ଶିଶୁଯତ୍ନ ଅନୁଷ୍ଠାନର ଶିଶୁଙ୍କ ପ୍ରତିଭା ବିକାଶ ନିମନ୍ତେ ‘ଉତ୍ସାହ’ ଓ ‘ମହକ’ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଗଜପତି ତରଫରୁ ଜିଲ୍ଲାରେ ଥିବା ୫ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁ ମାନଙ୍କ ମଧ୍ୟରେ କ୍ରୀଡ଼ା ପ୍ରତିଭାର ବିକାଶ ନିମନ୍ତେ ବିଭିନ୍ନ ଖେଳ ପ୍ରତିଯୋଗିତା “ଉତ୍ସାହ” ଅନୁଷ୍ଠିତ ହୋଇଥିବା ବେଳେ ଲୁକ୍କାୟିତ ହୋଇ ରହି ଯାଉଥିବା କଳାର ବିକାଶ ନିମନ୍ତେ ଶିଶୁ ମହୋତ୍ସବ “ମହକ” ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।

ଏଥିରେ ପାଞ୍ଚ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ଯଥା:- ଡ଼େ ଷ୍ଟାର ହୋମ୍, ଜରାଉ ମୋହନା, ଶ୍ରୀ ଜଗନ୍ନାଥ ନିକେତନ- ଆର୍.ସିତାପୁର, ନିସାନ ସାଲୋମ – ଗୁମ୍ମା, ଉତ୍କଳ ବାଳାଶ୍ରମ ଗଜପତି ଓ ପ୍ରାଉଡ଼-ବି.ସୀତାପୁର ଅନୁଷ୍ଠାନର ୧୦୦ ରୁ ଉର୍ଦ୍ଧ୍ବ ଶିଶୁ ଭାଗ ନେଇଥିଲେ। ଏହି ସମାରୋହର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ ଏବଂ ପିଲାମାନଙ୍କୁ ଉତ୍ସାହିତ କରିବା ସହ ଏହି ପରି ପ୍ରତିଯୋଗିତା ପିଲାମାନଙ୍କୁ ଜୀବନରେ ବହୁତ ଆଗକୁ ବଢ଼ାଇବା ସହ ଜିଲା ଓ ରାଜ୍ୟର ନା ରଖିବାକୁ ସୁଯୋଗ ତିଆରି କରିବ ବୋଲି କହିଥିଲେ।

ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ନ୍ୟାୟାଳୟର ଜିଲ୍ଲା ଦୌରା ଜଜ୍ ପ୍ରଣବ କୁମାର ରାଉତରାୟ ଉପସ୍ଥିତ ରହି ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ କଳାର ବିକାଶ ନିମନ୍ତେ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ଏବଂ ସହଯୋଗ ଆଜିର ଦିନରେ ରହିଛି ବୋଲି ଅଭିବ୍ୟକ୍ତ କରି କହିଥିଲେ ଯେ, ପିଲାମାନେ କେବେ ହେଲେ ଭାବିବେ ନାହିଁ ଯେ ଆପଣଙ୍କର କେହି ନାହାନ୍ତି।

ସମ୍ମାନିତ ଅତିଥି ଜିଲ୍ଲାପାଳ ବିଜୟ କୁମାର ଦାସ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିବା ସହ ଭବିଷ୍ୟତରେ ପିଲାମାନେ କଣ କରିବାକୁ ଚାହାନ୍ତି ବୋଲି ପଚାରି ବୁଝିଥିଲେ ଏବଂ ପରାମର୍ଶ ଦେଇଥିଲେ ଯେ ଜୀବନର ଲକ୍ଷ୍ୟକୁ ପୂରଣ କରିବାକୁ ହେଲେ ନିଷ୍ଠାର ସହିତ କାର୍ଯ୍ୟ କରିବାକୁ ପଡ଼ିବ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡ଼ା ଅଧିକାରୀ  ପ୍ରାଣକୃଷ୍ଣ ପାଣିଗ୍ରାହୀ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ, ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଅଶ୍ବିନୀ କୁମାର ମହାପାତ୍ର, ଆର୍.ଏମ୍.ସି. ର ସମ୍ପାଦକ ପ୍ରମୁଖ ଯୋଗଦେଇ ପିଲାମାନଙ୍କ ଅନ୍ତର୍ନିହିତ ପ୍ରତିଭାର ପାରଦର୍ଶିତା ଦେଖି ସେମାନଙ୍କୁ ଆଗକୁ ବଢ଼ିବାକୁ ଉତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସକାଳେ ଉପସ୍ଥିତ ଥିବା ପାଞ୍ଚଟି ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁ ମାନଙ୍କ ମଧ୍ୟରେ ୧୦୦ ଏବଂ ୨୦୦ ମିଟର ଦୌଡ଼ ପ୍ରତିଯୋଗିତା, ଲମ୍ବଡ଼ିଆଁ, ଉଚ୍ଚଡ଼ିଆଁ, ଚେସ୍, କେରମ୍ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟା ସମୟରେ ସାଂସ୍କୃତିକ ପ୍ରତିଯୋଗିତା ଯଥା ଚିତ୍ରାଙ୍କନ, ବକ୍ତୃତା, କୁଇଜ୍ , ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ କୃତି ପ୍ରତିଯୋଗି ମାନଙ୍କୁ ଆମନ୍ତ୍ରିତ ଅତିଥିଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରା ଯାଇଥିଲା ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ଅତିଥି ମାନଙ୍କୁ ପିଲାମାନେ ଆଙ୍କିଥିବା ସୁନ୍ଦର ଚିତ୍ର ପ୍ରଦାନ କରା ଯାଇଥିଲା। ପରିଶେଷରେ ଅତିଥି ଓ ପିଲାମାନଙ୍କ ଉପସ୍ଥିତିରେ ଏକ ଫାୟାର କ୍ୟାମ୍ପ କରା ଯାଇଥିଲା।

ଉପରୋକ୍ତ କାର୍ଯ୍ୟକ୍ରମରେ ଶିଶୁ ଯତ୍ନ ଅନୁଷ୍ଠାନର ଶିଶୁମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିବା ଲକ୍ଷ୍ୟ କରା ଯାଇଥିଲା। ପ୍ରକାଶ ଥାଉକି, ଆଜିକାର କାର୍ଯ୍ୟକ୍ରମରେ କୃତିତ୍ତ୍ବ ହାସଲ କରିଥିବା ଶିଶୁ ମାନେ ରାଜ୍ୟସ୍ତରୀୟ ଉତ୍ସବ ରେ ଭାଗନେବାର ସୂଚନା ରହିଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ସମସ୍ତ କର୍ମକର୍ତ୍ତା, ସମସ୍ତ ଶିଶୁ ଯତ୍ନ ଅନୁଷ୍ଠାନର କର୍ମକର୍ତ୍ତା, ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କର୍ମକର୍ତ୍ତା, ଶିଶୁ ହେଲ୍ପଲାଇନ୍ ର ସମସ୍ତ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୁ ରୁପେ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.