ସିଡିଏମଓ ଅଫିସ ଘେରାଉ ସହ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କିଛି ଡାକ୍ତର ଓ ନର୍ସଙ୍କ ଦୁର୍ବବ୍ୟବହାର ସହ ଜିଲ୍ଲାରେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ଆଜି ନବ ନିର୍ମାଣ କୃଷକ ସଂଗଠନ ଓ ଜିଲ୍ଲା ମିଳିତ କୃଷକ ସଂଗଠନ ତରଫରୁ ୮ ଦଫା ଦାବି ନେଇ ଜିଲ୍ଲା ମୁଖ୍ୟ ଚିିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ ଓ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଡାକ୍ତରଖାନା ସହିତ ସମସ୍ତ ଛୋଟ ବଡ଼ ଚିକିତ୍ସାଳୟରେ ଡାକ୍ତର ଓ କର୍ମଚାରୀ ଅଭାବ, ଚିକିତ୍ସାରେ ଅବହେଳା, ଆବଶ୍ୟକୀୟ ଡାକ୍ତରୀ ସାମଗ୍ରୀର ଅଭାବ, ଡାକ୍ତର ଓ ନର୍ସଙ୍କ ଖରାପ ବ୍ୟବହାର, ସରକାରୀ ଡାକ୍ତରଖାନାରୁ ରୋଗୀଙ୍କୁ ଘୋରୋଇ ଚିକିତ୍ସାଳୟକୁ ସ୍ଥାନାନ୍ତରଣ, ପିଇବା ପାଣି ନ ମିଳିବା, ଟଏଲେଟ୍ ଓ ଡାକ୍ତରଖାନା ସଫା ନ ରଖିବା, ଜଗୁଆଳି ଥାଇ ମଧ୍ୟ ଡାକ୍ତରଖାନା ପରିସର ରୁ ଗାଡ଼ି ଚୋରି ହେବା, ବହୁତ୍ ସମୟ ଧରି ଡାକ୍ତରଖାନା ରେ ବିଦ୍ୟୁତ୍ ବିତରଣ ବନ୍ଦ ରହିବା, ଆଦି ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ ସହ ଦାବିପତ୍ର ପ୍ରଦାନ କରାଯାଇଛି। ପୂର୍ବରୁ ସ୍ଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଥିଲାବେଳେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏହି ସମାନ ଅବସ୍ଥା ଥିଲା।

ଏ ନେଇ ଆଜି ନବ ନିର୍ମାଣ କୃଷକ ସଂଗଠନର ମହିଳା ନେତ୍ରୀ ସୋନାଲି ବିଶିଙ୍କ ନେତୃତ୍ୱରେ ସହର ମଧ୍ୟରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରୁ ଝିପି ଝିପି ବର୍ଷା ସତ୍ତ୍ୱେ ଶତାଧିକ କୃଷକ ଓ ଯୁବକ ମାନେ ଶୋଭାଯାତ୍ରାରେ ବାହାରି ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ଧାରଣା ଦେବା ସହିତ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ବୈକୁଣ୍ଠ ଶତପଥୀ, ରାମ ନାରାୟଣ ବ୍ରହ୍ମା, ସୁଶିଲ କୁମାର, ପ୍ରଭାତ ମିଶ୍ର, ତରୁଣ ସାହୁ, ଶ୍ରୀକାନ୍ତ ସାହୁ, କିରଟି ପ୍ରଧାନ, ସୁନିଲ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.