ମନୋଜ ସତ୍ୟବାନ ମହାଜନ ହେଲେ ରାୟଗଡା ଜିଲ୍ଳାପାଳ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଏକ ବଡ ଧରଣର ଅଦଳବଦଳ କରିଛନ୍ତି । ୧୭ ଜିଲ୍ଳାର ଜିଲ୍ଳାପାଳଙ୍କୁ ବଦଳି କରାଯାଇଛି । ରାୟଗଡା ଜିଲ୍ଳାପାଳ ଶ୍ରୀମତି ସ୍ୱଧାଦେବ ସିଂଙ୍କୁ ନୟାଗଡ ଜିଲ୍ଳାପାଳ ଭାବେ ବଦଳି କରାଯାଇ ଥିବା ବେଳେ ଆରଆର-୨୦୧୯ ଆଇଏଏସ ବ୍ୟାଚ ମନୋଜ ସତ୍ୟବାନ ମହାଜନଙ୍କୁ ରାୟଗଡା ଜିଲ୍ଳାପାଳ ଭାବେ ନିଯୁକ୍ତ କରିଛନ୍ତି । ଶ୍ରୀ ମହାଜନ ସୁନ୍ଦରଗଡ ଜିଲ୍ଳାର ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ତୁୁଲାଉଥିଲେ ।
ରାୟଗଡା ଜିଲ୍ଳାପାଳ ଶ୍ରୀମତି ସ୍ୱଧାଦେବ ସିଂ ଗତ ୨୦୨୨ବର୍ଷ ମେ’ମାସ ୨୨ତାରିଖରେ ଜିଲ୍ଳାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଳାରେ ସରକାରଙ୍କ ସମସ୍ତ ଯୋଜନା ଲୋକଙ୍କ ଠାରେ ପହଂଚାଇବା ସହ ଜିଲ୍ଳାର ବିକାଶ ଦିଗରେ ସେ ସବୁବେଳେ ତତ୍ପରତା ପ୍ରକାଶ କରିଥିଲେ । ରାୟଗଡାରେ ତାଙ୍କ ୧ବର୍ଷ ୯ମାସ ଚାକିରି କାଳରେ ୫୦୬ଏକର ଜେଏସକୋ କମ୍ପାନୀ ଜମି ସରକାରୀ ଖାତାକୁ ଫେରିଥିବା ବେଳେ ଜିଲ୍ଳାର ସମସ୍ତ ତହସିଲର ଖତିଆନ୍ କମ୍ପ୍ୟୁଟିକରଣ, କାଡାଷ୍ଟ୍ରାଲ ମ୍ୟାପ୍ ଆଧୁନିକିକରଣ,ଖତିଆନ୍ ସହ କାଡାଷ୍ଟ୍ରାଲ ମ୍ୟାପ୍ ସଂଯୋଗୀକରଣ, ଅନଲାଇନ ଜମି ପଂଜୀକରଣ,ରେକର୍ଡ ରୁମ୍ ଆଧୁନିକିକରଣ ଆଦିର ମାପଦଣ୍ଡରେ ଶତପ୍ରତିଶତ ଲକ୍ଷ୍ୟ ଧାର୍ଯ୍ୟ ହାସଲ କରିଥିବାରୁ ରାୟଗଡା ଜିଲ୍ଳାକୁ ପ୍ଳାଟିନମ୍ ଗ୍ରେଡର ସଫଳତା ମିଳିଥଲା । ଏଥିପାଇଁ ଦିଲ୍ଳୀ ଠାରେ ମହାମହିମ ରାଷ୍ଟ୍ରପତିଙ୍କ ହାତରୁ ଭୂମି ସମ୍ମାନ ଗ୍ରହଣ କରି ସମ୍ମାନୀତ ହୋଇ ଜିଲ୍ଳାକୁ ଗୈାରବାନ୍ନିତ କରିଥିଲେ । ସେହିପରି ଜିଲ୍ଳାପାଳ ସ୍ୱଧାଦେବ ସିଂଙ୍କ ସମୟରେ ଡଙ୍ଗରିଆ କନ୍ଧଙ୍କ ଏମ୍ବ୍ରୋଇଡ୍ ଶାଲ ‘କପଡାଗୁନ୍ଦା’ ଓ ଲାଂଜିଆ ସୈାରାଙ୍କ ଇଡତାଲ ଜିଆଇ ଟ୍ୟାଗ ପାଇପାରିଛି । ରାଜ୍ୟ ସରକାରଙ୍କ ୫-ଟି ଯୋଜନାରେ ଜିଲ୍ଳାର ହାଇସ୍କୁଲ ଗୁଡିକର ରୂପାନ୍ତରିତ କାର୍ଯ୍ୟକ୍ରମକୁ ଅତି ନିକଟରୁ ତଦାରଖ କରିବା ସହ ଆମ ଓଡିଶା ନବୀନ ଓଡିଶା, ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା ଆଦି କାର୍ଯ୍ୟକ୍ରମକୁ ସୂଚାରୁରୂପେ ପରିଚାଳନା ନିମନ୍ତେ ପଦକ୍ଷେପ ଗ୍ରହଣ କରୁଥିଲେ । ମିଶନ ଶକ୍ତି ମାଧ୍ୟମରେ ଜିଲ୍ଳାର ବିଭିନ୍ନ ସ୍ଥାନରେ ମିଶନ କାଫେ ଖୋଲିବା, ଲକ୍ଷ୍ମୀ ବସ ଭଳି ଯୋଜନାରେ ଜିଲ୍ଳାବାସୀ କିଭଳି ଉପକୃତ ହୋଇପାରିବେ ସେଥିପ୍ରତି ସେ ଗୁରୁତ୍ୱ ଦେଇ ଆସୁଥିଲେ । ସେହିପରି ପାନୀୟ ଜଳ ପ୍ରକଳ୍ପ, ନେଟୱାର୍କିଂ ବ୍ୟବସ୍ଥା, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ କ୍ଷେତ୍ରର ବିକାଶ ଦିଗରେ ଜିଲ୍ଳାପାଳ ସ୍ୱଧାଦେବ ସିଂ ଅଧିକ ଗୁରୁତ୍ୱ ଦେଇଆସୁଥିଲେ ।