ଓଡ଼ିଶା ରାଜନୀତିରେ ପାଣ୍ଡିଆନ ଯୁଗ

ଏବେ ରାଜ୍ୟ ରାଜନୀତିରେ କେବଳ ଗୋଟିଏ ଚର୍ଚ୍ଚା ଗୋଟିଏ ନାଁ ଭିକେ ପାଣ୍ଡିଆନ। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି କେ ପାଣ୍ଡିଆନ ହଟାତ ଚାକିରୀ ଛାଡିଦେବେ ବୋଲି ବିରୋଧୀ ଦଳ ବିଶ୍ବାସ କରୁ ନ ଥିଲେ। କାରଣ ସେମାନେ ଭାବୁଥିଲେ ଯେ, ଭିକେ ପାଣ୍ଡିଆନ ଚାକିରୀ ଛାଡିଲେ କିଛି କରିପାରିବେ ନାହିଁ। ସେଥିପାଇଁ ସେମାନେ ପୂର୍ବରୁ ପଣ୍ଡିଆନ ଚାକିରୀ ଛାଡି ରାଜନୀତି କରନ୍ତୁ ବୋଲି ଆହ୍ବାନ ଦେଇ ଆସୁ ଥିଲେ। ଏବେ ତାହା ହିଁ ହେଲା। ଭିକେ ପାଣ୍ଡିଆନ ଚାକିରୀ ଛାଡିବାର ମାତ୍ର ଦିନକ ପରେ ଶାସକ ବିଜେଡି ପକ୍ଷରୁ ତାଙ୍କୁ ନବୀନ ଓଡ଼ଶା  ଓ ୫-ଟି ଅଧ୍ୟକ୍ଷରେ ଅବସ୍ଥାପିତ କରାଗଲା।  ସିଧାସଳଖ କ୍ୟାବିନେଟ ପାହ୍ୟା ଦାୟିତ୍ବ ଗ୍ରହଣ କଲେ ପାଣ୍ଡିଆଧ। ହେଲେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ବିରୋଧୀ ବିଜେପି ଓ କଂଗ୍ରେସ। କାରଣ ପାଣ୍ଡିଆନଙ୍କ ଚାକିରୀରୁ ଇସ୍ତଫା ଦେବା ଘଟଣାକୁ କେମିତି ବିରୋଧ କରିବେ ତାହାର ରାସ୍ତା ପାଇପାରୁ ନାହାଁନ୍ତି। କେଉଁଆଡୁ ଆରମ୍ଭ କରିବେ ତାହା କହିବା ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି। ତେବେ ପାଣ୍ଡିଆନ ଚାକିରୀ ଛାଡି ସିଧା ରାଜନୀତି କରନ୍ତୁ ବୋଲି ସେମାନେ ଆଗରୁ ଯେଉଁ ଆହ୍ବାନ ଦେଇଥିଲେ ତାକୁ ଆଉ ଢୋକିପାରୁ ନାହାଁନ୍ତି। ସେଥିପାଇଁ ପାଣ୍ଡିଆନଙ୍କ ଏହି ଇସ୍ତଫା ଘଟଣାକୁ ସେମାନେ ମାପିଚୁପି ମନ୍ତବ୍ୟ ଦେଉଛନ୍ତି। ବିଜେପି ସଭାପତି ମନମୋହନ ସାମଲ ନା ପୁରୁଣା କଥାକୁ ଲୁଚାଇ ପାରୁଛନ୍ତି ନା ନୂଆ କଥାକୁ ସ୍ବାଗତ କରିପାରୁଛନ୍ତି। ମନମୋହନ କହିଛନ୍ତି ଯେ, ଆମେ ଆଗରୁ କହିଥିଲୁ, ସେ ଚାକିରୀରୁ ଇସ୍ତଫା ଦେଇ ପ୍ରତ୍ୟେକ୍ଷ ରାଜନୀତି କରନ୍ତୁ। ତାହା ହି କରିଛନ୍ତି। ବିଜେପି ତାହାର ନୀତି ଆଦର୍ଶରେ ରହିଛି। ଭବିଷ୍ୟତରେ ରହିବ ମଧ୍ୟ। ଆମେ ତାଙ୍କର ଚାକିରୀ ଓ ରାଜନୀତି ଗୋଟିଏ ନ କରିବା