ୍ରାୟ ୨୦୦ ଏକର ଜମି ଭୋଗ କରୁଥିଲେ। ତାଙ୍କ ସମୟରେ ମହଲ କାର୍ଯ୍ୟ ଆରମ୍ଭ ହୋଇଥିଲା, ଯାହା ୧୯୫୦ ମସିହାରୁ ଆରମ୍ଭ ହୋଇ ୧୯୬୦ ମସିହାରେ ସମ୍ପୂର୍ଣ୍ଣ ହୋଇଥିଲା।
ଶୋଭାକର ଭୋଇ ମହୁଲପଡ଼ା ନିବାସୀ ସାଧୁରାମ ନାଏକଙ୍କ ଝିଅ ଦ୍ରୌପଦୀ ଦେଇଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ଝିଅ ସାବେତ୍ରୀ ଓ ତିଳୋତ୍ତମା। ତେବେ ଦ୍ରୌପଦୀଙ୍କ ଦେହାନ୍ତ ହେବାରୁ ମେଦିନୀପୁର ବିଦ୍ୟାଧର ନାଏକ ଙ୍କ ଝିଅ ବୈଦେହୀ ଦେଇ (ଜାନକୀ)ଙ୍କୁ ବିବାହ କଲେ। ବୈଦେହୀ ଦେଇଙ୍କ କୋଳରେ ଦୁଇ ପୁତ୍ର ଟଙ୍କଧର ଭୋଇ ଓ କାମମୋହନ ଭୋଇ ଏବଂ ଚାରି ଝିଅ।
ଟଙ୍କଧର ଭୋଇ ୧୯୪୪ ମସିହା ମାର୍ଚ୍ଚ ମାସ ୯ ତାରିଖ ଗୁରୁବାର ଦିନ ଜନ୍ମଗ୍ରହଣ କରିଥିଲେ। ଫାଲଗୁନ ପୂର୍ଣ୍ଣିମା ଦିନ ଜନ୍ମ ହୋଇଥିବାରୁ ତାଙ୍କ ନାମ ରଖାଗଲା ପୂର୍ଣ୍ଣଚନ୍ଦ୍ର, ମନୋବାଞ୍ଛା ପୂରଣ ହୋଇଥିବାରୁ ନାମ ଦିଆହେଲା ବାଞ୍ଛାନିଧି, ମେଦିନୀପୁରର ତାଙ୍କ ଆଈ ସୁବର୍ଣ୍ଣୀ ଦେଇ ନାମ ଦେଲେ ସୁନା, ଜାତକ ନାମକରଣ ହେଲା ଟଙ୍କଧର।
୧୯୪୮ ମସିହାରେ ନର୍ଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହେଡମାଷ୍ଟର ରଘୁବର ଭଞ୍ଜଙ୍କ ଠାରେ ଟଙ୍କଧରଙ୍କ ଖଡ଼ିଛୁଆଁ ସମ୍ପନ୍ନ ହେଲା। ତେବେ ସେ ମାଣ୍ଡେଲ ବିଦ୍ୟାଳୟରେ ଗୁରୁ ମୋହନ ବିଶିଙ୍କ ପାଖରେ ପଢ଼ି ତୃତୀୟ ପରୀକ୍ଷା ଦେଲେ। ଶୋଭାକର ଭୋଇ ବଡ଼ଡୁଙ୍ଗୁରିଗୁଡ଼ା ଗୌନ୍ତ୍ୟା ଗଣପତି ଗହୀରଙ୍କ ଝିଅ ସହ ଟଙ୍କଧରଙ୍କ ବାଲ୍ୟ ବିବାହ ପାଇଁ ସ୍ଥିର କରିଥିଲେ। ତେବେ ଗମନାଗମନ ଅସୁବିଧା ହେତୁ ତାଙ୍କ ଭାଣିଜୀ (ଭଉଣୀ ଉର୍ବଶୀର ଝିଅ) ଉଷାବତୀଙ୍କ ସହ ୧୯୫୪ ମସିହାରେ ବାଲ୍ୟ ବିବାହ କରିଦେଲେ। ୧୯୫୫ ମସିହାରେ ଟଙ୍କଧରଙ୍କ ମାତା ବୈଦେହୀ ଦେଇ ଏବଂ ୧୯୫୬ ମସିହାରେ ଆଈଙ୍କ ମୃତ୍ୟୁ ଘଟିଲା। ୧୯୫୭ ମସିହାରେ ଟଙ୍କଧର ଓ ଉଷାବତୀଙ୍କ ବଡ଼ ବିବାହ ହେଲା। ୧୯୫୮ ମସିହାରେ ତାଙ୍କର ଜ୍ୟେଷ୍ଠ ପୁତ୍ର ଜଗଜ୍ଜୀବନ ଜନ୍ମହେଲେ। ତାଙ୍କ ପୁତ୍ରକନ୍ୟାମାନେ ହେଉଛନ୍ତି ଜଗମୋହନ, ପ୍ରତିମା, ଖିରୋଦ୍ରି, ଟର୍ଜିନ୍ ଓ ସ୍ୱର୍ଣ୍ଣପ୍ରଭା। ୧୯୬୨ ମସିହା ଭାଦ୍ରବ ମାସରେ ସପ୍ତପୁରୀ ଅମାବାସ୍ୟା ଗୁରୁବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ତାଙ୍କ ପିତା ଶୋଭାକର ଭୋଇଙ୍କ ଦେହାନ୍ତ ହେଲା।
