ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ପଞ୍ଚାୟତ ସମିତି ସରକାରୀ ହାଇସ୍କୁଲର ଜୁନିୟର ଆସିଷ୍ଟାଣ୍ଟ ସୁବାଷ ଚନ୍ଦ୍ର ପଧାନଙ୍କୁ ବିଦ୍ୟାଳୟ ତରଫରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅର୍ଚ୍ଚନା ଦାସଙ୍କ ଅଧ୍ୟକ୍ଷତାରେ ହାଇସ୍କୁଲ ପରିସରରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଲଳିତ ରଣା ଯୋଗଦାନ କରି ସୁବାଷ ପଧାନଙ୍କ ଅବସର ବିଦ୍ୟାଳୟ ପାଇଁ ଅପୁରଣୀୟ କ୍ଷତି ବୋଲି କହିଥିଲେ।

ସଭାପତିଙ୍କ ସ୍ଵାଗତ ଭାଷଣ ପରେ ସୁବାଷ ଚନ୍ଦ୍ର ପଧାନ ଓ ତାଙ୍କ ସହଧର୍ମିଣୀ କ୍ଷିତିସୂତା ପଧାନଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ ଭିନ୍ନ ଭିନ୍ନ ଭାବରେ ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ତେଜରରାଜ ସାହୁ ମଞ୍ଚ ପରିଚାଳନା, ସଂସ୍କୃତ ଶିକ୍ଷୟତ୍ରୀ ଶିଳା ପ୍ରହରାଜ କାର୍ଯ୍ୟକ୍ରମ ସମ୍ପାଦନା ଏବଂ ସହକାରୀ ଶିକ୍ଷୟତ୍ରୀ ସୁସ୍ମିତା ସୁନାମୁଦି ମାନପତ୍ର ପଠନ କରିଥିଲେ। ସୁବାଷ ବାବୁ ଜଣେ କର୍ତ୍ତବ୍ୟ ନିଷ୍ଠ, ସମୟାନୁବର୍ତ୍ତି ଓ ସ୍ନେହୀ ମଣିଷ। ସେ ବିଦ୍ୟାଳୟ ପାଇଁ ଦିନରାତି ପରିଶ୍ରମ କରୁଥିଲେ ଯାହା ଫଳରେ ବିଦ୍ୟାଳୟର ସୁନାମ ରହିଛି। ଆଜି ସେ ଅବସର ନେଇ ଚାଲି ଯାଉଛନ୍ତି। ଆମେ ତାଙ୍କର ଅନୁପସ୍ଥିତିକୁ ଅନୁଭବ କରିବୁ ବୋଲି ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ।

ମୁଁ ବିଦ୍ୟାଳୟକୁ ନିଜର ଘର, ସମସ୍ତ କର୍ମଚାରୀ ମୋର ପରିବାର ବୋଲି ଭାବି ଆସିଛି। ସମସ୍ତଙ୍କ ସ୍ନେହ ଶ୍ରଦ୍ଧାକୁ ଭୁଲି ପାରିବି ନାହିଁ ବୋଲି ବିଦାୟୀ କର୍ମଚାରୀ ଶ୍ରୀ ପଧାନ ତାଙ୍କ ବକ୍ତବ୍ୟରେ କହିଥିଲେ। ଶେଷରେ ପ୍ରଧନ ଶିକ୍ଷୟତ୍ରୀ ଶ୍ରୀମତୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।




