ସଇଁତଲା ବ୍ଲକକୁ ବୈମାତୃକ ମନୋଭାବ: କଂଗ୍ରେସ ପକ୍ଷରୁ ବ୍ଲକ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ରାଜ୍ୟ ସରକାର ସଇଁତଲା ବ୍ଲକକୁ ବୈମାତୃକ ମନୋଭାବ ଦେଖାଇ ଆସୁଛନ୍ତି। ତେଣୁ ଏହାର ପ୍ରତିବାଦରେ ମଙ୍ଗଳବାର ସଇଁତଲା ବ୍ଲକ କଂଗ୍ରେସ ଦଳ ତରଫରୁ ବ୍ଲକ କାର୍ଯାଳୟକୁ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ ସଇଁତଲା ବିଡ଼ିଓଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ଉଦେଶ୍ୟରେ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇଙ୍କ ନେତୃତ୍ୱରେ ବ୍ଲକ କଂଗ୍ରେସ ସଭାପତି ଗୁଣସାଗର ମାଝୀଙ୍କ ସଭାପତିତ୍ୱରେ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟତଃ ଟିଟିଲାଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବୀ ହୋଇ ଆସୁଥିବା ବେଳେ ରାଜ୍ୟ ସରକାର ତାକୁ ଅଣଦେଖା କରିଆସୁଛନ୍ତି। ସରକାର ତୁରନ୍ତ ଟିଟିଲାଗଡ଼କୁ ଜିଲ୍ଲା ଘୋଷଣା ଓ ସଇଁତଲା ପଞ୍ଚାୟତକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ଦେବାପାଇଁ ଦାବି କରିଛି କଂଗ୍ରେସ। ଏହାସହ ସବ ଟ୍ରେଜେରୀ ଅଫିସ, ଡାକ୍ତରଖାନାରେ ଶବ ବ୍ୟବଛେଦ କେନ୍ଦ୍ର ସ୍ଥାପନ ପାଇଁ  ଦାବୀ ହୋଇଛି। ବିଭିନ୍ନ ମଣ୍ଡି ଗୁଡିକରେ ମନମୁଖୀ ୭/୮ କେଜି ଲେଖାଏଁ କଟନୀ ଛଟନୀ କରୁଥିବା ଚାଷୀନେତାମାନେ ଅଭିଯୋଗ କରିଥିଲେ। ଏପରିକି ବ୍ଲକର ୨୩ ଗୋଟି ପଞ୍ଚାୟତରେ ବିଭିନ୍ନ ସମସ୍ୟା ଗୁଡିକ ଲାଗି ରହିଥିବା ବେଳେ ସରକାର ଅଞ୍ଚଳକୁ ବୈମାତୃକ ମନୋଭାବ ଯୋଗୁଁ ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳଯୋଗାଣ କ୍ଷେତ୍ରରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଏଣୁ ଆସନ୍ତା ଦିନରେ ଯୁବ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭିକେ. ପାଣ୍ଡିଆନ ସଇଁତଲା ବ୍ଲକ ଗସ୍ତରେ ଆସୁଥିବାରୁ ଏ ଦିଗରେ ତୁରନ୍ତ ହସ୍ତକ୍ଷେପ କରନ୍ତୁ, ନଚେତ ବ୍ୟାପକ ଆନ୍ଦୋଳନ ହେବ ବୋଲି କଂଗ୍ରେସ ନେତା ଶ୍ରୀ ସିଂ ଭୋଇ ଚେତାବନୀ ଦେଇଛନ୍ତି। ଏହି ପ୍ରତିବାଦ ସଭାରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ସୁବ୍ରତ ବେହେରା , ପୂର୍ଵତନ ବ୍ଲକ ଉପାଧ୍ୟକ ହୃଷିକେଶ ରାଜପଲିଆ, ବ୍ରଜରଙ୍ଗଲାଲ ଜୈନ, ଚାଷୀ ନେତା ଉତ୍ତମ ପଟେଲ, ମୀନକେତନ ସେଠ, ସତ୍ୟନାରାୟଣ ପଣ୍ଡା, ଯୁବ ସଂଗଠକ ଅମିତ ରଥ, ବ୍ଲକ ସଭାନେତ୍ରୀ ଦୀପାଞ୍ଜଳି ବାରିକ, ଉମେଶ ଭୋଇ, ସୁରେଶ ନାଗ, ପ୍ରେମନନ୍ଦ ଭୋଇଙ୍କ ସମେତ ସରପଞ୍ଚ, ପୂର୍ବତନ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ସହ କଂଗ୍ରେସ କର୍ମୀମାନେ ସାମିଲ ହୋଇଥିଲେ। ସଭାକୁ ବ୍ଲକ କଂଗ୍ରେସ ଉପସଭାପତି ପପୁ ମହାନ୍ତି ପରିଚାଳନା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ସଇଁତଲା ଆଇଆଇସି ଅବନୀ କୁମାର ସାହୁଙ୍କ ତତ୍ତ୍ୱବଧାନ ବ୍ୟାପକ ପୋଲିସ ମୁତୟନ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.