ମେଧାବୀ ବିଦ୍ୟାର୍ଥୀ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଚଳିତ ବର୍ଷ ବାର୍ଷିକ ହାଇସ୍କୁଲ ପରୀକ୍ଷାରେ ଏ-୧ ଗ୍ରେଡ଼ରେ କୃତିତ୍ୱ ହାସଲ କରିଥିବା ଜିଲ୍ଲାର ୨୫ ଜଣ ମେଧାବୀ ବିଦ୍ୟାର୍ଥୀଙ୍କୁ ଜିଲ୍ଲା ପଶାସନ ତରଫରୁ ଏକ ବିଶେଷ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ପ୍ରଥମେ ସମସ୍ତଙ୍କୁ ସ୍ଵାଗତ କରିବା ସହ ଆମ ଜିଲ୍ଲାର ଗତ ବାର୍ଷିକ ହାଇସ୍କୁଲ ପରୀକ୍ଷାରେ ରାଜ୍ୟସ୍ତରରେ ଉଲ୍ଲେଖନୀୟ ପ୍ରଦର୍ଶନ ତଥା ଏ-୧ ଗ୍ରେଡ଼ ହାସଲ କରିଥିବା ୨୫ ଜଣ ଛାତ୍ର ଛାତ୍ରୀଙ୍କ ବିଷୟରେ ଉଲ୍ଲେଖ କରିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳିନା ପ୍ରଧାନ ଉପସ୍ଥିତ ମେଧାବୀ ଛାତ୍ରଛାତ୍ରୀ ତଥା ସେମାନଙ୍କ ଅନୁଷ୍ଠାନର ମୁଖ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଆମ ଜିଲ୍ଲାର ଗୌରବ ବୃଦ୍ଧି କରିଥିବା ଏହି ମେଧାବୀ ବିଦ୍ୟାର୍ଥୀ ମାନେ ଆଗାମୀ ଦିନରେ ଆହୁରି ଉତ୍ସାହଜନକ ପ୍ରଦର୍ଶନ ପାଇଁ ପ୍ରୟାସ ଜାରି ରଖିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ମେଧାବୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଆଲୋକ ମହଲା ଓ ସୁଲଗ୍ନା ଫରିକାର ପ୍ରମୁଖ ନିଜ ସଫଳତାର ରହସ୍ୟ ତଥା ଆଗାମୀ ଜୀବନର ଲକ୍ଷ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସାହାରା ଟ୍ରଷ୍ଟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇଙ୍କ ସମେତ କୃତି ଛାତ୍ରଛାତ୍ରୀ, ସେମାନଙ୍କ ପିତା ମାତା ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ପ୍ରକାଶ ଯୋଗ୍ୟ ଯେ ଜିଲ୍ଲାର ୨୫ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ଏ-୧ ଗ୍ରେଡ୍ ହାସଲ କରି ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.