ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ଓ ସାହିତ୍ୟର ଦୁଃସ୍ଥିତି ଆଜି ଚରମସୀମାରେ ପହଞ୍ଚିଥିବା ବେଳେ ବେଶି ଟିନ୍ତାଜନକ ପାଇଟିଛି ଓଡ଼ିଆ ଗଳ୍ପସାହିତ୍ୟର ସ୍ଥିତି। ପରୋକ୍ଷରେ ଓଡ଼ିଆ ଅସ୍ମିତାକୁ ପ୍ରଭାବିତ କରୁଥିବା ଏହି ଅବସ୍ଥାକୁ ଦୃଷ୍ଟିରେ ରଖି ଫକୀରମୋହନ ସାହିତ୍ୟ ପରିଷଦ ତରଫରୁ ଗଳ୍ପ ସାହିତ୍ୟକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ଠାରୁ ‘ଫକୀରମୋହନ ଗଳ୍ପ ପୁରସ୍କାର’ ନାମକ ଏକ ପୁରସ୍କାର ନୂତନ ଭାବେ ପ୍ରଚଳନ କରିବାର ସିଦ୍ଧାନ୍ତ ନିଆଯାଇଛି।
ସୂଚନା ଅନୁଯାୟୀ ଫକୀରମୋହନ ବିଶ୍ୱବିଦ୍ୟାଳୟ ଓ ଏହା ଅଧୀନସ୍ଥ ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ପୁରସ୍କାର ପାଇବା ପାଇଁ ଓଡ଼ିଆ ଭାଷାରେ ଲିଖିତ ଏକ ଗଳ୍ପଲିଖନ ପ୍ରତିଯୋଗିତାରେ ଭାଗ ନେବାର ପ୍ରସ୍ତାବ ରଖା ଯାଇଛି। ଏକ ବିଚାରକମଣ୍ଡଳୀ ଦ୍ୱାରା ମନୋନୀତ ସର୍ବଶ୍ରେଷ୍ଠ ଗଳ୍ପ ଲେଖକଙ୍କୁ ୫ ହଜାର ଟଙ୍କାର ପୁରସ୍କାର ରାଶି ଜାନୁଆରୀ ୧୩-୧୬, ଫକୀରମୋହନ ଜୟନ୍ତୀ ପାଳନ ଅବସରରେ ଅନୁଷ୍ଠିତ ହେଉଥିବା ପରିଷଦର ବାର୍ଷିକ ଉତ୍ସବରେ ପ୍ରଦାନ କରାଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।
ଛାତ୍ରଛତ୍ରୀମାନେ ନିଜ ନିଜ ଅନୁଷ୍ଠାନର ଅଧ୍ୟକ୍ଷଙ୍କ ମାର୍ଫତରେ ଏହା ପ୍ରେରଣ କରିବେ। ଏହା ସହିତ ଏକ ଘୋଷଣାନାମାରେ ଏହା ତାଙ୍କର ମୌଳିକ ଲେଖା ବୋଲି ମଧ୍ୟ ପ୍ରକାଶ କରିବେ। ସୁଲିଖିତ ଗଳ୍ପମାନ (୧୫୦୦ ଶବ୍ଦରେ ସୀମିତ) ଡିସେମ୍ବର ୧୫ ତାରିଖ ସୁଦ୍ଧା ଡକ୍ଟର ସୁବାସ ଚନ୍ଦ୍ର ପାତ୍ର, ସଭାପତି: ଫକୀରମୋହନ ସାହିତ୍ୟ ପରିଷଦ, ଜେଲଲୋଡ଼, ବାଲେଶ୍ଵର-୭୫୬୦୦୧, ଫୋନ ନମ୍ବର ୯୪୩୭୩୭୬୨୧୯ରେ ରେଜେଷ୍ଟ୍ରି ଡାକ ଯୋଗେ ପହଞ୍ଚିବା ଆବଶ୍ୟକ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।