୨୯ରେ ପ୍ରଗତି ପ୍ରତିଭା ପରୀକ୍ଷା, ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ନିଃଶୁଳ୍କ ଶିକ୍ଷା

ପ୍ରଗତି ପ୍ରତିଭା ପୁରସ୍କାର ୨୦୨୪-୨୫ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଭବାନୀପାଟଣା ସହର ଉପକଣ୍ଠସ୍ଥ ପ୍ରଗତି ଶିକ୍ଷାନୁଷ୍ଠାନରେ ‘ପ୍ରଗତି ପ୍ରତିଭା ପୁରସ୍କାର’ ସଂପର୍କିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଗତି ଶିକ୍ଷାନୁଷ୍ଠାନର ମୁଖ୍ୟ ଅଜୟ ପଣ୍ଡା, ଚେୟାରପରସନ ସୁଶ୍ରୀ ସଂଗୀତା ପଣ୍ଡା, ପ୍ରଶାସନିକ ଅଧିକାରୀ ପ୍ରଣବ ପଣ୍ଡା, ଅଧ୍ୟକ୍ଷ ଶେଷଦେବ ମୁଣ୍ଡ, ମୁଖ୍ୟ ଶିକ୍ଷା ସଂଯୋଜକ ଅଞ୍ଜନ କୁମାର ରଣା,   ଅଶୋକ କୁମାର ସାହୁ, ବିଦ୍ୟା ସାଗର ମୁଣ୍ଡ, ଶଶୀଭୂଷଣ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଗତି ଶିକ୍ଷାନୁଷ୍ଠାନର ମୁଖ୍ୟ ଶ୍ରୀ ପଣ୍ଡା ପ୍ରଗତି ପ୍ରତିଭା ପୁରସ୍କାରର ସ୍ୱରୂପ ସମ୍ପର୍କରେ ଆଲୋଚନା କରିବାକୁ ଯାଇ କହିଥିଲେ କି, ବହୁ ପ୍ରତୀକ୍ଷିତ ପ୍ରଗତି ଶିକ୍ଷାନୁଷ୍ଠାନ ଦ୍ୱାରା ପ୍ରଦାନ କରାଯାଉଥିବା ଲୋକପ୍ରିୟ ତଥା ଗୁରୁତ୍ୱପୂର୍ଣ୍ଣ ‘ପ୍ରଗତି ପ୍ରତିଭା ପୁରସ୍କାର’ ପ୍ରଦାନ ନିମନ୍ତେ ଚଳିତ ଡିସେମ୍ବର ମାସ ୨୯ ତାରିଖରେ ଓଡ଼ିଆ ଓ ଇଂରାଜୀ ମାଧ୍ୟମର ଛାତ୍ରଛାତ୍ରୀମାନଙ୍କୁ ନେଇ ପ୍ରଗତି କଲେଜ ପରିସର ମଧ୍ୟରେ ‘ପ୍ରଗତି ପ୍ରତିଭା ପରୀକ୍ଷା’ ଅନୁଷ୍ଠିତ ହେବ। ପୂର୍ବରୁ ସ୍କୁଲ ସ୍ତରରେ ଅନୁଷ୍ଠିତ ହୋଇଥିବା ଟ୍ୟାଲେଣ୍ଟ ହଣ୍ଟ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବେ ସେହି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଉକ୍ତ ଦିବସରେ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯିବ।

ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ଏହି ପ୍ରଗତି ପ୍ରତିଭା ପରୀକ୍ଷାକୁ ଏକ ଲୋକପ୍ରିୟ ତଥା ଗୁରୁତ୍ୱପୂର୍ଣ୍ଣ ପୁରସ୍କାର ଭାବରେ ବିବେଚନା କରାଯାଇଛି। ପ୍ରତିବର୍ଷ ପ୍ରଦାନ କରାଯାଉଥିବା ଏହି ପୁରସ୍କାର ହେଉଛି  ଛାତ୍ରଛାତ୍ରୀମାନଙ୍କ ଯୋଗ୍ୟତା, ପରିଶ୍ରମ ଏବଂ ଚରିତ୍ରର ଉତ୍କର୍ଷତା ହାସଲ କରିବାର ପ୍ରକୃଷ୍ଟ ମାନଦଣ୍ଡ। ଛାତ୍ରଛାତ୍ରୀମାନେ ସେମାନଙ୍କର ଗୁଣାତ୍ମକ ଯୋଗ୍ୟତା ପ୍ରଦର୍ଶନ କରିବା ପାଇଁ ପ୍ରଗତି ଟ୍ରଷ୍ଟ ଏହି ପୁରସ୍କାର ପ୍ରସ୍ତୁତ କରିଛି। ଏହି ପରୀକ୍ଷାରେ ଓଡ଼ିଆ ଓ ଇଂରାଜୀ ମାଧ୍ୟମରେ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିବା ସମସ୍ତ ଛାତ୍ରଛାତ୍ରୀ ଭାଗ ନେଇପାରିବେ। ଉକ୍ତ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କର ଫଳାଫଳକୁ ଆଧାର କରି ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ସହିତ ନଗଦ ଅର୍ଥରାଶି ସ୍ୱରୂପ ପୁରସ୍କାର ପ୍ରଦାନ କରାଯିବ।

ପ୍ରଥମ ସ୍ଥାନ ଅର୍ଜନ କରିଥିବା କୃତି ପ୍ରତିଯୋଗୀଙ୍କୁ ୧୫ ହଜାର ଟଙ୍କା, ଦ୍ଵିତୀୟ ସ୍ଥାନ ଅର୍ଜନ କରିଥିବା କୃତି ପ୍ରତିଯୋଗୀଙ୍କୁ ୧୦ ହଜାର ଟଙ୍କା ଏବଂ ତୃତୀୟ କୃତି ପ୍ରତିଯୋଗୀଙ୍କୁ ୫ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯିବ। ଏହା ସହିତ ଏହି ପ୍ରତିଭା ପରୀକ୍ଷାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଦୁଇ ବର୍ଷର ସମସ୍ତ ପଢିବା ଖର୍ଚ୍ଚ, ରହିବା ଖର୍ଚ୍ଚ, ଖାଇବା ଖର୍ଚ୍ଚ ସ୍କୁଲ ବହନ କରିବା ସହିତ ବିନା ଶୁଳ୍କରେ ପଢ଼ିବାର ସୁଯୋଗ ଦିଆଯିବ ବୋଲି ପ୍ରଗତି ଶିକ୍ଷାନୁଷ୍ଠାନର ମୁଖ୍ୟ ଅଜୟ ପଣ୍ଡା ଘୋଷଣା କରିଥିଲେ। ଏହା ସହିତ ପ୍ରଗତି ଶିକ୍ଷାନୁଷ୍ଠାନରେ ପଢିବାକୁ ଇଚ୍ଛୁକ ଶ୍ରେଷ୍ଠ ୫୦ ଜଣ ଛାତ୍ରଛାତ୍ରୀ ମେଧାବୃତ୍ତି ସହ ପଢ଼ିବାର ସୁଯୋଗ ପାଇପାରିବେ। ଏତଦ ବ୍ୟତୀତ ପ୍ରତିବର୍ଷ ପ୍ରଗତି ଶିକ୍ଷାନୁଷ୍ଠାନରେ ଗରିବ ମେଧାବୀ  ଛାତ୍ରଛାତ୍ରୀମାନଙ୍କୁ ବିନା ଶୁଳ୍କରେ +୨ ଶ୍ରେଣୀରେ ଅଧ୍ୟୟନ କରିବାର ସୁଯୋଗ ଦିଆଯାଉଛି। ଏହି ଆଲୋଚନାର ପରିଶେଷରେ ଅନୁଷ୍ଠାନର ଚେୟାରପରସନ ସୁଶ୍ରୀ ସଂଗୀତା ପଣ୍ଡା ପ୍ରଗତି ପ୍ରତିଭା ପରୀକ୍ଷାରେ ଭାଗ ନେବାକୁ ଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଓ ଅଭିବାଦନ ଜଣେଇବା ସହ ବହୁ ସଂଖ୍ୟାରେ ଯୋଗଦାନ ପୂର୍ବକ ପରୀକ୍ଷାକୁ ସଫଳ କରିବା ପାଇଁ ଆହ୍ୱାନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.