ଫିଲ୍ମର ପୋଷ୍ଟର ଚିରିବା ସହ ହଙ୍ଗାମା କଲେ କୋଶଲ ମୁକ୍ତି ମୋର୍ଚ୍ଚା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡିରେ ଓଡ଼ିଆ ଫିଲ୍ମକୁ ବିରୋଧ। ଭବାନୀପାଟଣାରେ ଥିବା ଭାଗିରଥି ସିନେମା ହଲରେ କୋଶଲ ମୁକ୍ତି ମୋର୍ଚ୍ଚାର କର୍ମକର୍ତ୍ତାମାନେ ବିରୋଧ କରି ଓଡ଼ିଆ ଫିଲ୍ମର ପୋଷ୍ଟର ଚିରିବା ସହ ହଙ୍ଗାମା କରିଛନ୍ତି। ବଲାଙ୍ଗୀର ତଥା ସମଗ୍ର ପଶ୍ଚିମ ଓଡିଶାରୁ ଆସିଥିବା ତଥା ଭବାନୀପାଟଣାର କୋଶଲ ମୁକ୍ତି ମୋର୍ଚ୍ଚାର ଯୁବକମାନେ ମିଶି ଓଡ଼ିଆ ଫିଲ୍ମକୁ ଜୋରଦାର ବିରୋଧ କରିଛନ୍ତି। ଓଡ଼ିଆ ଫିଲ୍ମକୁ ବ୍ୟାନ କରିବା ସହ ଟୁଟୁ ନାଏକଙ୍କୁ ଗିରଫ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ତାଙ୍କ ସହ ପଶ୍ଚିମ ଓଡିଶା ବିରୋଧରେ କହୁଥିବା ସମସ୍ତ କଳାକାର ଏବଂ ଅଭିନେତ୍ରୀ ରୂପଶ୍ରୀ ପଣ୍ଡା ମଧ୍ୟ ଭୁଲ ମାଗନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ଓଡ଼ିଆ ଫିଲ୍ମ ମାଲ୍ୟଗିରି ଏବଂ ରାମର ପୋଷ୍ଟରକୁ ଚିରିବା ସହ ଏହି ପୋଷ୍ଟରରେ ନିଆଁ ଲଗାଇ ଦେଇଥିଲେ। ଓଡ଼ିଆ ଫିଲ୍ମକୁ ବୟକଟ କରାଯାଉ ଏବଂ ମନୋଜ ମିଶ୍ରଙ୍କ ଫିଲ୍ମ ମାଇଣ୍ଡଗେମକୁ ବିରୋଧ କରୁଥିବାରୁ କଳାହାଣ୍ଡି ତଥା ପଶ୍ଚିମ ଓଡିଶାରେ କୌଣସି ଓଡ଼ିଆ ଫିଲ୍ମକୁ ଚଳେଇ ନ ଦେବା ପାଇଁ ସେମାନେ ଦାବି ରଖିଛନ୍ତି। ସୂଚନାଯୋଗ୍ୟ, ସମ୍ବଲପୁରରେ ଓଡ଼ିଆ ଫିଲ୍ମ ରିଲିଜ୍ ନ କରାଇବା ଦେବା ପଛରେ ଅଭିନେତା ମନୋଜ ମିଶ୍ରଙ୍କ ହାତ ଥିବା ଅଭିଯୋଗ ହୋଇଥିଲା। ଏହାକୁ କେନ୍ଦ୍ର କରି ଓଲିଉଡରେ ବିବାଦ ତେଜିବାରେ ଲାଗିଛି। ମନୋଜ ମିଶ୍ରଙ୍କୁ ଓଲିଉଡରୁ ଦୁଇ ବର୍ଷ ବାସନ୍ଦ କରିଛି ପ୍ରଯୋଜକ ସଂଘ। ଏହାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଲାଣି। କଂଗ୍ରେସ ନେତା ନରସିଂହ ମିଶ୍ର ମନୋଜଙ୍କୁ ବାସନ୍ଦ କରାଯିବାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। ପଶ୍ଚିମ ଓଡ଼ିଶା ପ୍ରତି ସର୍ବଦା ପାତର ଅନ୍ତର କରାଯାଉଥିବା ସେ କହିଛନ୍ତି। ଏମିତି ହେଲେ ଓଡ଼ିଶା ଦୁଇ ଫାଳ ହେବ ଏବଂ ଏଥିପାଇଁ ସରକାର ଦାୟୀ ରହିବେ ବୋଲି କହିଥିଲେ। ସେପଟେ ମନୋଜ ମିଶ୍ର ଶନିବାର ସାମ୍ବାଦିକ ସମ୍ମିଳନୀ କରି ନିର୍ଦ୍ଦେଶକ ଟୁଟୁ ନାୟକଙ୍କ ଉପରେ ବର୍ଷିବା ସହିତ ତାଙ୍କ ଫିଲ୍ମରେ କେବେ ଅଭିନୟ କରିବେ ନାହିଁ ବୋଲି କହିଛନ୍ତି। ସେହିପରି ମାଇଣ୍ଡଗେମର ପ୍ରଯୋଜକ ମଧ୍ୟ ଟୁୁଟୁ ନାୟକଙ୍କୁ ରାଜନୀତି ନ କରି ଭଲ ଫିଲ୍ମ ତିଆରି କରିବା ଉପରେ ଧ୍ୟାନ ଦେବାକୁ ଉପଦେଶ ଦେଇଛନ୍ତି।