ଶୋଭାକର ଭୋଇଙ୍କ ଦଶାହ କାର୍ଯ୍ୟକୁ ଆସିଥିବା ବନ୍ଧୁବାନ୍ଧବ ଟଙ୍କଧର ଭୋଇଙ୍କୁ ଗାଁ ଦାଣ୍ଡକୁ ନେଲେ ଏବଂ ପଲମ ନିବାସୀ ଅନନ୍ତରାମ ଭୋଇ ତାଙ୍କୁ ପାଗ ବାନ୍ଧି ଆଜି ଦିନ ଠାରୁ ଆମ୍ଭ ଯାଦବ ସମାଜର ଅସୁରଗଡ଼ ବେସ୍କା, ମାଝୀ ଦେଶ, କୋଟ ବେସ୍କା, ଧମସିଆ, ସାଙ୍ଗୁ, ଗଞ୍ଜା, ଗୁବୁରିଆ, ଚନ୍ଦା, ମିଲ୍କି ଆଦି ଅଞ୍ଚଳର ତାଙ୍କ ପୂର୍ବପୁରୁଷ ଯେଉଁ ସମାଜର ନ୍ୟାୟ ନିଷ୍ପତ୍ତି ଭଲମନ୍ଦ ବୁଝୁଥିଲେ, ସେସବୁ ବୁଝିବେ ବୋଲି ଦାୟିତ୍ୱ ଅର୍ପଣ କଲେ। ସେ ନାବାଳକ ଥିବାରୁ ସାବାଳକ ହେବାଯାଏଁ ତାଙ୍କ ବଡ଼ବାପା ସୁନ୍ଦରପତି ଭୋଇଙ୍କୁ ପରିଚାଳନା ଦାୟିତ୍ୱ ଦିଆଗଲା।
୧୯୬୩ ମସିହାରେ ଟଙ୍କଧର ଭୋଇ ସଭା ଡକାଇ ଥିଲେ। ୧୯୬୫ ମସିହାରେ ଭୁବନେଶ୍ୱର ଠାରେ ଆୟୋଜିତ ଉତ୍କଳ ଯାଦବ ମହାସଭା ରେ ଯୋଗ ଦେଇଥିଲେ, ଯାହାକି ଜିଲ୍ଲା ସଭାପତି ମହେଶ୍ୱର ନାଏକ ଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା। ତାପରେ ଶ୍ରୀ ଭୋଇ ୧୯୬୯ ମସିହାରେ ଦୁଇଦିନ ଧରି ଜିଲ୍ଲା ଯାଦବ ମହାସଭା ଆୟୋଜନ କରିଥିଲେ, ଯେଉଁଥିରେ ବଲାଙ୍ଗୀର ଜିଲ୍ଲାର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ବକ୍ତବ୍ୟ ରଖିଥିଲେ। ସେଥିରେ ଜିଲ୍ଲା ସଭାପତି ମହେଶ୍ୱର ନାଏକ ସଦର ସବଡିଭିଜନ ସଭାପତି ଭାବେ ଶ୍ରୀ ଭୋଇଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରିଥିଲେ। ୧୯୮୦ ମସିହାରେ ଭବାନୀପାଟଣା ତାରିଣୀ ମନ୍ଦିରରେ ଜିଲ୍ଲା ମହାସଭା ଆୟୋଜନ ହୋଇଥିଲା। ସେଥିରେ ଜିଲ୍ଲାର ପ୍ରତ୍ୟେକ ବ୍ଲକ ସଭାପତି ନିର୍ବାଚନ କରାଗଲା ଏବଂ ଟଙ୍କଧର ଭୋଇ ନର୍ଲା ବ୍ଲକ୍ ସଭାପତି ଭାବେ ନିର୍ବାଚିତ ହେଲେ। ସେବେଠାରୁ ୨୦୦୫ ମସିହା ପର୍ଯ୍ୟନ୍ତ ସେ ସଭାପତି ଦୟିତ୍ୱରେ ରହିଥିଲେ। କଳାହାଣ୍ଡି ସମେତ ବଲାଙ୍ଗୀର, କୋରାପୁଟ, ଫୁଲବାଣୀ ଅଞ୍ଚଳରେ ୨୦୦୦ ରୁ ଉର୍ଦ୍ଧ୍ବ ନ୍ୟାୟ ନିଷ୍ପତ୍ତି କରିବା ମଧ୍ୟରେ ଶ୍ରୀ ଭୋଇ ସର୍ବଦା ନ୍ୟାୟ ପକ୍ଷରେ ରହି ଆସିଥିଲେ। ପୂର୍ବପୁରୁଷଙ୍କ ପରମ୍ପରାକୁ ବଞ୍ଚାଇ ରଖି ନ୍ୟାୟକୁ ଛାଡ଼ି ନଥିଲେ କି ଅନ୍ୟାୟକୁ ପ୍ରଶ୍ରୟ ଦେଇ ନଥିଲେ।