ପାଇଁ ଆହ୍ବାନ କରିଥିଲୁ। ଏଣିକି ଖୋଲା ରାଜନୀତି ହେବ। ସେହିପରି ପାଣ୍ଡିଆନଙ୍କ ଇସ୍ତଫାକୁ କେନ୍ଦ୍ର ସରକାର ଗ୍ରହଣ କରିବା ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। କଂଗ୍ରେସ କହିଛି ଯେ, ସେ ଶୁକ୍ରବାରରେ କେନ୍ଦ୍ର ସରକାରଙ୍କୁ ଇସ୍ତଫା ପତ୍ର ପଠାଇଲେ। ଏହାପରେ ଶନି ରବି ଦୁଇଦିନ ଛୁଟି ଅଛି। ସେହିପରି ସୋମ ମଙ୍ଗଳ ମଧ୍ୟ ଛୁଟି ରହିଛି। ଏହି ଛୁଟିରେ ତାଙ୍କର ଇସ୍ତଫାକୁ ଗ୍ରହଣ କରି ବିଜ୍ଞପ୍ତି ପ୍ରକାଶ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ଆଗରୁ ଆମେ ବିଜେଡି ବିଜେପି ଭାଇଭାଇ ବୋଲି କହି ଆସିଛୁ। ଏହାର ପ୍ରମାଣ ଗୋଟିଏ ପରେ ଗୋଟିଏ ମିଳୁଛି। ପୂର୍ବରୁ ବହୁ ପ୍ରମାଣ ମିଳିସାରିଛି, ବର୍ତ୍ତମାନ ପାଣ୍ଡିଆନଙ୍କ ଇସ୍ତଫାକୁ କେନ୍ଦ୍ର ସରକାର ତରବରିଆ ଭାବେ ଗ୍ରହଣ କରିବାରୁ ସ୍ପଷ୍ଟ ହୋଇଛି ଯେ, ବିଜେଡି ବିଜେପି ଭାଇଭାଇ ଘଟଣା ସତକଥା। ଉଭୟ ଦଳ ଶାସନ କ୍ଷମତାକୁ ଆସିବା ପାଇଁ ଏକ ଷଡଯନ୍ତ୍ର କରୁଛନ୍ତି। ତେବେ ପାଣ୍ଡିଆନଙ୍କୁ ନେଇ ରାଜନୈତିକ ବିଶେଷଜ୍ଞଙ୍କ ଭିନ୍ନ ମତ। ତାହା ହେଲା ଭିକେ ପାଣ୍ଡିଆନ ରାଜ୍ୟ ସରକାରରେ ଏକ ବଡ ପଦବୀରେ ରହିବା ନିଶ୍ଚିତ ଭାବେ ଆଗାମୀ ରାଜନୀତିରେ ଏକ ବଡ ପରିବର୍ତ୍ତନର ସମ୍ଭାବନା ରହିଛି। ବର୍ତ୍ତମାନ ପାଣ୍ଡିଆନଙ୍କ ପୂର୍ବର କ୍ଷମତା ଯାହା ଥିଲା ତାହା ରହିଲା। ହେଲେ ବାକି ରହିଲା ସେ ବିଜେଡିରେ କେବେ ଯୋଗଦେବେ। ତେବେ ପାଣ୍ଡିଆନଙ୍କ ଇସ୍ତଫା ରାଜ୍ୟ ବିରୋଧୀ ଦଳ ପାଇଁ ବୁମେରାଂ ହୋଇଯାଇଛି। ସମୀକ୍ଷକଙ୍କ କହିବା କଥା ବିରୋଧୀ ଆଗରୁ କହୁଥିଲେ ଯେ, ପାଣ୍ଡିଆନ ଚାକିରୀ ଛାଡି ସିଧା ରାଜନୀତିରେ ଯୋଗ ଦିଅନ୍ତୁ ଆମେ ସ୍ବାଗତ କରିବୁ। ଏବେ ତ ତାହା ହିଁ ହେଲା, ସେଥିପାଇଁ ବିରୋଧୀ ଦଳ ଭିକେ ପାଣ୍ଡିଆନଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିବାର ଆବଶ୍ୟକତା ରହିଛି।
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.