କଳାହାଣ୍ଡି ଲେଖିକା ସଂଘର ‘ଫଗୁଣ କାବ୍ୟୋତ୍ସବ’

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଫଗୁଣ ଆସିଲେ ଆମ୍ବ ବଉଳର ମହ ମହ ବାସ୍ନାରେ ଚତୁର୍ଦ୍ଦିଗ ମହକି ଉଠେ। ମଲ୍ଲି ରଜନୀ ଗନ୍ଧ ଯୁଇ, ଯାଇ, ହିନାର ଭୁରୁ ଭୁରୁ ବାସ୍ନା ସହ କୋଇଲିର କୁହୁ କୁହୁ ତାନରେ ପରିବେଶ ମଧୁମୟ ହୋଇ ଉଠେ। ପ୍ରଭୁ ରାଧା କୃଷ୍ଣ ସାଥେ ଫଗୁ ରଂଗରେ ରଂଗେଇ ହେବା ପାଇଁ ମନ ଧାଇଁଯାଏ। ଭବାନୀପାଟଣା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ଯା ମନ୍ଦିର ବ୍ରଜବିହାର ପରିସରରେ କଳାହାଣ୍ଡି ଲେଖିକା ସଂଘର ‘ଫଗୁଣ କାବ୍ୟୋତ୍ସବ’ ରେ କିଛି ଏଭଳି ସ୍ବାଦର କବିତା ପରଷିଥିଲେ କବିଗଣ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ସଭ୍ୟା ମମତା ପଟ୍ଟନାୟକଙ୍କ ଶାଶୁ ସ୍ବର୍ଗତଃ ସରୋଜିନୀ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। କବୟତ୍ରୀ ଅନୀତା ମୁଣ୍ଡ ପ୍ରାରମ୍ଭିକ ସଂଗୀତ ଗାନ କରିଥିବାବେଳେ କବୟତ୍ରୀ ଦୀପ୍ତି ମୁଣ୍ଡ ସରସ୍ୱତୀ ବନ୍ଦନା ଗାନ କରିଥିଲେ। ସମ୍ପାଦିକା କଳ୍ପନା ରଥ ବାର୍ଷିକ ବିବରଣୀ ପାଠ କରିଥିଲେ। କୋଷାଧ୍ୟକ୍ଷା ସବିତା ଶତପଥୀ ବାର୍ଷିକ ଆୟବ୍ୟୟର ଅଟକଳ ପ୍ରଦାନ କରିଥିଲେ। କବୟତ୍ରୀ ସୁମତି ମୁଣ୍ଡଙ୍କ ସଂଯୋଜନାରେ ଅନୀତା ମୁଣ୍ଡ, ପଦ୍ମିନୀ ବେହେରା, ଆନନ୍ଦିନୀ ପାତ୍ର, ଅର୍ଚ୍ଚନା ମିଶ୍ର, ମିନତି ପ୍ରଧାନ, ମନୋରମା ପାତ୍ର, ହରିପ୍ରିୟା ଠାକୁର, କାଜଲ ମହାରଣା, ପ୍ରତିଭା ମିଶ୍ର, ପ୍ରେମଶୀଳା ବେହେରା, ସନ୍ଧ୍ୟା ରାଣୀ ବେହେରା, ସୁମତି ମୁଣ୍ଡ, ସବିତା ଶତପଥୀ ପ୍ରମୁଖ ୨୦ରୁ ଉର୍ଦ୍ଧ୍ବ କବୟତ୍ରୀ କବିତା ପାଠ କରିଥିଲେ। କାର୍ଯ୍ୟକ୍ରମଟିକୁ ସଭାପତି ସୁଦେଷ୍ଣା ପଣ୍ଡା ପରିଚାଳନା କରିଥିବାବେଳେ ଶେଷରେ ଧନ୍ଯବାଦ ଅର୍ପଣ କରିଥିଲେ ସହ ସମ୍ପାଦିକା ମିନତି ପ୍ରଧାନ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.