ତାଙ୍କର ଅନ୍ୟଏକ ସ୍ୱପ୍ନ ଥିଲା ରେଖପୁରରେ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା। ଏଥିପାଇଁ ସେ ୧୯୯୫ ମସିହାରୁ ଦୋଳ ଯାତ୍ରା ଆରମ୍ଭ କରିବା ସହ ନିଜସ୍ୱ ଜମିରେ ନର୍ଲା ବ୍ଲକ୍ ଯାଦବ ସମାଜର ସମ୍ମତି କ୍ରମେ ମନ୍ଦିର କାର୍ଯ୍ୟ ଆରମ୍ଭ କରିଥିଲେ। ତାହା ନିକଟ ଅତୀତରେ ପ୍ରତିଷ୍ଠା ହୋଇ ତାଙ୍କ ସ୍ୱପ୍ନକୁ ସାକାର କରିଥିଲା।
୪୪ ବର୍ଷ ଧରି ସମାଜସେବାର ସ୍ୱୀକୃତି ସ୍ୱରୂପ ୨୦୦୯ ମସିହାରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପଠାରେ ସ୍କାର୍ଟ ଓଡ଼ିଶା ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ। ସେହିପରି ବୁଢ଼ୀପଦରଠାରେ ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ ଅବସରରେ ଦେବଗିରି ସମାଜସେବା ସମ୍ମାନ ଗ୍ରହଣ କରିଥିଲେ। ଗତ ୧୨ ସେପ୍ଟେମ୍ବର ୨୦୨୬ ରାତ୍ର ୯ ଘଣ୍ଟା ୨ ମିନିଟ୍ ସମୟରେ ସେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ହେତୁ ଇହଧାମ ତ୍ୟାଗ କଲେ।
ଶୈଶବରୁ ଦାୟିତ୍ୱର ଭାର ବୋହି, ଯୁବାବସ୍ଥାରୁ ସମାଜକୁ ସଂଗଠିତ କରି ଏବଂ ପରିପକ୍ୱ ବୟସରେ ମଧ୍ୟ ସମାଜର ନ୍ୟାୟ-ନିଷ୍ପତ୍ତି ଓ ଲୋକମଙ୍ଗଳ ପାଇଁ ନିଜକୁ ଉତ୍ସର୍ଗ କରିଥିବା ଟଙ୍କଧର ଭୋଇଙ୍କ ଜୀବନ ଏକ ଦୀର୍ଘ ସାଧନାର ଦସ୍ତାବିଜ୍। ୪୪ ବର୍ଷର ସମାଜସେବା ଅସଂଖ୍ୟ ମଣିଷଙ୍କ ବିଶ୍ୱାସ, ଆଶା ଓ ଆଶ୍ରୟର ଏକ ଦୀର୍ଘ ଇତିହାସ।
ତାଙ୍କ ନିଷ୍ପତ୍ତିରେ ସମସ୍ତେ ସବୁବେଳେ ସନ୍ତୁଷ୍ଟ ହୋଇଥିବେ କି ନାହିଁ, ତାହା ଇତିହାସର ଅନ୍ୟ ଏକ ପ୍ରଶ୍ନ; କିନ୍ତୁ ତାଙ୍କ ଜୀବନୀରୁ ଯେଉଁ ମୂଳ ମୂଲ୍ୟବୋଧଟି ସ୍ପଷ୍ଟ ହୁଏ, ତାହା ହେଉଛି ନ୍ୟାୟକୁ ନିଜ ସ୍ୱାର୍ଥଠାରୁ ଉର୍ଦ୍ଧ୍ୱରେ ରଖିବା। ସମାଜର ଦାୟିତ୍ୱକୁ ପଦ ବା ପ୍ରତିଷ୍ଠା ଭାବେ ନୁହେଁ, ସେବା ଭାବେ ଗ୍ରହଣ କରିବା। ଏହି ମୂଲ୍ୟବୋଧ ହିଁ ତାଙ୍କ ଜୀବନର ସବୁଠାରୁ ବଡ଼ ଉତ୍ତରାଧିକାର। ଆମେ ସମସ୍ତେ ତାଙ୍କ ଉତ୍ତରାଧିକାରୀ ଭାବେ ଏହି ମୂଲ୍ୟବୋଧକୁ ଜୀବନରେ ଗ୍ରହଣ କଲେ ତାଙ୍କ ଆତ୍ମା ନିଶ୍ଚୟ ଖୁସି ହେବ ଓ ଆଶୀର୍ବାଦର ହାତଟିଏ ସ୍ୱର୍ଗରୁ ବଢ଼ି ଆସିବ।
ସୁନୀଲ କୁମାର ଧଙ୍ଗଡାମାଝୀ
ସଂପାଦକ, ଓଡ଼ିଆ ବାର୍ତ୍ତା





