ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କାର୍ଯ୍ୟାଳୟଠାରେ ସୋମବାର ବ୍ଳକସ୍ତରୀୟ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି। ଶିବିରରେ ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ, ଧର୍ମଗଡ଼ ଉପ ଜିଲ୍ଲାପାଳ ଧୀମନ ଚକମା, ବିଡ଼ିଓ ସେହ୍ନପ୍ରଭା ମାଝୀ, ତହସିଲଦାର ନବିନ କିଶୋର ପାଢ଼ୀ, ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସମେତ ସ୍ବାସ୍ଥ୍ୟ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ପୂର୍ତ୍ତ ବିଭାଗ, ଜଳ ଓ ପରିମଳ ବିଭାଗ, ଯୋଗାଣ ବିଭାଗ, ବିଦ୍ୟୁତ୍ ବିଭାଗ, ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ, ଅବକାରୀ ବିଭାଗ ପରି ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗର ଅଧିକାରୀମାନେ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିବା ସହ ସେ ସବୁର ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେଇଥିଲେ। ଲଡୁଗାଁର ରାସ୍ତା ସମସ୍ୟା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ, ଯୁକ୍ତ ୨ ବିଜ୍ଞାନ କଲେଜ ସ୍ଥାପନ, ମନଭଙ୍ଗ ସାଗରର ଉନ୍ନତି କରଣ, ବଡପୋଡାଗୁଡା, ବରାଡଙ୍ଗା ଆଦି ଅଞ୍ଚଳରେ ଚାଷ ନିମନ୍ତେ ଜଳ ସେଚନ ବ୍ୟବସ୍ଥା କରିବା ଭଲି ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଶିବିରରେ ବ୍ଳକର ୨୨ ଗୋଟି ପଞ୍ଚାୟତରୁ ୧୦୩ ଜଣ ଲୋକେ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ପଞ୍ଜିକରଣ କରିଥିଲେ। ତେବେ ଆବାସ ଗୃହ ୫୨, ରାସନ୍ କାର୍ଡ ୨ ଓ ଭତ୍ତା ୩ ଜଣ ଭଲି ସମୁଦାୟ ୫୭ଟି ଅଭିଯୋଗ ତତକ୍ଷଣାତ ଶିବିରରେ ସମାଧାନ କରାଯାଇଥିଲା। ତେବେ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠି ସହାୟତା ପାଇଁ ୭ଜଣ ଓ ଅନ୍ୟାନ୍ୟ ଅଭିଯୋଗ ଆସିଥିବା ସୂଚନା ମିଳିଛି। ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଦିପକ କୁମାର ବେହେରା, ବ୍ଳକ ସହକାରୀ ଯନ୍ତ୍ରୀ ସର୍ବେଶ୍ଵର ପ୍ରଧାନ ସମେତ ବ୍ଳକ କର୍ମଚାରୀମାନେ ଉପସ୍ଥିତ ରହି ଶିବିର ପରିଚାଳନାରେ ସହେଯାଗ କରିଥିଲେ।






