ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନଭେମ୍ବର ୧ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବାନୀପାଟଣା ଆସି ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ସହ ସହିଦ୍ ରେଣ୍ଡୋ ମାଝୀ ମେଡିକାଲ କଲେଜ ଏବଂ ଭବାନୀପାଟଣା ବସ ଟର୍ମିନାଲ ଉଦଘାଟନ କରିବେ । ଜିଲ୍ଲାରେ ଚାଲିବାକୁ ଥିବା ୬୩ଗୋଟି ଲକ୍ଷ୍ମୀ ବସ ପୂର୍ବରୁ ଭବାନୀପାଟଣା ଆସି ପହଞ୍ଚି ସାରିଛି । ଏସବୁ ବସ ଗ୍ରାମ ପଞ୍ଚାୟତରୁ ବ୍ଲକ ହେଡକ୍ୱାଟର୍ସ ଦେଇ ଜିଲ୍ଲା ସଦର ମହକୁମାକୁ ଚାଲିବ । ଭବାନୀପାଟଣାରେ ଏହି ଯୋଜନାକୁ ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଏପଟେ ଜିଲ୍ଲସାରାର ୧୩ ଗୋଟି ବ୍ଲକରୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଭବାନୀପାଟଣା ଯିବେ । ଏଥିପାଇଁ ପ୍ରତି ବ୍ଲକ ଅଞ୍ଚଳକୁ ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି । ନର୍ଲାରେ ଆସି ପହଞ୍ଚିଛି ୧୮ ଗୋଟି ବସ । ଏଥିରେ ଯିବେ ୧୨୦୦ ମହିଳା । ମଙ୍ଗଳବାର ଏନେଇ ନର୍ଲା ବ୍ଲକ ସମ୍ମେଳନ କକ୍ଷରେ ନର୍ଲାର ନୁତନ ବିଡିଓ ଏନ. ଜଗଜୀବନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏବିଡିଓ ଦେବେନ୍ଦ୍ର ସାମଲ, ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁଧାଂଶୁ ମହାଲି, ଯୋଗାଣ ଅଧିକାରୀ ଶିବପ୍ରସାଦ ମହାନ୍ତି ପ୍ରମୁଖ ମଞ୍ଚାସୀନ ରହି ସମସ୍ତ ବିଷୟ ଆଲୋଚନା କରିଥିଲେ । ପ୍ରଥମେ ନୂତନ ବିଡିଓ ଶ୍ରୀ ଚୌଧୁରୀ ସମସ୍ତଙ୍କୁ ସ୍ୱାଗତ ଜଣାଇ ପରିଚୟ ପ୍ରଦାନ ପାଇଁ କହିଥିଲେ । ନର୍ଲା ଜିପିଇଓ କ୍ଷୀତିଶ ଚନ୍ଦ୍ର ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ସର୍ଗିଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କିରଣ ଚନ୍ଦ୍ର ସାହୁ, ଭାନପୁର କାର୍ଯ୍ୟ ନିର୍ବାହୀ ଅଧିକାରୀ କ୍ଷୀରସିନ୍ଧୁ ରଣାଙ୍କ ସମେତ ସମସ୍ତ ପିଇଓ, ସର୍ଗିଗୁଡା ଯୋଗାଣ ସହାୟକ ଟଙ୍କଧର ସାଙ୍କ ସମେତ ସମସ୍ତ ଯୋଗାଣ ସହାୟକ, ଆରଡବ୍ଲୁଏସଏସ ନର୍ଲା ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ଆଇସିଡିଏସ ନର୍ଲାର ସମସ୍ତ ସୁପରଭାଇଜରମାନେ ଉପସ୍ଥିତ ଥିଲେ । ବ୍ୟବସ୍ଥା ବୈଠକରେ ଏବିଡିଓ ଶ୍ରୀ ସାମଲ ସମସ୍ତ ବିଷୟ ଅବଗତ କରାଇଥିବା ବେଳେ ମିଶନ ଶକ୍ତିର ବ୍ଲକ ସଂଯୋଜକ ରୋହିତ କୁମାର ବିଶ୍ୱାଳ ଏବଂ ବିଏଲସି ସନତ କୁମାର ସାହୁ ମହିଳାମାନେ ଯିବା ପାଇଁ ନର୍ଲାକୁ ଆସିଥିବା ୧୮ ଗୋଟି ସରକାରୀ ବସରେ ୧୨୦୦ ମହିଳା ଯିବେ ସେ ନେଇ ରୁଟ ଚାର୍ଟ ଏବଂ କେଉଁ ବସ କେଉଁ ଗ୍ରାମ ପଞ୍ଚାୟତରୁ ଛାଡିବ ସେନେଇ ସୂଚନା ପ୍ରଦାନ କରିଥିଲେ । ବୁଧବାର ସକାଳ ୭ ଘଣ୍ଟା ସମୟରେ ସମସ୍ତ ବସ ବିଭିନ୍ନ ଗ୍ରାମ ପଞ୍ଚାୟତ ହେଡ କ୍ୱାଟର୍ସରୁ ନର୍ଲା ଆସି ଏଠାରେ ଜଳଖିଆର ବ୍ୟବସ୍ଥା ପରେ ଭବାନୀପାଟଣା ଯିବ । ସିଆରପି ଏବଂ ଏମବିକେମାନେ ମହିଳାମାନଙ୍କ ସହ ଯୋଗାଯୋଗ କରି ଆଗରୁ ସେମାନଙ୍କୁ ପ୍ରସ୍ତୁତ କରି ରଖିଥିବେ । ବସ ସବୁ ନିର୍ଦ୍ଦିଷ୍ଟ ସ୍ଥାନରୁ ନିର୍ଦ୍ଧାରିତ ସମୟରେ ଛାଡିବ । ବସ ଗୁଡିକ ପାଇଁ ନର୍ଲା ବ୍ଲକ ଅଧିନସ୍ଥ ଅଧିକାରୀମାନେ ନୋଡାଲ ଅଧିକାରୀ ଭାବରେ ବ୍ୟବସ୍ତା ବୁଝିବେ ବୋଲି ସୂଚନା ଦିଆଯାଇଥିଲା । ଆସନ୍ତା କାଲି ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଭବାନିପାଟଣା କାର୍ଯ୍ୟକ୍ରମକୁ ମହିଳାମାନେ ଯିବାପାଇଁ ନର୍ଲା ବ୍ଲକ ଅଫିସକୁ ୧୮ ଗୋଟି ବସ ଆସି ପହଞ୍ଚି ସାରିଛି । ବସ ଗୁଡିକ ନିର୍ଦ୍ଧାରିତ ସ୍ଥାନକୁ ଆସି ସଂଧ୍ୟା ୫ ଘଣ୍ଟା ସମୟରେ ଯାଇ ସେଇଠି ରାତ୍ରୀ ରହଣୀ କରିବ ବୋଲି ସୂଚନା ମିଳିଛି । ଠିକ ସେହିଭଳି କାର୍ଯ୍ୟକ୍ରମ ସରିଯିବା ପରେ ଲୋକଙ୍କୁ ନିଜ ଗାଁ ମାନଙ୍କରେ ଉକ୍ତ ବସ ଛାଡିବ ବୋଲି ସୂଚନା ପ୍ରଦାନ କରିଛନ୍ତି ନର୍ଲା ବିପିସି ଓ ବିଏଲସି । ମୁଖ୍ୟମନ୍ତ୍ରୀ ଭବାନୀପାଟନାରେ ବୁଧବାର ଲକ୍ଷ୍ମୀବସ ଚଳାଚକୁ ଉଦ୍ଘାଟନ କରିବା ପରେ ନର୍ଲାରେ ଆସନ୍ତା ୩ ଶୁକ୍ରବାର ନର୍ଲାରେ ମଧ୍ୟ ଲକ୍ଷ୍ମୀବସ ଗଡିବ । ଏଥିପାଇଁ ନର୍ଲା ହାଇସ୍କୁଲ ପଡିଆରେ ପୁର୍ବାହ୍ନ ୧୧ ଘଣ୍ଟା ମୟରେ ବ୍ଲକ ପ୍ରଶାସନ ତରଫରୁ ରଖାଯାଇଛି କାର୍ଯ୍ୟକ୍ରମ ।