୪୫ଂ ତାତିରେ ସିଝୁଛି ନର୍ଲା; ପ୍ରବଳ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ

ଓଡ଼ିଆ ବାର୍ତ୍ତା/କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ପ୍ରବଳ ଗ୍ରୀଷ୍ମ ତାତି ଅନୁଭୁତ ହେଉଛି। ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବା ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ମଇ ମାସ ଶେଷ ଭାଗରେ ଗୋଟିଏ ସପ୍ତାହ ଧରି ପାରଦ ୪୫ ଡିଗ୍ରୀ ଅତିକ୍ରମ କରି ସାରିଲାଣି। ଦିନ ୧୧ ଟା ହୋଇଗଲେ ଖରା ତାତି ଆଉ ସହି ହେଉନି। ଅଂଶୁଘାତ ପ୍ରଭାବରେ କମେଗାଁରେ ଜଣକର ଜୀବନ ଚାଲିଯାଇଥିବା ଖବରରୁ ଜଣାପଡିଛି।  ଅନ୍ୟପକ୍ଷେ ଚଳିତ ବର୍ଷ ବର୍ଷା ଦିନେ କମ୍ ବର୍ଷା ଯୋଗୁଁ ନଈ ବଢି ହୋଇ ନଥିବା ବେଳେ, ବନ୍ଧ ପୋଖରୀ ଗୁଡିକ ମଧ୍ୟ ଭର୍ତ୍ତି ହୋଇ ନଥିଲା। ଫଳ ସ୍ୱରୁପ ମାର୍ଚ୍ଚ ମାସରୁ ନର୍ଲା ସାନ୍ଦୁଲ ନଈ, ବାଗ୍‌ପୁର ନାଳ, ଛତିକୁଡା ନଈ ପ୍ରଭୃତି ଶୁଖି ଯାଇଛି। ଏହି ନଈ କୁଳ ଗୁଡିକରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷର କୁପ ଖନନ କରାଯାଇ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ଏଣୁ ଅପ୍ରେଲ ମାସ ଶେଷ ଭାଗରୁ ନଈ ଗୁଡିକରେ ପାଣି ନାହିଁ । ଅବସ୍ଥା ଖରାପ ହୋଇଗଲାଣି। ଚଳିତ ମାସରୁ ଆଉ ପାନୀୟ ଜଳ ଠିକ୍ ଭାବରେ ଉପଲବ୍ଧ ମଧ୍ୟ ହେଉନାହିଁ। ଅନ୍ୟ ବର୍ଷ ଗୁଡିକ ଭଳି ଚଳିତ ବର୍ଷରେ ଆଦୌ କାଳ ବୈଶାଖି କିମ୍ବା ଵର୍ଷା ହୋଇ ନଥିବାରୁ ମାଟି ସମ୍ପୂର୍ଣ୍ଣ ଭାବରେ ସୁଖିଲା ରହିଛି। ଫଳରେ ଗରମ ଦ୍ୱିଗୁଣା ଅନୁଭୁତ ହେଉଛି। ଏବେ ଗୋଟିଏ ସପ୍ତାହ ହୋଇଗଲା ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ଦେଖିବାକୁ ମିଳୁଛି। ବିଶେଷ କରି ଗତ ଦୁଇଦିନ ଓ ଆଜି ପ୍ରବଳ ଗରମ ଅନୁଭୂତ ହେଉଛ। ପୂର୍ବାହ୍ନ ୧୦ଟା ହୋଇଗଲେ ଘରୁ ବାହାରି ହେଉନି। ଅନ୍ୟପକ୍ଷେ ନର୍ଲାର ଯାତ୍ରୀ ବିଶ୍ରାମ କେନ୍ଦ୍ର ବୋଲି କୁହା ଯାଉଥିବା ଶିଶୁ ମନ୍ଦିର ଛକର ସମସ୍ତ ଗଛ ଗୁଡିକୁ ରାସ୍ତା ପ୍ରଶସ୍ଥିକରଣ ନାଁ ରେ ବିଭାଗ ତରଫରୁ କାଟି ପକେଇବା ଫଳରେ ଶିଶୁ ମନ୍ଦିର ଛକ ସମେତ ରାସ୍ତା କଡର ଗାଁ ଗୁଡିକ ମରୁଭୁମି ସଦୃଶ ପ୍ରତୀୟମାନ ହେଉଛି। ପ୍ରବଳ ଗରମ ଓ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଦିନ ୧୧ ଟା ରୁ ରାସ୍ତାଘାଟ ସବୁ ଶୁନସାନ୍ ଓ ଖାଁଖାଁ ଲାଗୁଛି। ସରକାର ସକାଳ ୭ ଠାରୁ ୧୧ ଯାଏଁ ହିଁ ଶ୍ରମିକ ମାନେ କାମ କରିବେ ବୋଲି କଡାକଡି ନିୟମ କରିଛନ୍ତି। ପ୍ରଚଣ୍ଡ ଖରା ଯୋଗୁଁ ବାଟୋଇ ମାନେ ପାଣି ମୁନ୍ଦିକ ପାଇଁ ହା ହୁତାଶ ହେଉଥିବା ଦେଖିବାକୁ ମିଳୁଛି। ଏଥି ନିମନ୍ତେ ପ୍ରଶାସନ ଆଗକୁ ସଜାଗ ନହେଲେ ଅଂଶୁଘାତ ଭଳି ଅନେକ ସମସ୍ୟା ଉପୁଜିବ ଏଥିରେ ତିଳେହେଲେ ସନ୍ଦେହ ନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.