ଉତ୍କଳ ବିଶ୍ୱବିଦ୍ୟାଳୟରେ ଶୁଭାରମ୍ଭ ହେଲା ‘ଉତ୍କଳ ଡାଏଲଗ୍ସ’ : ଧାରଣା, ଯୁକ୍ତି ଏବଂ ଆଲୋଚନାର ନୂଆ ମଞ୍ଚ

ଓଡ଼ିଆ ବାର୍ତ୍ତା, ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟର ଆର୍‌ଆଣ୍ଡ୍‌ଡି ପଦକ୍ଷେପ ‘ଉତ୍କଳ ଡାଏଲଗ୍ସ : ଆଇଡିଆ • ଆର୍ଗୁମେଣ୍ଟ୍‌ • ବିଅଣ୍ଡ୍’ର ପ୍ରଥମ ଅଧିବେଶନ ଏମ୍‌କେସିଜି ଅଡିଟୋରିୟମ୍‌ରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଇତିହାସ, ଦର୍ଶନ ଓ ଅହିଂସାକୁ ନେଇ ବିଦ୍ୱାନ ଓ ଶିକ୍ଷାବିତ୍‌ମାନଙ୍କ ମଧ୍ୟରେ ଚିନ୍ତନଶୀଳ ଆଲୋଚନା ହୋଇଥିଲା। ଆମେରିକାର ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆ, ଲସ୍ ଆଞ୍ଜେଲସ୍‌ (ୟୁସିଏଲ୍‌ଏ)ର ଇତିହାସ ବିଭାଗର ପ୍ରଫେସର ତଥା ବିଶିଷ୍ଟ ଐତିହାସିକ ପ୍ରଫେସର ବିନୟ ଲାଲ୍ ‘ଅହିଂସା, ହିଂସା ଓ ସ୍ପେସ୍‌ର କବିତ୍ୱ: ଦାଣ୍ଡି, ରବେନ୍‌ ଆଇଲାଣ୍ଡ୍‌ ଏବଂ ମାନବଜାତିର ରୂପାନ୍ତରଣ’ ବିଷୟକ ଶୀର୍ଷକରେ ବକ୍ତବ୍ୟ ରଖିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ପ୍ରଫେସର ଲାଲ୍‌ଙ୍କୁ ସ୍ୱାଗତ କରିଥିଲେ। ପ୍ରଫେସର କିଶୋର କେ. ବସା ଅନ୍ୟତମ ଅତିଥି ଭାବେ ଉପସ୍ଥିତ ଥିଲେ। ବିଶ୍ୱବିଦ୍ୟାଳୟର ଆର୍‌ଆଣ୍ଡ୍‌ଡି ନିର୍ଦ୍ଦେଶକ ପ୍ରଫେସର ପ୍ରସନ୍ନ କୁମାର ପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ନିଜ ବକ୍ତବ୍ୟରେ ପ୍ରଫେସର ଲାଲ୍‌ ଅହିଂସା ଓ ହିଂସାର ଐତିହାସିକ ଏବଂ ଦାର୍ଶନିକ ଦିଗ ଉପରେ ଆଲୋକପାତ କରିବା ସହ ଦାଣ୍ଡି ଓ ରବେନ୍‌ ଆଇଲାଣ୍ଡ୍‌ର ଐତିହାସିକ ପ୍ରେକ୍ଷାପଟ ଏବଂ ସେଗୁଡ଼ିକର ମାନବୀୟ ଚିନ୍ତନ ଉପରେ ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। ବକ୍ତବ୍ୟ ପରେ ଏକ ଆଲୋଚନାତ୍ମକ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଫେସର ଲାଲ୍‌ ଶ୍ରୋତାମାନଙ୍କ ବିଭିନ୍ନ ପ୍ରଶ୍ନ ଓ ମତାମତର ଉତ୍ତର ଦେଇଥିଲେ। ‘ଉତ୍କଳ ଡାଏଲଗ୍ସ’ର ଶୁଭାରମ୍ଭ ମାଧ୍ୟମରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ସମସାମୟିକ ଓ ବୌଦ୍ଧିକ ପ୍ରସଙ୍ଗ ଉପରେ ଚିନ୍ତନ, ତର୍କ ଓ ଅର୍ଥପୂର୍ଣ୍ଣ ଆଲୋଚନା ପାଇଁ ଏକ ନୂଆ ମଞ୍ଚର ଶୁଭାରମ୍ଭ ହେଲା ବୋଲି କୁହାଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.