ଉତ୍କଳ ବିଶ୍ୱବିଦ୍ୟାଳୟରେ ଜାତୀୟ ଶିକ୍ଷାନୀତି ଉପରେ ଜାତୀୟ କର୍ମଶାଳା

ଗବେଷଣା, ସୃଜନଶୀଳତା ଓ ଦକ୍ଷତାଭିତ୍ତିକ ଶିକ୍ଷା ଉପରେ ଗୁରୁତ୍ୱ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ଜାତୀୟ ଶିକ୍ଷାନୀତି-୨୦୨୦ର ସଠିକ୍ ଓ ଦୂରଦୃଷ୍ଟିସମ୍ପନ୍ନ କାର୍ଯ୍ୟକାରିତା ଉଚ୍ଚଶିକ୍ଷାକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରିବା ସହ ଶିକ୍ଷାକ୍ଷେତ୍ରରେ ଗବେଷଣା, ସୃଜନଶୀଳତା ଓ ମୂଲ୍ୟବୋଧଭିତ୍ତିକ ଜ୍ଞାନର ନୂତନ ଯୁଗ ଆରମ୍ଭ କରିବ ବୋଲି ମତ ପ୍ରକାଶ କରିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ। ଉତ୍କଳ ବିଶ୍ୱବିଦ୍ୟାଳୟର କଲେଜ ଡେଭଲପମେଣ୍ଟ କାଉନସିଲ୍ ଓ ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ମିଳିତ ଆନୁକୂଲ୍ୟରେ ଏମ୍.କେ.ସି.ଜି. ଅଡିଟୋରିୟମରେ ‘ଜାତୀୟ ଶିକ୍ଷାନୀତି-୨୦୨୦ର ପ୍ରଭାବୀ ତଥା ସଠିକ୍ କାର୍ଯ୍ୟକାରିତା’ ଶୀର୍ଷକ ଏକ ଦିନିକିଆ ଜାତୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଉଦ୍‌ଘାଟନୀ ଅଧିବେଶନରେ ଆନ୍ଧ୍ରପ୍ରଦେଶ କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ତେଜସ୍ୱୀ ଭେଙ୍କପ୍ପା କାଟ୍ଟିମନି ମୁଖ୍ୟ ଅତିଥି, ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର କ୍ଷିତି ଭୂଷଣ ଦାସ ମୁଖ୍ୟବକ୍ତା ଏବଂ ପଦ୍ମଶ୍ରୀ ପ୍ରଫେସର ଆଦିତ୍ୟ ପ୍ରସାଦ ଦାଶ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ନୂତନ ଶିକ୍ଷାନୀତିର ସୁବ୍ୟବସ୍ଥିତ ପ୍ରୟୋଗ ଉପରେ ଦିଗ୍‌ଦର୍ଶନ ଦେଇଥିଲେ।

ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ କାଳୀ ପ୍ରସନ୍ନ ମହାପାତ୍ର, ବିଶ୍ୱବିଦ୍ୟାଳୟର କୁଳସଚିବ ଡ. ସ୍ୱାତୀ ମିଶ୍ର ଓ ପିଜି କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ଜଗ୍ନେଶ୍ୱର ଦଣ୍ଡପାଟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କଲେଜ ଡେଭଲପମେଣ୍ଟ କାଉନସିଲ୍ ନିର୍ଦ୍ଦେଶିକା ପ୍ରଫେସର ଜୟନ୍ତୀ ଡୋରା କର୍ମଶାଳାର ବିଷୟବସ୍ତୁ ଉପସ୍ଥାପନ କରିଥିବା ବେଳେ ଆଇକ୍ୟୁଏସି ନିର୍ଦ୍ଦେଶକ ପ୍ରଫେସର ପ୍ରିୟରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। କୁଳପତି ପ୍ରଫେସର ନନ୍ଦ ଅଧ୍ୟକ୍ଷତା କରି କହିଥିଲେ ଯେ, ଜାତୀୟ ଶିକ୍ଷାନୀତି କେବଳ ପାଠ୍ୟକ୍ରମରେ ପରିବର୍ତ୍ତନ ଆଣିବାରେ ସୀମିତ ନୁହେଁ; ବରଂ ଏହା ଶିକ୍ଷାକୁ ଅଧିକ ସୃଜନଶୀଳ, ଗବେଷଣାଭିତ୍ତିକ ଓ ମୂଲ୍ୟବୋଧ ସମ୍ପନ୍ନ କରିବାର ଏକ ବ୍ୟାପକ ରୂପରେଖା। କର୍ମଶାଳାରେ ବହୁବିଷୟକ ଶିକ୍ଷା, ଦକ୍ଷତାଭିତ୍ତିକ ପାଠ୍ୟକ୍ରମ ଏବଂ ଭାରତୀୟ ଜ୍ଞାନ ପରମ୍ପରାର ସମନ୍ୱୟ ଆଦି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।

