ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ରାଇପୁର ପଞ୍ଚାୟତରେ ଅବସ୍ଥିତ ତଥା ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେଵୀ ମାତାରା ତାରିଣୀ ମନ୍ଦିର ପାହାଡ଼ ଉପରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ପୁରୁଷୋତ୍ତମପୁର ବିଡ଼ିଓ ମନୋଜ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶୁକ୍ରବାର ସକାଳ ୭ ଟା ସମୟରେ ବିଶ୍ବ ଯୋଗ ଦିବସ ଉତ୍ସବ ପାଳନ ହୋଇଥିଲା। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା, ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗୋବିନ୍ଦ ଦଣ୍ଡସେନା, କାଉନସିଲର ଅଶୋକ କୁମାର ମହାଙ୍କୁଡ, ସମାଜସେବୀ ଜଗତ ପଣ୍ଡା ଉପସ୍ଥିତ ରହି ନିଜ ନିଜ ବକ୍ତବ୍ୟରେ ବରିଷ୍ଠ ନାଗରିକ ହୁଅନ୍ତୁ କିମ୍ବା ଯୁବବର୍ଗ ହୁଅନ୍ତୁ ସମସ୍ତଙ୍କ ଉତ୍ତମ ସ୍ବାସ୍ଥ୍ୟ ରକ୍ଷା ପାଇଁ କେତୋଟି ସୁକ୍ଷ୍ମ ଯୋଗାସନ, ପ୍ରାଣାୟାମ ଓ ବ୍ୟାୟାମ ଉପରେ ଆଲୋକପାତ କରିଥିଲେ। କେନ୍ଦ୍ରର ଅନ୍ୟତମ ସକ୍ରୀୟ କ୍ରୀଡା ଶିକ୍ଷକ ଜଗନ୍ନାଥ ଜେନା ଉପସ୍ଥିତ ସମସ୍ତ ସଭ୍ୟଙ୍କୁ ତାହା ବିଭିନ୍ନ ଅଙ୍ଗ ଭଙ୍ଗିରେ ଶିକ୍ଷା ଦେଇ ଯୋଗ ଶିଖାଇଥିଲେ। ଏବଂ ଅଧିକାଂଶ ସଦସ୍ୟ ସେଗୁଡିକୁ ଅଭ୍ୟାସ କରିଥିଲେ। ପରିଶେଷରେ ବିଡ଼ିଓ ସମସ୍ତଙ୍କୁଧନ୍ୟବାଦ ଅର୍ପଣ କରିଥିଲେ। ବ୍ଲକ ଏବଂ ଏନଏସିର ସମସ୍ତ କର୍ମଚାରୀ, ଏନଏସିର ସ୍ୱୟଂ ସହାୟିକା ଗ୍ରୁପ ସଦସ୍ୟ ବୃନ୍ଦ ପ୍ରମୁଖଙ୍କ ସମେତ ପ୍ରାୟ ଶତାଧିକ ସଦସ୍ୟ ଅଂଶ ଗ୍ରହଣ ରହି କାର୍ଯ୍ଯକ୍ରମକୁ ସାଫଲ୍ୟ ମଣ୍ତିତ କରାଇଥିଲେ। ମନ୍ଦିରର ମୁଖ୍ୟ ସେବାୟତ ବାପୁଜୀ ରଣା ମାଙ୍କ ସିନ୍ଦୁର, ଏବଂ ଭୋଗ ଆଣି ସମସ୍ତଙ୍କୁ ଦେଇଥିଲେ। ବ୍ଲକର ନୋଡାଲ ଅଫିସର ବରୁଣ କୁମାର ପାତ୍ର ଓ ଏନଏସିର ନୋଡାଲ ସତୀଶ କୁମାର ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।