କେନ୍ଧାର ପଞ୍ଚାୟତରେ ଲୋକଙ୍କ ମୌଳିକ ସମସ୍ୟା ଉଠିଲା
ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): କେନ୍ଧାର ପଞ୍ଚାୟତରେ ଆୟୋଜିତ ଅଭିଯୋଗ ଶୁଣାଣି ଶିବିରରେ ପାନୀୟଜଳ ଯୋଗାଣ, ରାସ୍ତା ମରାମତି, ବିଦ୍ୟାଳୟରେ ଶୌଚାଳୟ ଓ ରୋଷେଇ ଘର ନିର୍ମାଣ ଭଳି ମୌଳିକ ସମସ୍ୟା ନେଇ ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି। ଏହି ଶୁଣାଣିରେ ଲିଖିତ ଭାବେ ଦୁଇଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ବାକି ଅଭିଯୋଗଗୁଡ଼ିକ ମୌଖିକ ଭାବେ ଶୁଣାଯାଇଥିଲା। ତେବେ ଏହି ସମସ୍ୟାଗୁଡ଼ିକ ସହ ସିଧାସଳଖ ଭାବେ ଜଡ଼ିତ ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ (RWS) ବିଭାଗର କୌଣସି ଅଧିକାରୀ ଉପସ୍ଥିତ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସରପଞ୍ଚ କୌଶଲ୍ୟା ଜାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୁଣାଣିରେ ସମିତି ସଭ୍ୟା ପ୍ରତିମା ଜାନୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ପଞ୍ଚାୟତବାସୀ ଉପସ୍ଥିତ ଥିଲେ। ଏହି ଅଭିଯୋଗ ଶୁଣାଣିରେ ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଏଇ) ଅଭିଷେକ ଷଡ଼ଙ୍ଗୀ, ସହକାରୀ ଯନ୍ତ୍ରୀ (ଏଇ) ସଞ୍ଜୟ ପୁଷ୍ଟି, ସହକାରୀ ପ୍ରକଳ୍ପ ଅଧିକାରୀ (ଏପିଓ) ସନ୍ତୋଷୀ ମହାପାତ୍ର ଏବଂ ଜଣେ ଏସିଏଏମ୍ଙ୍କ ସମେତ ବିଭିନ୍ନ ବିଭାଗର କିଛି ଅଧିକାରୀ ଉପସ୍ଥିତ ଥିଲେ।
ଶୁଣାଣି ସମୟରେ ଉପର ମାଗ୍ରା ରାସ୍ତାର ମରାମତି ନେଇ ଅଭିଯୋଗ ହୋଇଥିଲା। ଏହି ରାସ୍ତା ଦେଇ ସ୍ୱାସ୍ଥ୍ୟକର୍ମୀମାନେ ଯାତାୟାତ କରୁଥିବାରୁ ଏହାର ମରାମତି ଜରୁରୀ ବୋଲି ଅଭିଯୋଗକାରୀମାନେ କହିଥିଲେ। ଆସନ୍ତା ୨୩ ତାରିଖରେ ମାଲୁସାହୁନ୍ତ ଉଚ୍ଚ ବିଦ୍ୟାଳୟରେ ଭୀମ ଭୋଇ ସ୍ୱାସ୍ଥ୍ୟ ଶିବିର ହେବାକୁ ଥିବାରୁ ଏହା ପୂର୍ବରୁ ରାସ୍ତା ସମସ୍ୟାର ସମାଧାନ ନେଇ ମଧ୍ୟ ଦାବି ଉଠିଥିଲା। ସେହିପରି ବଣ୍ଡାକାତରା ବିଦ୍ୟାଳୟ ଓ କରେଣ୍ଡ ଗାଁରେ ପାନୀୟଜଳ ଯୋଗାଣ କାର୍ଯ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନଥିବା ନେଇ ଚିରସ୍ମିତା ବେହେରା ଅଭିଯୋଗ କରିଥିଲେ। ବିଦ୍ୟାଳୟରେ ଶୌଚାଳୟ ଓ ରୋଷେଇ ଘର ନଥିବା ନେଇ ନାଏବ ସରପଞ୍ଚ ମଧ୍ୟ ସମସ୍ୟା ଉଠାଇଥିଲେ।
ଅନ୍ୟପକ୍ଷରେ, ପଞ୍ଚାୟତ ଅଭିଯୋଗ ଶୁଣାଣିରେ ବିଭାଗୀୟ ଅଧିକାରୀଙ୍କ ଅନୁପସ୍ଥିତି ନେଇ କୋରାପୁଟ ବିଡିଓଙ୍କ ସହ ଯୋଗାଯୋଗ କରାଯାଇଥିଲା। ଏନେଇ ବିଡିଓ କହିଥିଲେ ଯେ, ପଞ୍ଚାୟତର ଅଭିଯୋଗ ଶୁଣାଣିରେ ଯୋଗଦେବା ପାଇଁ ସମସ୍ତ ସମ୍ପୃକ୍ତ ବିଭାଗକୁ ଚିଠି କରାଯାଇଛି। ତଥାପି କେତେକ ବିଭାଗୀୟ ଅଧିକାରୀ ଶୁଣାଣିରେ ଯୋଗ ଦେଉନାହାନ୍ତି। ଏହା ଜିଲ୍ଲାପାଳଙ୍କ ନିର୍ଦ୍ଦେଶର ଅବମାନନା ସଦୃଶ। ପାନୀୟଜଳ ସମସ୍ୟା ନେଇ ଅଭିଯୋଗ ଶୁଣାଣି ହେଉଥିବା ସତ୍ତ୍ୱେ RWS ବିଭାଗର କୌଣସି ଅଧିକାରୀ ଉପସ୍ଥିତ ନଥିବାକୁ ନେଇ ମଧ୍ୟ ପଞ୍ଚାୟତବାସୀ ପ୍ରଶ୍ନ ଉଠାଇଥିଲେ। ବିଶେଷକରି ବର୍ଷା ଋତୁରେ ପାନୀୟଜଳ ସମସ୍ୟାର ସମାଧାନ ପାଇଁ ସମ୍ପୃକ୍ତ ବିଭାଗର ଉପସ୍ଥିତି ଆବଶ୍ୟକ ଥିବା ବେଳେ ଅଧିକାରୀଙ୍କ ଅନୁପସ୍ଥିତି ଲୋକଙ୍କ ମଧ୍ୟରେ କ୍ଷୋଭ ସୃଷ୍ଟି କରିଥିଲା।
ଏହି ଶୁଣାଣିକୁ ନିର୍ବାହୀ ଅଧିକାରୀ ବିଜ୍ଞାନ ଚନ୍ଦ୍ର ନାୟକ ପରିଚାଳନା କରିଥିବା ବେଳେ ଏଡିଇଓ ସ୍ୱାଗତ ରଞ୍ଜନ ଆଚାର୍ଯ୍ୟ ସହଯୋଗ କରିଥିଲେ। ଏବେ ଶୁଣାଣିରେ ଉଠିଥିବା ଲିଖିତ ଓ ମୌଖିକ ଅଭିଯୋଗଗୁଡ଼ିକର ସମାଧାନ ସହ ସମ୍ପୃକ୍ତ ବିଭାଗଗୁଡ଼ିକ ଆଗାମୀ ଦିନରେ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ପଞ୍ଚାୟତବାସୀଙ୍କ ନଜର ରହିଛି।