କର୍ମଶାଳାରେ ଦୁଇଟି ପର୍ଯ୍ୟାୟରେ ପ୍ୟାନେଲ୍ ଆଲୋଚନା ଆୟୋଜିତ ହୋଇଥିଲା। ପ୍ରଥମ ଅଧିବେଶନରେ ପ୍ରଫେସର ଆଦିତ୍ୟ ପ୍ରସାଦ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ଡ. ତନୁତୃଷ୍ଣା ପାଣିଗ୍ରାହୀ ସଂଯୋଜନା କରିଥିଲେ। ଏଥିରେ ପ୍ରଫେସର ତେଜସ୍ୱୀ ଭେଙ୍କପ୍ପା କାଟ୍ଟିମନି, ରାଷ୍ଟ୍ରୀୟ ପାଣ୍ଡୁଲିପି ମିଶନର ପ୍ରାକ୍ତନ ନିର୍ଦ୍ଦେଶକ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ଭାଷାବିତ୍ ପ୍ରଫେସର ବସନ୍ତ କୁମାର ପଣ୍ଡା ଓ ଏକାମ୍ର କଲେଜର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ପ୍ରଫେସର ଗୋପାଳ ମହାପାତ୍ର ଅଂଶଗ୍ରହଣ କରିଥିଲେ। ଦ୍ୱିତୀୟ ପ୍ୟାନେଲ୍ ଆଲୋଚନାରେ ଗବେଷଣା ଓ ଉନ୍ନୟନ ସେଲ୍ ନିର୍ଦ୍ଦେଶକ ପ୍ରଫେସର ପ୍ରସନ୍ନ କୁମାର ପାତ୍ର ଅଧ୍ୟକ୍ଷତା କରିଥିବା ବେଳେ ଡ. ଶାନ୍ତିସ୍ୱରୂପ ସାହୁ ସଂଯୋଜନା କରିଥିଲେ। ଏଥିରେ କ୍ରୀଡ଼ା ପରିଷଦ ନିର୍ଦ୍ଦେଶକ ଡ. କୀର୍ତ୍ତି ରଞ୍ଜନ ମଲ୍ଲିକ, ପ୍ରଫେସର ପ୍ରିୟରଞ୍ଜନ ଦାଶ, ପ୍ରଫେସର ଜୟନ୍ତୀ ଡୋରା ଓ ପରୀକ୍ଷା ନିୟନ୍ତ୍ରକ ଡ. ହୃଷୀକେଶ ନାୟକ ଆଲୋଚନାରେ ଭାଗ ନେଇଥିଲେ। ଉଦ୍‌ଯାପନୀ ଅଧିବେଶନରେ ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶିକା ଡ. ସରୋଜ ଲକ୍ଷ୍ମୀ ସିଂ, କୁଳସଚିବ ଡ. ସ୍ୱାତୀ ମିଶ୍ର ଏବଂ ସଂସ୍କୃତ ବିଭାଗର ପ୍ରାକ୍ତନ ମୁଖ୍ୟ ପ୍ରଫେସର ଗୋପାଳ କୃଷ୍ଣ ଦାଶ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ। ସିଡିଓଇ ନିର୍ଦ୍ଦେଶକ ଡ. ସୁଜିତ କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ। କର୍ମଶାଳାରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ, ପ୍ରଫେସର, ଶିକ୍ଷାବିତ୍ ଓ ପ୍ରତିନିଧିମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.