ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ପ୍ରକୃତିର କୋଳରେ ଏବେ ଉତ୍ସବର ଋତୁ । ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ବେଲକଣା ଗାଁ ନିକଟସ୍ଥ ନାଗାବଳୀ ନଦୀ କୂଳରେ ଏବେ ଦେଖିବାକୁ ମିଳିଛି ଅପରୂପ ଶୋଭା । ନଦୀ ତୁଠରେ ଧାଡ଼ି ଧାଡ଼ି ହୋଇ ଫୁଟି ଉଠିଛି ଶୁଭ୍ରଙ୍କର କାଶତଣ୍ଡି ଫୁଲ । ଦୂରରୁ ଦେଖିଲେ ମନେହେଉଛି ସତେ ଯେମିତି ନାଗାବଳୀର ବାଲିଚରାରେ କେହି ଧଳା ରୂପେଲି ଚାଦରଟିଏ ବିଛାଇ ଦେଇଛି । ପବନର ତାଳେ ତାଳେ ଝୁଲୁଥିବା ଏହି କାଶତଣ୍ଡି ଫୁଲ କେବଳ ଏକ ଋତୁ କାଳୀନ ଦୃଶ୍ୟ ନୁହେଁ,ବରଂ ଧରା ପୃଷ୍ଠକୁ ମାଁ ଜଗଜ୍ଜନନୀ ଦୁର୍ଗାଙ୍କ ଆଗମନର ଏକ ପବିତ୍ର ସଂକେତ । ପୌରାଣିକ ବିଶ୍ୱାସ ଅନୁଯାୟୀ କାଶତଣ୍ଡି ଫୁଲ ଫୁଟିବା ମାନେ ପ୍ରକୃତି ନିଜେ ଚାମର ଧରି ମାଁ ଦୁର୍ଗତି ନାଶିନୀଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହୋଇସାରିଛି । ବର୍ଷାର କଳାହାଣ୍ଡିଆ ମେଘ ଦୂରେଇ ଯାଇ ଶରତର ଆଲୋକ ଧରାପୃଷ୍ଠକୁ ଆଲୋକିତ କରିବା ସହ ନାଗାବଳୀର କୁଲୁକୁଲୁ ନାଦ ସାଙ୍ଗକୁ କାଶତଣ୍ଡିର ଏହି ଶୁଭ୍ର ହସ ଆଗାମୀ ଶାରଦୀୟ ଦୁର୍ଗାପୂଜା ଓ ଦଶହରାର ଆଭାସ ଦେଉଛି । ବେଲକଣାର ଏହି ମନୋରମ ପରିବେଶ ଏବେ ସ୍ଥାନୀୟ ଲୋକଙ୍କ ସମେତ ବାଟୋଇ ମାନଙ୍କ ପାଇଁ ଏକ ମୁଖ୍ୟ ଆକର୍ଷଣ ପାଲଟିଛି । ନଦୀକୂଳରେ କାଶତଣ୍ଡିର ନୃତ୍ୟ ଦେଖି ଚାଷୀ ମନରେ ଖୁସିର ଲହରୀ ଖେଳିଯାଇଛି ତ ଅନ୍ୟପଟେ ଗାଁ ଗହଳିରେ ଆରମ୍ଭ ହୋଇଯାଇଛି ପାର୍ବଣର ପ୍ରସ୍ତୁତି । ମାଟିର ବାସ୍ନା ଆଉ ପବନର ଶିହରଣ କହିଦେଉଛି ଧରାବତରଣ କରୁଛନ୍ତି ମାଁ ଦଶଭୁଜା ।





