ସାହିତ୍ୟ ଏକାଡେମୀ ଷ୍ଟଲ ପରିଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ (ରଜତ ବଂଶଳ): ରାଷ୍ଟ୍ରପତି ଭବନରେ ଆୟୋଜିତ “ବିବିଧତାର ଅମୃତ ମହୋତ୍ସବ”ର ଦ୍ୱିତୀୟ ସଂସ୍କରଣକୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗତକାଲି ଉଦଘାଟନ କରିଛନ୍ତି l ଏହି ବାର୍ଷିକ ସାଂସ୍କୃତିକ ମହୋତ୍ସବରେ ବିଭିନ୍ନ ଅଞ୍ଚଳର ଅନନ୍ୟ ପରମ୍ପରା ଓ ଐତିହ୍ୟ ପ୍ରଦର୍ଶନ କରାଯାଇଥାଏ ।

ଏଥର ଅମୃତ ମହୋତ୍ସବରେ କର୍ଣ୍ଣାଟକ, କେରଳ, ତାମିଲନାଡୁ, ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶ ସହିତ କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପ ଏବଂ ପୁଡୁଚେରୀର ସାଂସ୍କୃତିକ ଐତିହ୍ୟ ବିଷୟରେ ଜାଣିବାର ସୁଯୋଗ ରହିଛି। ଏହି ଅବସରରେ ମହାମହିମ ରାଷ୍ଟ୍ରପତି କହିଥିଲେ ଯେ ପ୍ରାୟ ୫୦୦ କାରିଗର ଏବଂ ବୁଣାକାର ଏହି ମହୋତ୍ସବରେ ଅଂଶଗ୍ରହଣ କରୁଥିବାରୁ ସେ ଖୁସି।

ସେ ଦକ୍ଷିଣ ଭାରତୀୟ ଭାଷାରେ ପ୍ରକାଶିତ ଏବଂ ହିନ୍ଦୀ ଓ ଇଂରାଜୀରେ ଅନୂଦିତ ପୁସ୍ତକକୁ ନେଇ ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ପରିଦର୍ଶନ କରିଥିଲେ। ରାଷ୍ଟ୍ରପତିଙ୍କୁ ସାହିତ୍ୟ ଏକାଡେମୀର ସଚିବ ଶ୍ରୀଯୁକ୍ତ କେ. ଶ୍ରୀନିବାସ ରାଓ ଏହି ପ୍ରଦର୍ଶନୀ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ।

ଏହି ଅବସରରେ କେନ୍ଦ୍ର ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂହ ମଧ୍ୟ ଉପସ୍ଥିତ ଥିଲେ। ଏହି ମହୋତ୍ସବ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ସକାଳ ୧୦ରୁ ରାତି ୮ ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ବୋଲି ସୂଚନା ଦିଆଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.