ମେଦିନୀଧର ଜାନୀଙ୍କୁ ଦେବଗିରି କଳା ସମ୍ମାନ, ଶ୍ୟାମଙ୍କୁ ଶିଳ୍ପୀ ସମ୍ମାନ : ସଂଗଠନରେ ପ୍ରଫୁଲ୍ଲ ଠାକୁର, ସମାଜସେବାରେ ଦଣ୍ଡପାଟ ଯୁବ ସେବା ସଂଗଠନ

ମାନଗୋବିନ୍ଦ ମହାନ୍ତି, ନରସିଂହ ବାରିକ, ଯାଦବେନ୍ଦ୍ର ସାହା, ଅର୍ଜୁନ ଗୋପାଳ, ରୋହିତ ବିଶ୍ୱାଳଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପ୍ରଦତ୍ତ ମର୍ଯ୍ୟାଦାଜନକ ଦେବଗିରି କଳା ସମ୍ମାନ ପାଇବେ ବରିଷ୍ଠ କନ୍ଧ କଳା ଗବେଷକ ମେଦିନୀଧର ଜାନୀ। ଜୀବନବ୍ୟାପୀ ଆଦିବାସୀ କନ୍ଧ ସମ୍ପ୍ରଦାୟର କଳା ସଂସ୍କୃତି ଉପରେ ଗବେଷଣା ପାଇଁ ତାଙ୍କୁ ସମ୍ମାନିତ କରାଯିବ। ସଂପ୍ରତି ଓଡ଼ିଶା ଆଦିବାସୀ ଭାଷା ସଂସ୍କୃତି ଏକାଡେମୀର ବୋର୍ଡ କମିଟି ସଦସ୍ୟ ଥିବା ଶ୍ରୀ ଜାନୀ ଆଦିବାସୀ ସଂସ୍କୃତିର ବର୍ତ୍ତାବହ ‘ଭୀମା’ ପତ୍ରିକାର ପ୍ରତିଷ୍ଠାତା ତଥା ମୁଖ୍ୟ ସଂପାଦକ ଭାବେ କାର୍ଯ୍ୟରତ ଥିବା ବେଳେ ରାଜ୍ୟ ସରକାରଙ୍କ ଠାରୁ ଆଦିବାସୀ ପ୍ରତିଭା ସମ୍ମାନ ସମେତ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ସମ୍ମାନିତ ହୋଇଛନ୍ତି। ସେହିପରି ଯୁବ ଚିତ୍ରଶିଳ୍ପୀ କ୍ଷୀରସିନ୍ଧୁ ଭୋଇ (ଶ୍ୟାମ)ଙ୍କୁ ଦେବଗିରି ଶିଳ୍ପୀ ସମ୍ମାନ ପ୍ରଦାନ କରାଯିବ। ଭବାନୀପାଟଣା ନିବାସୀ ଶ୍ୟାମ ଚିତ୍ରକଳା ଓ ମୂର୍ତ୍ତିକଳାରେ ବେଶ୍ ଉତ୍କର୍ଷ ଅର୍ଜନ କରିବା ସହ ରାଜ୍ୟ ତଥା ଦେଶର ଅନେକ ସ୍ଥାନରେ ନିଜ କଳା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏଥିସହ ବିଶିଷ୍ଟ ଶିକ୍ଷା ସଂଗଠକ ପ୍ରଫୁଲ୍ଲ କୁମାର ଠାକୁରଙ୍କୁ ଦେବଗିରି ସଂଗଠନ ସମ୍ମାନ ଦିଆଯିବ। ଛାତ୍ରାବସ୍ଥାରୁ ସମ୍ବଲପୁର ବିଶ୍ବବିଦ୍ୟାଳୟ ଛାତ୍ର ସଂସଦର ନେତୃତ୍ୱ ନେଇ ସଂଗଠନ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ଶିକ୍ଷକ ସମାଜର ନେତୃତ୍ୱ ନେଇ ଅନେକ ସଫଳତା ହାସଲ କରିଛନ୍ତି। ସେହିପରି ଦେବଗିରି ସମାଜସେବା ସମ୍ମାନ କଳାହାଣ୍ଡି ଜିଲ୍ଲାର ବେହେରା ସ୍ଥିତ ଦଣ୍ଡପାଟ ଯୁବ ସେବା ସଂଗଠନକୁ ପ୍ରଦାନ କରାଯିବ। ମହିଳା ସଶକ୍ତିକରଣ, ଅସହାୟ, ଦିବ୍ୟାଙ୍ଗ ଓ ବିଧବାଙ୍କୁ ଶୀତବସ୍ତ୍ର ଓ ନୂତନ ବସ୍ତ୍ର ବଣ୍ଟନ, ବେକାରୀ ଦୂରୀକରଣ, ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଶିକ୍ଷା, ଆମ୍ବୁଲାନ୍ସ ସେବା ଆଦି କ୍ଷେତ୍ରରେ ଏହା ସକ୍ରିୟ ରହିଛି। ଏମାନଙ୍କ ସହ ରୁପ୍ରାରୋଡର ବରିଷ୍ଠ ସମାଜସେବୀ ତଥା ରାଜନେତା ମାନଗୋବିନ୍ଦ ମହାନ୍ତି, ଶିକ୍ଷାବିତ ନରସିଂହ ବାରିକ, କବି ଯାଦବେନ୍ଦ୍ର ସାହା, କବି ଅର୍ଜୁନ ଗୋପାଳ, କଳାକାର ରୋହିତ ବିଶ୍ୱାଳ (ଧୃବ)ଙ୍କୁ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ପ୍ରଦାନ କରାଯିବ। ଚଳିତ ନଭେମ୍ବର ୨୫ରୁ ୨୭ ତାରିଖ ଯାଏଁ ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଠାରେ ଆୟୋଜିତ ହେବାକୁ ଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୧ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ-୨୦୨୩ ଅବସରରେ ଉକ୍ତ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଖୁବଶୀଘ୍ର ଅନ୍ୟ ବିଭାଗରେ ସମ୍ମାନ ଘୋଷଣା କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.