ଫକୀରମୋହନ ବିଶ୍ୱବିଦ୍ୟାଳୟ ସହ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ବୁଝାମଣାପତ୍ର ସ୍ଵାକ୍ଷରିତ

ଉତ୍ତର ଓଡିଶାରେ ଶିକ୍ଷାର ବିକାଶ ଆମର ସାମୂହିକ ଦାୟିତ୍ବ :କୁଳପତି

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାର୍ଥିମାନଙ୍କ ପଠନ ଓ ଗବେଷଣାତ୍ମକ ଉନ୍ନତିକରଣର ଲକ୍ଷ୍ଯ ନେଇ ଫକୀରମୋହନ ବିଶ୍ୱବିଦ୍ୟାଳୟ ସହ ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଏକ ବୁଝାମଣାପତ୍ର ସ୍ଵାକ୍ଷର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଠାରେ ଉଲ୍ଲେଖଯୋଗ୍ଯ ଦୁଇ ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଦାୟୀତ୍ବ ନିର୍ବାହ କରି ଆସୁଛନ୍ତି। ଆଜି କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ତଥା ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳସଚିବ କୁକୁମୀନା ଦାସ, ସ୍ନାତକ ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରାଙ୍କ ସମେତ ବିତ୍ତ ନିୟନ୍ତ୍ରକ କରନ ସୋରେନ, ଆଇ.କିୟୁ.ଏ.ସି (ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତତା କକ୍ଷ) ର ନିର୍ଦ୍ଦେଶକ ପ୍ରଫେସର ପଙ୍କଜ କୁମାର ପାଢୀ ତଥା ସମସ୍ତ ବିଭାଗ ମୁଖ୍ଯଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା।

ଏହାସହିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳସଚିବ ସହଦେବ ସମଧିଆ, ସ୍ନାତକ ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁ ଓ ଆଇ.କିୟୁ.ଏ.ସି (ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତତା କକ୍ଷ)ର ନିର୍ଦ୍ଦେଶକ ପ୍ରଫେସର ହିମା ବିନ୍ଦୁ ପ୍ରମୁଖ ଉପସ୍ଥିତ ହୋଇ ଏହି ବୁଝାମଣାପତ୍ରର ମୁଖ୍ଯ ଉଦ୍ଦେଶ୍ଯ ସଂପର୍କରେ ଅବଗତ କରାଇଥିଲେ। କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଦୁଇ ବିଶ୍ୱବିଦ୍ୟାଳୟ ମଧ୍ଯରେ ସ୍ବାକ୍ଷରିତ ଏହି ବୁଝାମଣାପତ୍ରର ମୂଲ୍ଯବୋଧ ସଂପର୍କରେ ଆଲୋକପାତ କରି କହିଥିଲେ ଯେ ଦୁଇ ବିଶ୍ବବିଦ୍ୟାଳୟ ଉତ୍ତର ଓଡିଶାକୁ ଶିକ୍ଷା କ୍ଷେତ୍ରରେ ସର୍ବଶ୍ରେଷ୍ଠ କରିବାନେଇ ସର୍ବଦା ପ୍ରୟାସ କରି ଆସିଛି। ବର୍ତ୍ତମାନ ସମୟରେ ମିଳିତ ଭାବେ ଏହି ପ୍ରକ୍ରିୟାକୁ ଆହୁରି ତ୍ବରାନ୍ବିତ କରି ଆଗେଇଯିବାର ସଂକଳ୍ପ ସହ ଏହି ବୁଝାମଣାପତ୍ର ସ୍ଵାକ୍ଷରର ସଫଳ ରୂପାୟନ କରାଯିବ। ଏଥିସହ ଗବେଷଣାତ୍ମକ ତଥ୍ଯ ଆଦାନପ୍ରଦାନ, ଅନୁଷ୍ଠାନର ପ୍ରଶାସନିକ କାର୍ଯ୍ୟକୁ ସୁଦୃଢ କରିବା, ଗ୍ରାମୀଣ ସ୍ତରର ଖେଳ ଓ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା, ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମ ପ୍ରତି ଆଗ୍ରହ, ପଠନ ସାମଗ୍ରୀ ତଥା ଗବେଷଣାଗାରରେ ଉପଲବ୍ଧ ସୁବିଧାସୁଯୋଗର ବିନିମୟ, ବିଭିନ୍ନ ପାଠ୍ୟକ୍ରମ ସଂପର୍କିତ ବିଶେଷ ବିଷୟଗୁଡ଼ିକରେ ପ୍ରାଧ୍ୟାପକମାନଙ୍କ ପାରସ୍ପରିକ ଯୋଗଦାନ ଓ ମୁଖ୍ଯତଃ ସାମାଜିକ ସଚେତନତା କାର୍ଯ୍ୟକ୍ରମ ସହ ଭାଷା ସାହିତ୍ୟର ବିକାଶ ଆଦି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଆଧାର କରି ଦୁଇ ଅନୁଷ୍ଠାନ କାର୍ଯ୍ୟ-ପ୍ରଣାଳୀ ପ୍ରସ୍ତୁତ କରିବ ବୋଲି କୁଳପତି ମତପୋଷଣ କରିଛନ୍ତି।

ଏହି କାର୍ଯ୍ୟକ୍ରମଟି ବିଶ୍ବବିଦ୍ୟାଳୟର (ଆଇ.କିୟୁ.ଏ.ସି) ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତତା କକ୍ଷର ନିର୍ଦ୍ଦେଶକ ପ୍ରଫେସର ପଙ୍କଜ କୁମାର ପାଢୀଙ୍କ ତତ୍ତ୍ବାବଧାନରେ ସଂପାଦିତ ହୋଇଥିଲା। ବୁଝାମଣାପତ୍ରଟି ଉଭୟ ବିଶ୍ୱବିଦ୍ୟାଳୟର କୁଳସଚିବଙ୍କ ଦ୍ବାରା ସ୍ବାକ୍ଷରିତ ହୋଇଥିଲା।ବୈଠକରେ ଉପସ୍ଥିତ ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନେ ପରସ୍ପରକୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ସମ୍ପୂର୍ଣ୍ଣ ସହଯୋଗରେ କାର୍ଯ୍ୟ କରିବା ନେଇ ଉତ୍ସାହ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ଶେଷରେ(ଆଇ.କିୟୁ.ଏ.ସି) ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତତା କକ୍ଷର ସଂଯୋଜକ ଡ଼କ୍ଟର ମିହିର ତନୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.