କେନାଲରେ ଯାଉଛି ସହରର ଡ୍ରେନର ଦୂଷିତ ପାଣି: ସଫେଇ ଦାବୀ, ଜିଲ୍ଲପାଳଙ୍କ ଦ୍ୱାରସ୍ଥ ହେଲେ ନୂଆପଡା ସହର ଚାଷୀ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ସହରର ନାଳ, ନର୍ଦମା ଓ ଘରୋଇ ବ୍ୟବହାରର ଦୂଷିତ ଡ୍ରେନ ପାଣିକୁ ସହରବାସୀ ଅପର ଜୋଙ୍କ ପ୍ରକଳ୍ପ କେନାଲରେ ଛାଡ଼ୁଛନ୍ତି। ଏଥିରେ କେନାଲ ପାଣି ପ୍ରଦୂଷିତ ହେବା ସହିତ ଚାଷ କାର୍ଯ୍ୟରେ ସମସ୍ୟା ହେଉଛି। ଆଜି ସ୍ଥାନୀୟ ସହରବାସୀ ଓ ଚାଷୀ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ଜିଲ୍ଲପାଳ ହେମକାନ୍ତ ସାୟଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏହି ଲିଖିତ ଅଭିଯୋଗକୁ ଅତିରିକ୍ତ ଜିଲ୍ଲପାଳ ଭୀମସେନ ଶବର ଗ୍ରହଣ କରିଛନ୍ତି। ଏବେ ଦିନକୁ ଦିନ କେନାଲ ପାଣି ପ୍ରଦୂଷିତ ହେଉଥିବାରୁ ସହରବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ସହରବାସୀଙ୍କୁ ସଚେତନ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି। ତେଣୁ ଜିଲ୍ଲପାଳ ଏ ଦିଗରେ ତଦନ୍ତ କରି ୧୫ ଦିନ ମଧ୍ୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଅତିରିକ୍ତ ଜିଲ୍ଲପାଳ ଭୀମସେନ ଶବର ସହରବାସୀ ଓ ଚାଷୀଙ୍କୁ ପ୍ରତିଶୃତି ଦେଇଛନ୍ତି। ସୂଚନା ଯୋଗ୍ୟ ଯେ, ଅପର ଜୋଙ୍କ ପ୍ରକଳ୍ପର ଡାହାଣ ମୁଖ୍ୟ କେନାଲ ନୂଆପଡା ସହର ୱାର୍ଡ ନମ୍ବର ୫, ୬ ଓ ୭ ଦେଇ ଯାଇଛି। କେନାଲ ପାଣିକୁ ଚାଷୀ ଚାଷ କାମ ସହ ସହରବାସୀ ଅନ୍ୟ କାମରେ ବ୍ୟବହାର କରୁଛନ୍ତି। ଏବେ ନାଳ, ନର୍ଦମା ଓ ଘରେ ବ୍ୟବହୃତ ବର୍ଜ୍ୟଜଳ କେନାଲରେ ଛାଡ଼ୁଛନ୍ତି। ଏମିତି କି ଶୌଚାଳୟ ପାଣିକୁ ପାଇପ ଯୋଗେ ଡ୍ରେନ ଜରିଆରେ କେନାଲକୁ ଛାଡୁଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ କେନାଲ ପାଣି ବହୁ ମାତ୍ରାରେ ପ୍ରଦୂଷିତ ହେଉଛି। ଏହି କେନାଲ ପାଣି ଜରିଆରେ ପ୍ଲାଷ୍ଟିକ ଓ ପଲିଥିନ ସାମଗ୍ରୀ ଆସୁଥିବାରୁ ଚାଷ କାର୍ଯ୍ୟ ପ୍ରଭାବିତ ହେଉଛି। ଅନ୍ୟପକ୍ଷେ କେନାଲ ପାଣି ବ୍ୟବହାର କରୁଥିବା ସହରବାସୀ ଓ ଚାଷୀ ନାନାଦି ଚର୍ମରୋଗର ଶିକାର ହେଉଛନ୍ତି। ଏନେଇ ପୂର୍ବରୁ ସହରବାସୀ ଜିଲ୍ଲପାଳଙ୍କୁ ଅବଗତ କରିଥିଲେ। ଗ୍ରୀଭେନ୍ସ ସେଲରେ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ କିନ୍ତୁ ଏହାର କୌଣସି ସୁଫଳମିଳିନଥିଲା। ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଇନଜୀବୀ କ୍ଷିତୀଶ ଅଶୋକ ବୋଧଙ୍କର, ଟିଂକୁ ପଣ୍ଡା, ରୋହିତ ସାହୁ, ହିତେଶ ସାହୁ, ହୋମ ସିଂ ମାଝୀ, ହରିରାମ ସାହୁ, ତାରାଚନ୍ଦ ସାହୁ, ଦେଓଧର ସାହୁ, ଲଖନ ସାହୁ, ସୋମୁଲାଲ ମାଝୀ, ରାଜୁ ରାଉତ, ଯୁବରାଜ ପଣ୍ଡା, ତୁଳସୀ ମାଝୀ, ନର ସିଂ ସାହୁ, ଚିଣ୍ଟୁ ରାମ ମାଝୀ, ଟିକେଶ୍ୱର ମାଝୀ ପ୍ରମୁଖ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.