ପୌରକେଲା-ତାଣ୍ଡିଗାଁ ତେଲନଦୀ ସେତୁ: ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା ବ୍ଲକର ପୌରକେଲା ଠାରୁ ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଲକର ତାଣ୍ଡିଗାଁ କୁ ସଂଯୋଗ କରିବା ପାଇଁ ତେଲ ନଦୀରେ ସୁଉଚ୍ଚ ପୋଲ ନିର୍ମାଣ ପାଇଁ ଗତ ୨୦୨୨ ମସିହା ଏପ୍ରିଲ ମାସରେ ଅର୍ଥ ମଂଜୁର ହୋଇସାରିଥିଲେ ମଧ୍ୟ ଅଦ୍ୟାବଧି ଆଦୌ କାମ ଆରମ୍ଭ ହୋଇନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୂଚନାମତେ, ଭାରତ ସରକାର ଙ୍କ କେନ୍ଦ୍ରୀୟ ରୋଡ ଓ ଭିତିଭୂମି ପାଣ୍ଠି(ସିଆରଆଇଏଫ) ରୁ ଏଇ ସେତୁ ନିର୍ମାଣ ପାଇଁ ୭ କୋଟି ୨୦ ଲକ୍ଷ ଟଙ୍କା ମଂଜୁର ହୋଇଛି । ପ୍ରାୟ ୮୩୦ ମିଟର ଲମ୍ବ ଏଇ ପୋଲ ନିର୍ମାଣ ପାଇଁ ଅଂଚଳବାସୀ ୩୦ ବର୍ଷ ତଳୁ ଦାବୀ କରିଆସୁଥିଲେ । କଳାହାଣ୍ଡି ଓ ବଲାଙ୍ଗୀର ସାଂସଦ ଙ୍କୁ ଅନେକ ସମୟରେ ଏଇ ବିଷୟ ନେଇ ଦୃଷ୍ଟି ଆକର୍ଷଣ କରାଯାଇ ଆସୁଥିଲା । ଶେଷରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଏଠାରେ ପୋଲ ନିର୍ମାଣ ପାଇଁ ଦାବୀ ଉପସ୍ଥାପନ କରି ଅନୁରୋଧ କରିଥିଲେ । ତାପରେ ମନ୍ତ୍ରଣାଳୟ ର ନିର୍ଦ୍ଦେଶ କ୍ରମେ ଏହାର ସର୍ଭେ କରାଯାଇ ଭିତିଭୂମି ପରଖାଯାଇ ରିପୋର୍ଟ ଦିଆଯିବାପରେ କେନ୍ଦ୍ର ସରକାର ପୋଲ ନିର୍ମାଣ ପାଇଁ ଅର୍ଥ ମଂଜୁର କରିଥିଲେ । କିନ୍ତୁ ପାଖାପାଖି ୨ ବର୍ଷ ହେବାକୁ ଯାଉଛି କାମ ଆରମ୍ଭ ହୋଇନାହିଁ । ପ୍ରକାଶଥାଉକି ଏଇ ପୋଲ ନିର୍ମାଣ ହେଲେ କର୍ଲାମୁଣ୍ଡା ବ୍ଲକର ରିଷିଡା ଅଂଚଳରୁ ବଲାଙ୍ଗୀର ଜିଲ୍ଲା ର ତୁଷୁରା ଅଂଚଳକୁ ସିଧାସଳଖ ମାର୍ଗ ଖୋଲିବ ଓ ଅଂଚଳବାସୀ ଶିକ୍ଷା,ସ୍ୱାସ୍ଥ୍ୟ,ବ୍ୟବସାୟ ଓ ଗମନାଗମନ କ୍ଷେତ୍ରରେ ଅଧିକ ସୁବିଧା ପାଇବେ । ଏବେ ମଧ୍ୟ ସ୍ଥାନୀୟ ଲୋକେ ଡଙ୍ଗାରେ ନଦୀ ପାରି ହୋଇ ତୁଷୁରା ଅଂଚଳକୁ ଯାଇଥାନ୍ତି । ଏଇ ପୋଲ ହେଲେ ତୁଷୁରା କୁ ମାତ୍ର ୯ କିମି ଦୂରତା ହେବ ଓ ବଲାଙ୍ଗୀର ସଦର କୁ ଦୂରତା ଆହୁରି ୧୦ କିମି କମିଯିବ । ଏବେ ଯାନବାହନ ରେ ତୁଷୁରାକୁ ଗଲେ ପ୍ରାୟ ୧୮ କିମି ପଡୁଛି । କେନ୍ଦ୍ର ସରକାର ଗମନାଗମନ କୁ ଗୁରୁତ୍ୱ ଦେଉଥିବା ବେଳେ ମଂଜୁର ହୋଇଥିବା ସେତୁ ନିର୍ମାଣ ଆରମ୍ଭ ନ ହେବା କ୍ଷୋଭର ବିଷୟ ବୋଲି କୁହାଯାଉଛି । । ଏହା ମଧ୍ୟ ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି । ଏଥିପ୍ରତି ବିଭାଗୀୟ କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ ହେଉଛି । ନିର୍ବାଚନ ପୂର୍ବରୁ ସେତୁ ଶିଳାନ୍ୟାସ ନହେଲେ ଏହାର ପ୍ରଭାବ ନିର୍ବାଚନରେ ପଡିବ ବୋଲି ଆଲୋଚନା ହେଉଛି ।