ନାଟ୍ୟ ନିର୍ଦ୍ଦେଶକ ତଥା ଗବେଷକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ଦେହାନ୍ତ : ସ୍ତବ୍ଧ ଅଞ୍ଚଳବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲାର ଜଣେ ସୁପରିଚିତ ନାଟ୍ୟ ନିର୍ଦ୍ଦେଶକ, ଗବେଷକ ତଥା ମ.ରାମପୁର ମହାବିଦ୍ୟାଳୟର ଓଡ଼ିଆ ବିଭାଗର ପୂର୍ବତନ ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ (୬୧) ଆଜି ପ୍ରାୟ ଏକ ଘଣ୍ଟା ସମୟରେ ବରଗଡସ୍ଥିତ ବିକାଶ ବେସରକାରୀ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ବରଣ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ମ.ରାମପୁର ତଥା ଆଖପାଖ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ସେ ଗତ ଅଗଷ୍ଟ ମାସରେ ଅଧ୍ୟାପନାରୁ ଅବସର ଗ୍ରହଣ କରିଥିଲେ। ସେ ଲୋକ ନାଟକ, ଲୋକ ସଂସ୍କୃତିର ଗବେଷକ ଏବଂ ନାଟ୍ୟ ନିର୍ଦ୍ଦେଶକ ଥିଲେ। ସ୍ଥାନୀୟ ଅଞ୍ଚଳରେ ଲୋକ କଳାର ପ୍ରଚାର ପ୍ରସାର ଦିଗରେ ସେ ନିରବଚ୍ଛିନ୍ନ ଭାବରେ ପ୍ରୟାସ ଜାରି ରଖିଥିଲେ। ତାଙ୍କ ପ୍ରଚେଷ୍ଟାରେ ଅନେକ ନାଟ୍ୟ ସଂସ୍ଥା, ଅନୁଷ୍ଠାନ ଗଢି ଉଠିଛି। ତାଙ୍କ ରଚନା ଏବଂ ନିର୍ଦ୍ଦେଶନାରେ ପାଇକପଡ଼ାର ରାମଜୀ ନାଟ୍ୟ ସଂଘର ରାମଲୀଳା ଜିଲ୍ଲା ତଥା ଜିଲ୍ଲା ବାହାରେ ବହୁ ପ୍ରସିଦ୍ଧି ଲାଭ କରିଛି। ନିକଟ ଅତୀତରେ ଗତ ନଭେମ୍ବର ମାସ ୨୫ ଓ ୨୬ ତାରିଖ ଦୁଇ ଦିନ ଧରି ଚନ୍ଦ୍ର ମଣି ନାଟ୍ୟ ସଂଘ ଶତ ବାର୍ଷିକୀ ମହୋତ୍ସବ ପାଳନ ଅବସର ରେ ମଞ୍ଚସ୍ଥ ହୋଇଥିବା ଦୁଇଟି ନାଟକର ନିର୍ଦ୍ଦେଶନା ଦେଇଥିଲେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ଦୀକ୍ଷାନ୍ତ ପ୍ରଶିକ୍ଷଣ ଶିବିର ତାଙ୍କରି ତତ୍ତ୍ଵାବଧାନରେ ଚାଲୁ ରହିଥିଲା। ସେ ଏକା ଧାରରେ ଜଣେ ନାଟ୍ୟକାର, ଲୋକ ନାଟକ ଓ ଲୋକ ସଂସ୍କୃତି ଗବେଷକ, କଳାକାର ତଥା ସଂସ୍କୃତିର ପୂଜାରୀ ଥିଲେ। ତାଙ୍କ ସ୍ଥାନ କେହି ପୂରଣ କରି ପାରିବେ ନାହିଁ ଜିଲ୍ଲା ତଥା ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି। ଅଞ୍ଚଳବାସୀ ଜଣେ ଦକ୍ଷ ସଂଗଠକ, ଜଣେ ପ୍ରତିଭାବାନ ବ୍ୟକ୍ତିଙ୍କୁ ଅକାଳରେ ହରେଇ ଦୁଃଖରେ ମ୍ରିୟମାଣ। ତାଙ୍କ ମୃତ୍ୟୁରେ ଶ୍ରୀ ରାମଜୀଉ ନାଟ୍ୟ ସଂଘ, ଚନ୍ଦ୍ରମଣି ନାଟ୍ୟ ସଂଘ, ଯୁଗଯାତ୍ରୀ ସାହିତ୍ୟ ସଂସଦ, ଆଞ୍ଚଳିକ କାମନାଦଣ୍ଡ ସାଂସ୍କୃତିକ ପରିଷଦ, ଅନେକ କାମନାଦଣ୍ଡ ପୀଠ, ଦଣ୍ଡ ଗୁରୁ ତଥା ଅନେକ ସାଂସ୍କୃତିକ ଅନୁଷ୍ଠାନ ଓ ବୁଦ୍ଧିଜୀବୀ, ସାଧାରଣ ଜନତା, ଛାତ୍ର ଛାତ୍ରୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.