ନୂଆଖାଇକୁ ନେଇ ଚଳ ଚଞ୍ଚଳ ନର୍ଲା: ରବିବାର ନର୍ଲା ସାପ୍ତାହିକ ହାଟରେ ନୂଆ ଚୁଡ଼ା ଓ ଧାନ କେଣ୍ଡାର ସମ୍ଭାର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆଉ ଦିନକ ପରେ ପଶ୍ଚିମ ଓଡିଶାର ମହାନ ଗଣପର୍ବ ନୂଆଖାଇ। ନୂଆଖାଇ କୁ ନେଇ ଚଳ ଚଞ୍ଚଳ ହୋଇ ଉଠିଛି ନର୍ଲା। ନୂଆଖାଇ ପାଇଁ ବିଶେଷ ପ୍ରସ୍ତୁତିରେ ଲାଗି ପଡିଛନ୍ତି ଅଞ୍ଚଳ ବାସୀ। ଗଣପର୍ବ ନୂଆଖାଇ ଚାଷୀଙ୍କ ପର୍ବ। ବର୍ଷର ପ୍ରଥମ ଫସଲ ଧାନ। ଯାହାକୁ କି ସାକ୍ଷାତ ଲକ୍ଷ୍ମୀଙ୍କ ପ୍ରତିରୂପ ବୋଲି ବିବେଚନା କରାଯାଇଥାଏ। ପ୍ରଥମେ ଏହି ନୂଆ ଉତ୍ପନ୍ନ ଶସ୍ୟ ଧାନ କେଣ୍ଡା କୁ ଗ୍ରାମ ଦେବୀ ଧରଣୀ ଦେବୀଙ୍କ ନିକଟରେ ଖେଡ଼ ସୁଆ କରି ଦେବୀଙ୍କୁ ବଳି ଦିଆ ଯାଇଥାଏ। ଆଦିମ କାଳରୁ ଚାଲି ଆସୁଥିବା ଆଦିବାସୀ ବହୁଳ କଳାହାଣ୍ଡିରେ ଏବେ ମଧ୍ୟ ପ୍ରତି ଗ୍ରାମରେ ଏହି ପରମ୍ପରା ବଜାୟ ରହିଛି। ନୂଆଖାଇ ର ପୂର୍ବଦିନ ରୁଗି ବଟା କାର୍ଯ୍ୟକ୍ରମ ଗାଁ ଗୁଡିକରେ ଅନୁଷ୍ଠିତ ହେବ। ତା ପରଦିନ ଅର୍ଥାତ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ନୂଆଖାଇ ଅନୁଷ୍ଠିତ ହେବ। ଏଥିପାଇଁ ସାରା ପଶ୍ଚିମ ଓଡିଶା ଉତ୍ସବ ମୁଖର ହୋଇଉଠିଛି । ପ୍ରଥମେ ଦେବାଦେବୀ ମାନଙ୍କୁ ନୂଆ ଚାଉଳରେ ଅନ୍ନ ପ୍ରସ୍ତୁତ କରି ଅର୍ପଣ କରିବା ପରେ ଜନସାଧାରଣ ନୂଆ ଖାଇବେ। ଗ୍ରାମର ଧରଣୀ ଦେବୀ, ଗ୍ରାମର ମନ୍ଦିର ଗୁଡିକରେ ନିର୍ଦ୍ଧାରିତ ଲଗ୍ନ ଅନୁଯାୟୀ ନୂଆ ଚୁଡ଼ା ଓ ନୂଆ ଚାଉଳରେ ପ୍ରସ୍ତୁତ ଚାଉଳରେ ପ୍ରସ୍ତୁତ କ୍ଷୀରି ଭୋଗ ଲାଗି ହେବାପରେ ନୂଆ ଚୁଡ଼ା ଓ କ୍ଷୀରି ପ୍ରସାଦ ସବୁ ଲୋକଙ୍କୁ ପ୍ରଦାନ କରାଯାଇଥାଏ। ଏହାକୁ ନେଇ ଲୋକେ ନୂଆଖାଇ ଥାଆନ୍ତି। ସୋମବାର ଶ୍ରୀ ଗଣେଶ ପୂଜା ଓ ମଙ୍ଗଳବାର ନୂଆଖାଇ ପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ନର୍ଲା। ଲୋକେ ନୂଆ ବସ୍ତ୍ର ପରିଧାନ କରି ନୁଆଖାଇବେ। ଏଣୁ ସପ୍ତାହକ ପୂର୍ବରୁ ନର୍ଲାର କପଡା ବଜାରରେ ଭିଡ ଦେଖିବାକୁ ମିଳିଥିବା ବେଳେ ନୂଆଖାଇ ପାଇଁ ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ ହେବ। ନୂଆଖାଇ ରେ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ ହେବ। ଏଥିପାଇଁ ଅଞ୍ଚଳର ରାସନ ଦୋକାନ ଗୁଡିକରେ ମଧ୍ୟ ପ୍ରବଳ ଭିଡ। ଆଜି ରବିବାର ନର୍ଲା ର ସାପ୍ତାହିକ ହାଟ। ହାଟରେ କପଡା, ଡ୍ରେସ ଓ ପରିବା ସାଙ୍ଗକୁ ନୂଆ ଧାନ କେଣ୍ଡା, ନୂଆ ଚୂଡ଼ା କିଣିବା ପାଇଁ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ନୂଆଖାଇ ମଙ୍ଗଳବାର ପଡୁଥିବାରୁ ରବିବାର ନର୍ଲା ସାପ୍ତାହିକ ହାଟ, ସୋମବାର ବାଲିପଡା ସାପ୍ତାହିକ ହାଟ ମୁଖ୍ୟତଃ ଗୁରୁତ୍ୱ ରଖୁଛି। ଏଣୁ ଆଜି ରବିବାର ନର୍ଲା ର ସାପ୍ତାହିକ ହାଟରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ସେହିଭଳି ଆସନ୍ତା କାଲି ସୋମବାର ବାଲିପଡା ସାପ୍ତାହିକ ହାଟରେ ମଧ୍ୟ ନୂଆଖାଇ ଭିଡ ରହିବ। ହେଲେ ଦୁଇଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନୂଆଖାଇ ମଉଜ ଟିକେ ଫିକା ପଡିପାରେ। କଳାହାଣ୍ଡିର ଗଡଜାତ ଅଞ୍ଚଳ ଭବାନୀପାଟଣା, ଏମ ରାମପୁର, ଲାଞ୍ଜିଗଡ ଓ ଜୁନାଗଡ ପ୍ରଭୃତି ଅଞ୍ଚଳରେ ଏହି ଦଶମୀ ତିଥିରେ ମା ମାଣିକେଶ୍ୱରୀ ଙ୍କ ନିକଟରେ ନୂଆ ଧାନ ଭୋଗ ଲାଗି ହୋଇଥାଏ। ଏଣୁ ସେ ସବୁ ଅଞ୍ଚଳରେ ଦଶମୀ ତିଥିରେ ନୂଆ ଖାଇଥାନ୍ତି। ହେଲେ ସେସବୁ ଅଞ୍ଚଳ ଗୁଡିକରେ ମଧ୍ୟ ଏଇ କେତେବର୍ଷ ହେବ କେବଳ ସଦର ମହକୁମା ଗୁଡିକୁ ଛାଡ଼ିଦେଲେ ଗ୍ରାମାଞ୍ଚଳ ଗୁଡିକରେ ପଞ୍ଚମୀ ତିଥିରେ ହିଁ ନୂଆଖାଇ ପାଳନ କରୁଥିବା ଜଣାପଡିଛି। ସନ୍ଧ୍ୟା ସମୟରେ ନୂଆଖାଇ ପାଇଁ ଗାଁ ଗାଁ ରେ ଅନୁଷ୍ଠିତ ହେବ ବିଭିନ୍ନ ପ୍ରକାରର ମନୋରଞ୍ଜନ ର କାର୍ଯ୍ୟକ୍ରମ। ନର୍ଲା ବିଧାୟିକା ମନୋରମା ମହାନ୍ତି ନୂଆଖାଇ ଗଣ ପର୍ବ କୁ ଦୃଷ୍ଟିରେ ରଖି ସର୍ଗିଗୁଡ଼ା, ନର୍ଲାରୋଡ, ନର୍ଲା ର ରାସ୍ତାକଡ଼େ ଆଲୋକି କରଣ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ହାଇମାକ୍ସ ଲାଇଟ ସବୁ ଲଗାଉଥିବା ଦେଖିବାକୁ ମିଳିଛି। ନୂଆଖାଇ ଏକ କୃଷି ଭିତ୍ତିକ ପର୍ବ। ଚଳିତ ବର୍ଷ ବର୍ଷା ଭଲ ହୋଇଥିବାରୁ ଚାଷ ମଧ୍ୟ ଉତ୍ତମ ହୋଇଛି। ଏଣୁ ଚାଷୀ ର ମନ ବେଶ ଖୁସ। ସାରା ପରିବାର ପାଇଁ ନୂଆ ପୋଷାକ ହୋଇଛି। ଏକାଠି ବସି ଦେବାଦେବୀଙ୍କୁ ପୂଜା କରି ଖୁସିରେ ନୂଆ ଖାଇ ପର୍ବ ପାଳନ କରିବ ଚାଷୀ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.