ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ‘ପ୍ରକାଶ ହାଇ-ଆଚିଭର’ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ନର୍ଲା ପଞ୍ଚାୟତ ସମିତି ନୋଡାଲ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ବ୍ଲକର ସମୁଦାୟ ୧୫୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଅହଲ୍ୟା ସାହୁ ଏବଂ ନର୍ଲା ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ (ଏବିଇଓ) ଗୋବର୍ଦ୍ଧନ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରୀକ୍ଷା ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା। ଏଥିରେ ଜୟଦୁର୍ଗା ହାଇସ୍କୁଲର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର କର ଏବଂ ଜିଲ୍ଲା ସାଧନ ଶିକ୍ଷୟିତ୍ରୀ ଶ୍ୱେତାଲୀନ ପ୍ରଧାନ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ତୁଲାଇଥିଲେ। କଳାହାଣ୍ଡି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଏଡିଇଓ) ଶ୍ରୀ ହେମସାଗର ମହାନନ୍ଦ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ନିରୀକ୍ଷଣ କରିଥିଲେ। ସୂଚନାଯୋଗ୍ୟ ଯେ ମାଟ୍ରିକ ବୋର୍ଡ ପରୀକ୍ଷାରେ ଜିଲ୍ଲାର ଶିକ୍ଷା ଫଳାଫଳ ଉନ୍ନତ କରିବା ସହ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଯେପରି “ଏ -୧” ଗ୍ରେଡ୍ ହାସଲ କରିପାରିବେ, ସେଥିପାଇଁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଏହି ଅଭିନବ ‘ପ୍ରକାଶ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଚଳିତ ବର୍ଷ ‘ପ୍ରକାଶ ୩.୦’ ଅଧୀନରେ ଚୟନ ହେବାକୁ ଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲା ସାଧନ ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କ ଦ୍ୱାରା ସ୍ୱତନ୍ତ୍ର ଶୈକ୍ଷିକ ମାର୍ଗଦର୍ଶନ ପ୍ରଦାନ କରାଯିବ। ଶିକ୍ଷା ବିଭାଗର ଏହି ଯୁଗୋପଯୋଗୀ ପଦକ୍ଷେପକୁ ଅଞ୍ଚଳର ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ଅଭିଭାବକ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।





