ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲା ଗୁଡ଼ାରି ବ୍ଲକ ର ପାହାଡ଼ିଆ ଅଞ୍ଚଳରେ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି । ତୁହାକୁ ତୁହା ପବନ ସହ ପ୍ରବଳ ବର୍ଷା ଫଳରେ ପାହାଡ଼ରୁ ମାଟି ଅତଡ଼ା ସହ ବଡ଼ ବଡ଼ ପଥର ଖସି ରାସ୍ତା ଅବରୋଧ ହୋଇଛି । ଫଳରେ ଅନେକ ଗାଁକୁ ଯାତାୟାତ ଏକପ୍ରକାର ଠପ୍ ହୋଇଯାଇଛି । ଗୁଡ଼ାରି ବ୍ଲକ ଅନ୍ତର୍ଗତ ମଧୁବନ ପଞ୍ଚାୟତର ସୁକୁଡ଼ୁବାଜୁ ଗାଁକୁ ଯିବା ରାସ୍ତାରେ ଏଭଳି ଅଘଟଣ ଘଟିଛି । ପେଣ୍ଡିଲି ପଞ୍ଚାୟତର ତେମ୍ବାଗୁଡ଼ା ଛକରୁ ସୁକୁଡ଼ୁବାଜୁ ଗାଁ ନିକଟସ୍ଥ ପାହାଡ଼ିଆ ରାସ୍ତାରେ ମାଟି ଅତଡ଼ା ସହ ଦୁଇଟି ବିଶାଳ ପଥର ଖସି ପଡ଼ିବାରୁ ରାସ୍ତା ସମ୍ପୂର୍ଣ୍ଣ ଅବରୋଧ ହୋଇଛି । ଏହି ରାସ୍ତାଟି ବଡ଼ କତିଲି,ସାନ କତିଲି,ବଣ୍ଡିଲି,ତାଡ଼ିଲୋଟା ସମେତ ଅନେକ ଗାଁର ଲୋକଙ୍କ ପାଇଁ ଯାତାୟାତର ଏକମାତ୍ର ମୁଖ୍ୟ ମାଧ୍ୟମ । ରାସ୍ତା ଅବରୋଧ ହେବା ଫଳରେ ଏହି ସବୁ ଗାଁର ଲୋକେ ଦୈନନ୍ଦିନ ଯାତାୟାତରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ଲୋକଙ୍କ ସୂଚନା ପ୍ରକାର ପ୍ରବଳ ବର୍ଷା ହେଲେ ପାହାଡ଼ରୁ ମାଟି ଅତଡ଼ା ଓ ପଥର ଖସିବା ଏଠାରେ ନିୟମିତ ଘଟଣା ପାଲଟିଛି । ପୂର୍ବରୁ ମଧ୍ୟ ଏହି ରାସ୍ତାରେ ପଥର ଖସି ଯାତାୟାତ ବାଧାପ୍ରାପ୍ତ ହୋଇଥିବା ନଜିର ରହିଛି । ତେଣୁ ପ୍ରତିବର୍ଷ ବର୍ଷା ଋତୁରେ ଏହି ଅଞ୍ଚଳବାସୀଙ୍କ ମନରେ ଆଶଙ୍କା ଦେଖାଦେଉଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ସହ ପାହାଡ଼ିଆ ରାସ୍ତାର ସୁରକ୍ଷା ପାଇଁ ଆବଶ୍ୟକ ପ୍ରତିରୋଧକ ବ୍ୟବସ୍ଥା କରିବାକୁ ସୁକୁଡ଼ୁବାଜୁ ଗ୍ରାମର ପୂର୍ବତନ ସରପଞ୍ଚ ପାଣି ମାମ୍ବଲାକା,ନୀର ମାମ୍ବଲାକା ଓ ଗମାଙ୍ଗ ମାମ୍ବଲାକା ଦାବି କରିଛନ୍ତି । ତୁରନ୍ତ ରାସ୍ତାରୁ ମାଟି ଓ ପଥର ହଟାଇ ଯାତାୟାତ ସ୍ୱାଭାବିକ କରିବା ସହ ଭବିଷ୍ୟତରେ ଏଭଳି ସମସ୍ୟା ନଘଟିବା ପାଇଁ ସ୍ଥାୟୀ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି ।





