ଆୟୋଜିତ ହେଲା ବିଶ୍ୱ ଶୌଚାଳୟ ଦିବସ-୨୦୨୪ର ଉଦଘାଟନୀ ସଭା

ଜଳ ଜୀବନ ମିଶନ ଅନ୍ତର୍ଗତ ଜିଲ୍ଲା ଜଳ ଓ ପରିମଳ ମିସନର ଗୁରୁତ୍ୱପୂର୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଜଳ ଜୀବନ ମିଶନ ଅନ୍ତର୍ଗତ ଜିଲ୍ଲା ଜଳ ଓ ପରିମଳ ମିଶନ (ଡିଡବ୍ଲ୍ୟୁଏସ୍ଏମ୍) ପକ୍ଷରୁ ଆଜି ପୂର୍ବାହ୍ନ ୧୧.୩୦ ସମୟରେ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବାଲେଶ୍ଵର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବସ୍ତା ବିଧାୟକ ଶ୍ରୀମତୀ ସୁବାସିନୀ ଜେନା, ନୀଳଗିରି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ, ବାଲେଶ୍ଵର ବିଧାୟକ ଶ୍ରୀ ମାନସ ଦତ୍ତ, ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଶ୍ରୀ ନାରାୟଣ ପ୍ରଧାନ, ଜଳେଶ୍ଵର ବିଧାୟକଙ୍କ ପ୍ରତିନିଧି, ଭୋଗରାଇ ବିଧାୟକଙ୍କ ପ୍ରତିନିଧି ଏବଂ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଉପସ୍ଥିତିରେ ବିଶ୍ୱ ଶୌଚାଳୟ ଦିବସ ୨୦୨୪ ର ଉଦଘାଟନୀ ଉତ୍ସବ ପାଳିତ ହୋଇଯାଇଛି।

ଏହି ଅବସରରେ ସ୍ୱଚ୍ଛତା ହିଁ ସେବା ୨୦୨୪ ଅଭିଯାନ ଅନ୍ତର୍ଗତ ନିଜ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଓ ପରିମଳ ମାନରେ ଉନ୍ନତି ଆଣିବା ପାଇଁ ଅସାଧାରଣ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିବା ବିଭିନ୍ନ ହିତାଧିକାରୀ, ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବ୍ଲକ ଏବଂ ସରପଞ୍ଚମାନଙ୍କୁ ସମ୍ମାନିତ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଏଠାରେ ସୂଚନା ଥାଉ କି କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ବିଭାଗ ନିର୍ଦ୍ଦେଶାନୁସାରେ ଆଜି ଠାରୁ ଆରମ୍ଭ ହୋଇଥିବା ବିଶ୍ୱ ଶୌଚାଳୟ ଦିବସ-୨୦୨୪ ଆଗାମୀ ମାନବାଧିକାର ଦିବସ (ଡିସେମ୍ବର ତା ୧୦ ରିଖ) ରେ ସମାପ୍ତ ହେବ। ଏ ବର୍ଷ ବିଶ୍ୱ ଶୌଚାଳୟ ଦିବସ ଅଭିଯାନର ଥିମ ରହିଛି ‘ଆମର ଶୌଚାଳୟ: ଆମର ସମ୍ମାନ’।

ଏହା ପରେ ଡିଡବ୍ଲ୍ୟୁଏସ୍ଏମ୍ ବୈଠକର ସଂଯୋଜନାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଉଚ୍ଚସ୍ତରୀୟ ବୈଠକରେ ବ୍ୟାପକ କାର୍ଯ୍ୟାନ୍ୱୟନ ରଣନୀତି ମାଧ୍ୟମରେ ଜିଲ୍ଲାର ଜଳ ଏବଂ ପରିମଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି ବୈଠକରେ ସମଗ୍ର ଜିଲ୍ଲାରେ ନଳ ଜଳର ସମ୍ପ୍ରସାରଣ ଏବଂ ପ୍ରମୁଖ ପରିମଳ ସମସ୍ୟାର ସ୍ଥାୟୀ ସମାଧାନ ହାସଲ କରିବା ଉପରେ ଆଲୋଚନା କରାଯାଇଥିଲା। ଉକ୍ତ ସଭାରେ ଗ୍ରାମୀଣ ଜଳ ଯୋଗାଣ ଏବଂ ପରିମଳ ବିଭାଗର ବରିଷ୍ଠ ଅଧିକାରୀମାନେ ବାଲେଶ୍ୱର ଜିଲ୍ଲାରେ ସ୍ୱଚ୍ଛ ଜଳ ଏବଂ ଉନ୍ନତ ପରିମଳ ସୁବିଧା ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟକାରୀ ହେଉଥିବା ସମସ୍ତ ପଦକ୍ଷେପ ଉପରେ ବିସ୍ତୃତ ଭାବରେ ସୂଚନା ଦେଇଥିଲେ। ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାୟକ ମଞ୍ଚ ପରିଚାଳନା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.